ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର ବଜେଟର ମାତ୍ର ୩୭ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି।
ବଜେଟ୍ ବ୍ୟୟବରାଦ ଖର୍ଚ୍ଚରେ ପଛରେ ପଡ଼ିଛନ୍ତି ରାଜ୍ୟ ସରକାର। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବଜେଟର ମାତ୍ର ୩୭ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି।
ସୋମବାର ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ଭୂପିନ୍ଦର ସିଂହ ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ବ୍ୟୟବରାଦ ଖର୍ଚ୍ଚକୁ ନେଇ ପ୍ରଶ୍ନ କରିଥିଲେ। ଭୂପିନ୍ଦର ଏହି ସମୟରେ କହିଥିଲେ ଯେ, ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର ବଜେଟର ୬୦ପ୍ରତିଶତ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲେ। ତେବେ ସେପ୍ଟେମ୍ବର ସୁଦ୍ଧା ମାତ୍ର ୩୭ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି। ଏନେଇ ଅର୍ଥମନ୍ତ୍ରୀ ନିଜର ଉତ୍ତର ରଖନ୍ତୁ ବୋଲି ଭୂପିନ୍ଦର ସିଂହ କହିଥିଲେ।
ଏହାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି, “ଚଳିତ ବର୍ଷ ଆରମ୍ଭରେ ନିର୍ବାଚନ ଆଚରଣ ବିଧି ଓ ତା’ପରେ ପରେ ଫନି, ବୁଲବୁଲ୍ ଆସିବା କାରଣରୁ ବଜେଟ୍ ଅର୍ଥକୁ ସଠିକ୍ ଭାବେ ଖର୍ଚ୍ଚ କରାଯାଇପାରିନାହିଁ। ଆସନ୍ତା ଛଅମାସ ମଧ୍ୟରେ ବଜେଟର ସମସ୍ତ ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିବେ।”
ଚଳିତ ବର୍ଷର ରାଜ୍ୟପାଇଁ ୧ ଲକ୍ଷ ୪୬ହଜାର ୬୦୯ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ସେପ୍ଟେମ୍ବର ଶେଷ ସୁଦ୍ଧା ମାତ୍ର ୫୩ ହଜାର ୨୬୫ କୋଟି ଟଙ୍କା ଯାହାକି ବଜେଟର ମାତ୍ର ୩୭ ପ୍ରତିଶତ ତାହା ଖର୍ଚ୍ଚ ହୋଇଛି।