ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ଗୋଟିଏ ପଟରେ ସରକାର ପୋଲିସକୁ ଉତ୍ତମ ବ୍ୟବହାରର ପାଠ ଶିଖାଉଥିବା ବେଳେ ଅନ୍ୟ ପଟରେ ପୋଲିସର ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି। ପୁରୀ ସିଂହଦ୍ଵାର ସମ୍ମୁଖରେ କିଛି ମହିଳାଙ୍କୁ ଡ୍ୟୁଟିରେ ଥିବା ପୁରୁଷ ପୋଲିସମାନେ ମାଡ଼ ମାରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଭିଡିଓଟିରେ ଦେଖାଯାଇଛି ଯେ, ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଲମ୍ଵା ଲାଇନ ଲାଗିଛି। ସେଠାରେ ମହିଳା ପୋଲିସ ମଧ୍ୟ ଉପସ୍ଥିତ ଅଛନ୍ତି। ଭିଡ଼ ଅଧିକ ହେବାରୁ ଠେଲାପେଲା ହୋଇଥିଲା। ତେଣୁ ଜଣେ ପୁରୁଷ ପୋଲିସ୍‌ ଭିଡ଼ରେ ପଶି ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ ଠେଲାପେଲା କରିଥିଲେ। ପରେ ଜଣେ ମହିଳା ପାଟିତୁଣ୍ଡ କରିବା ସହ ବ୍ୟାରକେଡ ଡେଇଁବାକୁ ଚେଷ୍ଟା କରିଥିଲେ।

ପରେ ମହିଳା ଜଣକଙ୍କୁ ଅଟକାଇବାକୁ ଯାଇ ପୋଲିସ ତାଙ୍କ ହାତକୁ ଧରି ପକାଇଥିଲେ। ଏଥିରେ ମହିଳା ଜଣକ ବସି ପଡ଼ିଥିଲେ। ପରେ ପୋଲିସ ତାଙ୍କୁ ଗୋଇଠା ବିଧା ମାଡ଼ ମାରିଥିଲେ। ଏହାର ଭିଡିଓ ଭଆଇରାଲ ହେବା ପରେ ଏହା ବର୍ତ୍ତମାନ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଇରାଲ ଭିଡିଓ କେଉଁଦିନର ତାହା ସ୍ପଷ୍ଟ ଜଣାପଡି ନାହିଁ। କିନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ସମୟର ଏହା ଦୃଶ୍ୟ ବୋଲି ଅନୁମାନ କରାଯାଉଛି। ନିକଟରେ ଶେଷ ହୋଇଛି ପଞ୍ଚକ। ପଞ୍ଚକର ଶେଷ ଦିନ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଭୋର ସମୟର ଏହା ହୋଇଥାଇପାରେ ବୋଲି କୁହାଯାଉଛି।

Comment