ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅଜିତ ପାୱାର ଓ ଶରଦ ପାୱାରଙ୍କ ଭିତରେ ଯେଉଁ କ୍ଷମତା ଯୁଦ୍ଧ ଲାଗିଛି ତାହାର ଆଉ ଏକ ଦିଗ ବି ରହିଛି। ମରାଠା ରାଜନୀତିରେ ସମସ୍ତଙ୍କୁ ଏବିସିଡି ପଢ଼ାଉଥିବା ନିଜ ଦାଦା ଓ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରି ଅଜିତ ହୁଏତ ରାଜନୀତିକୁ ଉଠାପକା କରୁଛନ୍ତି। କିନ୍ତୁ ତା’ ସତ୍ତ୍ୱେ ଅଜିତଙ୍କୁ ଶରଦ ଦଳରୁ ବାହାର କରି ପାରୁନାହାନ୍ତି।

ଦଳ ଭିତରେ ଫାଟ ସୃଷ୍ଟି କରିବାର ଚାରି ଦିନ ବିତି ଯାଇଥିଲେ ହେଁ ଅଜିତ ସେହିଭଳି ଦଳ ଭିତରେ ବନି ରହିଛନ୍ତି ଓ ଉପମୁଖ୍ୟମନ୍ତ୍ରୀ ପଦକୁ ଉପଭୋଗ କରିବା ଦେଖାଯାଉଛି। ଅଜିତଙ୍କୁ ବହିଷ୍କାର କରିବା ତ ଦୂରର କଥା ତାଙ୍କୁ ବୁଝାଇବା ପାଇଁ ଅହରହ ଉଦ୍ୟମ ଜାରି ରହିଛି। ତାଙ୍କୁ ବୁଝାଇବା ସକାଶେ ଦଳର ବରିଷ୍ଠ ନେତା ଛଗନ ଭୁଜବଳ ବି ଥରେ ଅଧେ ଯାଇଥିବା ଜଣାପଡ଼ିଛି।

ରାଜନୀତି ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଶରଦ ପାୱାର ଏହା ଦ୍ୱାରା ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଚାହୁଁଛନ୍ତି। ଏନ୍‌ସିପିର ଦୁଇ ଗୋଷ୍ଠୀ ପଛରେ କେତେ ଜଣ ବିଧାୟକଙ୍କ ସମର୍ଥନ ଅଛି ତାହା ସ୍ପଷ୍ଟ ହେଉନାହିଁ। କିନ୍ତୁ ଶରଦ ପାୱାର ଚାହୁଁଛନ୍ତି ଅଜିତ ଘରକୁ ଫେରି ଆସନ୍ତୁ ଓ ଦଳର ଏକତା ବଜାୟ ରହୁ। ଯଦି ଅଜିତ ମାନିଯା’ନ୍ତି ତେବେ ବିଜେପିକୁ ଶକ୍ତ ଚାପୁଡ଼ା ହେବ ବୋଲି ପାୱାର ଭାବୁଛନ୍ତି।

ବହିଷ୍କାର ନ କରିବା ପଛରେ ଦ୍ୱିତୀୟ କାରଣ ହେଲା ଯଦି ଶରଦ ପାୱାର ଅଜିତଙ୍କୁ ଦଳରୁ ବାହାର କରି ଦେଉଛନ୍ତି ତେବେ ଦଳର ବିଧାୟକଙ୍କ ସଂଖ୍ୟା ଗୋଟିଏ କମିଯିବ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସେଭଳି କ୍ଷତି ସାଧନ କରିବା ଭଳି ପଦକ୍ଷେପ ନେବାକୁ ଇଛା ପ୍ରକାଶ କରୁନାହାନ୍ତି ଶରଦ ପାୱାର। ସେ ଚାହୁଁଛନ୍ତି ଅଜିତ ନିଜ ଆଡ଼ୁ ଦଳ ଛାଡ଼ନ୍ତୁ ଓ ତା’ପରେ ତାଙ୍କୁ ବହିଷ୍କାର କରାଯିବ। ଏହା ଦ୍ୱାରା ଅଜିତ ବିଧାୟକ ପଦ ହରାଇବେ ଓ ରାଜନୀତିର ଚାରି ପାଞ୍ଜିରୁ ଯିବେ।

Comment