ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବାହାରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିକ୍ଷା ଅନୁଷ୍ଠାନରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିଛନ୍ତି। ଏହି କ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ପ୍ରତିଷ୍ଠା କରାଯାଇଛି।

ବିଶ୍ୱବିଦ୍ୟାଳୟର ଭାରତୀୟ ଭାଷା ବିଭାଗ ଅଧୀନରେ ଥିବା ଏହି ଚେୟାରରେ ପ୍ରଫେସର/ ଆସୋସିଏଟ୍‌ ପ୍ରଫେସର/ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ରେଜିଷ୍ଟ୍ରାର (ରିକ୍ରୁଇଟ୍‌ମେଣ୍ଟ ସେଲ୍‌), ହୋଲକର୍‌ ହାଉସ୍‌, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରଣାସୀ ଠିକଣାରେ ବାୟୋଡାଟା ପଠାଇପାରିବେ। ଏଥିପାଇଁ ଡିସେମ୍ବର ୬ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଏନେଇ ସବିଶେଷ ସୂଚନା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ http://www.bhu.ac.in/ ମାଧ୍ୟମରେ ମିଳିପାରିବ।

ପ୍ରଫେସର

ଏଥିପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଓଡ଼ିଆ ଭାଷାରେ ପିଏଚ୍‌ଡି ଲାଭ କରିଥିବା ଆବଶ୍ୟକ। ସେହିପରି ୟୁଜିସି ତାଲିକାଭୁକ୍ତ ଜର୍ଣ୍ଣାଲରେ ତାଙ୍କର ୧୦ରୁ ଅଧିକ ଗବେଷଣାମୂଳକ ପ୍ରକାଶନ ରହିଥିବା ଦରକାର। ଏଥିସହିତ ତାଙ୍କର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ଭାବେ ସରକାରୀ ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରେ ଅନୂନ୍ୟ ୧୦ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ଥିବା ଆବଶ୍ୟକ। ସେହିପରି ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ଆବଶ୍ୟକ ଅଭିଜ୍ଞତା ଥିବା ଦରକାର।

ଏହି ପଦବୀ ପାଇଁ ମାସିକ ୧ ଲକ୍ଷ ୫୦ ହଜାର ଟଙ୍କା ଦରମା ରହିଛି।

ଆସୋସିଏଟ୍‌ ପ୍ରଫେସର

ପ୍ରାର୍ଥୀଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତ କ୍ୟାରିୟର ଥିବା ସହ ଓଡ଼ିଆ ଭାଷାରେ ପିଏଚ୍‌ଡି ଲାଭ କରିଥିବା ଆବଶ୍ୟକ। ୫୫ ପ୍ରତିଶତରୁ ଅଧିକ ମାର୍କ ରଖି ସ୍ନାତକୋତ୍ତର ଉତ୍ତୀର୍ଣ୍ଣ କରିଥିବା ଆବଶ୍ୟକ। ସେହିପରି ତାଙ୍କର ଶିକ୍ଷାଦାନ କ୍ଷେତ୍ରରେ ଅନ୍ୟୂନ ୮ ବର୍ଷର ଅଭିଜ୍ଞତା ରହିଥିବ।

ଅନ୍ୟପକ୍ଷରେ ୟୁଜିସି ତାଲିକାଭୁକ୍ତ ଜର୍ଣ୍ଣାଲରେ ତାଙ୍କର ୭ଟିରୁ ଅଧିକ ଗବେଷଣାମୂଳକ ଲେଖା ପ୍ରକାଶ ପାଇଥିବା ଦରକାର। ଇଂରାଜୀ ଭାଷାରେ ମଧ୍ୟ ଅଭିଜ୍ଞତା ଥିବା ଦରକାର।

ଏହି ପଦବୀ ପାଇଁ ମାସିକ ରହିଛି ୧ ଲକ୍ଷ ଟଙ୍କା ଦରମା।

ଆସିଷ୍ଟାଣ୍ଟ ପ୍ରଫେସର

ପ୍ରାର୍ଥୀ ଓଡ଼ିଆ ଭାଷାରେ ସ୍ନାତକୋତ୍ତରେ ୫୫ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହିତ ପିଏଚ୍‌ଡି କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀ NET କିମ୍ବା ସେହି ସ୍ତରର କୌଣସି ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। ତା’ସହିତ ଶିକ୍ଷାଦାନ କ୍ଷେତ୍ରରେ ପ୍ରାର୍ଥୀଙ୍କ ଯଥେଷ୍ଟ ଅଭିଜ୍ଞତା ରହିଥିବା ଦରକାର।

ଆସୋସିଏଟ୍ ପ୍ରଫେସର ପଦ ପାଇଁ ମାସିକ ୧ ଲକ୍ଷ ଟଙ୍କା ଦରମା ରହିଛି।

Lokaseva Bhawan

ବିଜ୍ଞାପନରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି କୌଣସି ଅବସରପ୍ରାପ୍ତ ବ୍ୟକ୍ତି ଏହି ପଦବୀରେ ନିଯୁକ୍ତି ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ତାଙ୍କ ସାମିକ ଦରମା ଏକ ଲକ୍ଷ ଟଙ୍କାରେ ସୀମିତ ରହିବ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚେୟାର ପ୍ରତିଷ୍ଠା ଲାଗି ଓଡ଼ିଶା ସରକାର ବିଶ୍ୱବିଦ୍ୟାଳୟ ସହ ଏକ ବୁଝାମଣା ସ୍ୱାକ୍ଷର କରିଛନ୍ତି। ପ୍ରତି ୫ ବର୍ଷରେ ଏହି ଚୁକ୍ତିର ନବୀକରଣ ହୋଇପାରିବ। ଏହି ଚେୟାର ବାବଦରେ ସମ୍ପୃକ୍ତ ପ୍ରଫେସର ବା ଅଧ୍ୟାପକଙ୍କ ଦରମା ବାବଦରେ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ।

Comment