ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ନେଇ ରାସ୍ତା ସଫା ହେଉଥିବା ବେଳେ ଏଥିରେ କେଁ ବାହାରୁଛି। ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଏବେ ଏକାଠି ହୋଇଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଦଳ। ମିଳିତ ସରକାର ଗଠନ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଥଇବା ବେଳେ ଶୁକ୍ରବାର ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି।

ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ସରକାର ଗଠନକୁ ବିରୋଧ କରିଛନ୍ତି ମହାରାଷ୍ଟ୍ରର ଦିନ୍ଧୋଶି ନିର୍ବାଚନ ମଣ୍ଡଳୀର ସୁରେନ୍ଦ୍ର ଇନ୍ଦ୍ରବାହାଦୁର ସିଂହ। ଏନେଇ ସେ ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଛନ୍ତି।

ସୁରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନ ସମୟରେ ଏହି ୩ଟି ଯାକ ଦଳ ପରସ୍ପର ବିରୋଧରେ ପ୍ରଚାର କରି ନିର୍ବାଚନ ଲଢିଥିଲେ। ହେଲେ ଜିତିବା ପରେ ସେମାନେ ଏକାଠି ହୋଇ ସରକାର ଗଢ଼ିବାକୁ ଯାଉଛନ୍ତି। ଏହା ଲୋକଙ୍କ ଜନାଦେଶ ବିରୋଧରେ ଯାଉଥିବା କହି ସୁରେନ୍ଦ୍ର ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି।

ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ସରକାର ଗଢ଼ିବା ନେଇ ନିର୍ବାଚନ ଲଢ଼ି ଜିତିଥିଲେ। ହେଲେ ଜିତିଲା ପରେ ମୁଖ୍ୟମନ୍ତ୍ରୀ ହେବା ନେଇ ଦୁଇ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ବିଜେପି ସରକାର ଗଢ଼ିବାରୁ ଓହରିଯିବା ପରେ ଶିବସେନା ମଧ୍ୟ ଏକାକି ସରକାର ଗଢ଼ିବାକୁ ସମର୍ଥ ହୋଇନଥିଲା। ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏବେ ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳିଛି।

Comment