ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନଭେମ୍ବର ୩୦ରୁ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ
  • ଏଥର ଏକାକି ନିର୍ବାଚନ ଲଢ଼ିବ ବିଜେପି
  • ବିଜେପି ବିପକ୍ଷରେ ଏକାଠି ହୋଇଛନ୍ତି ୩ ଦଳ
  • ବିପକ୍ଷରେ ଏକାଠି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ଦଳ

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ରେସରେ ପାସ୍ ହେବାପରେ ଏବେ ବିଜେପିର ଲକ୍ଷ୍ୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ। ନିର୍ବାଚନକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି କେନ୍ଦ୍ର ଗୃହଗନ୍ତ୍ରୀ ଅମିତ ଶାହ।

ତେବେ, ୨୦୧୯ ଝାଡ଼ଖଣ୍ଡ ବିଧାନସଭା ବିଜେପି ପାଇଁ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି। କାରଣ ଏଥର ବିଧାନସଭା ନିର୍ବାଚନରେ ବିଜେପି ଏକାକି ହୋଇ ଲଢୁଥିବାବେଳେ ବିପକ୍ଷରେ ଏକାଠି ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମେଣ୍ଟ।

କିଛି ଦିନ ତଳେ ବିଜେପି ସହ ଲୋକ ଜନଶକ୍ତି ପାର୍ଟି ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲା। ସେହିପରି ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ୍ ମଧ୍ୟ ଏଥର ଏକାକି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଫଳରେ ଏଥର ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛି।

ନଭେମ୍ବର ୩୦ ତାରିଖରୁ ରାଜ୍ୟରେ ନିର୍ବାଚନ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଏହାକୁ ନେଇ ସବୁ ଦଳ ମଧ୍ୟରେ ଏବେ ଅଙ୍କ କଷାକଷି ଆରମ୍ଭ ହୋଇଯାଇଛି। ଅମିତ ଶାହ ଶୁକ୍ରବାର ତାଙ୍କ ନିର୍ବାଚନ ପ୍ରଚାରରେ ରାମମନ୍ଦିର ନିର୍ମାଣ, ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟରେ ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ଆଦିକୁ ପ୍ରସଙ୍ଗକୁ ଉଠାଇଥିଲେ। ତେଣୁ, ଏହି ସମସ୍ତ ବିଷୟକୁ ନେଇ ଏଥର ରାଜ୍ୟରେ ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ମେଣ୍ଟ ମଧ୍ୟ ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିବାକୁ ଲକ୍ଷ୍ୟ ରଖିଛି।

ଝାଡ଼ଖଣ୍ଡରେ ପଛୁଆ ବର୍ଗଙ୍କୁ ୧୪ ପ୍ରତିଶତ ସଂରକ୍ଷଣ ମିଳୁଛି। ଏହାକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରତ୍ୟେକ ଦଳ ନିର୍ବାଚନରେ ଲୋକଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି। ଏହାସହ ରାଜ୍ୟରେ ୩୦ ପ୍ରତିଶତରୁ ଅଧିକ ଭୋଟର ଆଦିବାସୀ ସଂପ୍ରଦାୟର ହୋଇଥିବା କାରଣରୁ ଏହି ପ୍ରସଙ୍ଗକୁ ନେଇ ଝାଡ଼ଖଣ୍ଡ ରାଜନୀତି ଜୋର ଧରିଛି।

ଗତ ୨୦୧୪ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିକୁ ୩୭ଟି ଆସନ ମିଳିଥିଲା।  ତା’ସହ ବିଜେପି ସହଯୋଗୀ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନକୁ ୫ଟି ସିଟ୍ ମିଳିଥିଲା। ଫଳରେ ଅତି ସହଜରେ ବିଜେପି ବିଧାନସଭାରେ ବହୁମତ ଦେଖାଇ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।

୨୦୧୫ରେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ୬ଜଣ ବିଧାୟକ ବିଜେପି ସହ ଯୋଗ ଦେଇଥିଲା। ଯାହା ସରକାରକୁ ଆହୁରି ମଜବୁତ୍ କରିଥିଲା। ତେବେ ଏଥର ବିଜେପି ବିନା କୌଣସି ଦଳ ସାହାଯ୍ୟରେ ନିର୍ବାଚନ ଲଢ଼ିବାକୁ ଯାଉଛି। ଯାହା ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ହେବ।

Comment