ଭାସ୍କର ପରିଚ୍ଛା

ଆସନ୍ତାକାଲି ସନ୍ଧ୍ୟା ୫ ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶଙ୍କୁ ସମୟ ଦେବା ପରେ ମୁମ୍ବାଇରେ ରାଜନୈତିକ ଗତିବିଧି ଖୁବ୍ ବଢିଯାଇଛି। ବର୍ତ୍ତମାନର ବଡ଼ ପ୍ରଶ୍ନ ହେଉଛି ଫଡ୍‌ନାଭିଶ ମ୍ୟାଜିକ ସଂଖ୍ୟା ୧୪୫ ହାସଲ କରି ପାରିବେ କି?

ବିପକ୍ଷ ଅର୍ଥାତ କଂଗ୍ରେସ-ଏନସିପି-ଶିବସେନା ମେଣ୍ଟ ଦାବି କରୁଛି ଯେ, ମେଣ୍ଟ ପଛରେ ୧୬୨ ବିଧାୟକଙ୍କ ସମର୍ଥନ ରହିଛି। ଏଣେ ୧୦୫ ବିଧାୟକ ବିଶିଷ୍ଟ ବିଜେପି କହୁଛି ଯେ ଅଜିତ ପାୱାରଙ୍କ ସମର୍ଥନରେ ସରକାର ଆସ୍ଥା ଭୋଟରେ ଜିତି ଯାଇପାରିବ। ଆସନ୍ତୁ ଏବେ ଦେଖିବା ଆସନ୍ତାକାଲି ଫଡ୍‌ନାଭିଶ କେଉଁ ପରିସ୍ଥିତିରେ ନିଜ ଚୌକିକୁ ବଞ୍ଚାଇ ପାରିବେ। ବହୁମତ ପରୀକ୍ଷା ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ୪ଟି ସମ୍ଭାବ୍ୟ ଚିତ୍ର ସାମ୍ନାକୁ ଆସୁଛି।

ଦୃଶ୍ୟପଟ ୧

ଏନ୍‌ସିପିର ମୋଟ ବିଧାୟକ ସଂଖ୍ୟା ହେଉଛି ୫୪। ଦଳବଦଳ ଆଇନ ଅନୁଯାୟୀ ଅଲଗା ଗୋଷ୍ଠୀର ମାନ୍ୟତା ପାଇବାକୁ ହେଲେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହି ଅଙ୍କରେ ଅଜିତ ପାୱାରଙ୍କୁ ୩୬ ବିଧାୟକଙ୍କ ସମର୍ଥନ ଦରକାର ପଡ଼ିବ। ଯଦି ସେତିକି କିମ୍ବା ତା’ଠାରୁ ଅଧିକ ବିଧାୟକଙ୍କ ସମର୍ଥନ ସେ ପାଉଛନ୍ତି ତେବେ ନୂଆ ଦଳ ଗଠନ ପାଇଁ କିଛି ଅସୁବିଧା ହେବ ନାହିଁ। ଯଦି ଏହି ସଂଖ୍ୟା ତାଙ୍କୁ ନମିଳୁଛି ଯେଉଁମାନେ ଅଜିତଙ୍କ ସହିତ ରହିବେ ସେମାନେ ବିଧାୟକ ପଦ ହରାଇବେ। ଏନସିପି ବ୍ୟତୀତ ସ୍ୱାଧୀନ ୧୩ ବିଧାୟଙ୍କ ସମର୍ଥନ ଅଛି ବୋଲି ବିଜେପି ଆଗରୁ ଦାବି କରିସାରିଛି। ଏହି ସ୍ୱାଧୀନ ସଦସ୍ୟ ହେଉଛନ୍ତି ଶିବସେନା ଓ ବିଜେପିର ଅସନ୍ତୁଷ୍ଟ ନେତା ଯେଉଁମାନେ ନିର୍ଦ୍ଦଳୀୟ ନିର୍ବାଚିତ ହୋଇଛନ୍ତି। ଏହିଭଳି ଦେଖିବାକୁ ଗଲେ ୧୦୫+୩୬+୧୩ =୧୫୪। ଫଡ୍‌ନାଭିଶ ସରକାର ବର୍ତ୍ତି ଯାଇପାରେ।

ଦୃଶ୍ୟପଟ ୨

ଗୃହରେ ଭୋଟ୍‌ ବେଳେ ଯଦି ବିପକ୍ଷର କିଛି ବିଧାୟକ ଗୃହରୁ ଗାଏବ ହୋଇଯାଆନ୍ତି ତାହା ଫଡନାଭିଶଙ୍କୁ ସହଜ ହେବ ଓ ସେ ଆସ୍ଥା ଭୋଟ ଜିତିଯାଇପାରିବେ। ଏହି ସ୍ଥିତିରେ ମଧ୍ୟବର୍ତ୍ତୀ କାଳୀନ ବାଚସ୍ପତି ବା ପ୍ରୋଟେମ ସ୍ପିକରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ପ୍ରକୃତରେ କିଛି ବିଧାୟକ ଗୃହରେ ଅନୁପସ୍ଥିତ ରହନ୍ତି ମ୍ୟାଜିକ ସଂଖ୍ୟା ଆପେ ଆପେ ହ୍ରାସ ପାଇବ ଓ ସରକାର ବର୍ତ୍ତି ଯାଇପାରିବ। ୨୮୮ ବିଧାୟକ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଚାରି ବଡ଼ ଦଳକୁ ଛାଡ଼ିଦେଲେ ଅନ୍ୟାନ୍ୟ ୨୮ ସଦସ୍ୟ ଅଛନ୍ତି। ତେବେ ବୁଧବାର ସକାଳେ ଦଳମାନଙ୍କ ରଣନୀତି କ’ଣ ହେବ ତାହା ଦେଖିବାକୁ ପଡ଼ିବ। ଯଦି କିଛି ବିଧାୟକ ଫେରାର ହୋଇଯାଆନ୍ତି ୧୦୫+୧୩+ଅନ୍ୟାନ୍ୟ ମିଶିଲେ ୧୪୫ ସଂଖ୍ୟା ସହଜରେ ଛୁଇଁ ହେବ।

ଦୃଶ୍ୟପଟ ୩

ଅନ୍ୟ ଏକ ସମ୍ଭାବନା ରହିଛି ଶିବସେନା ବିଭାଜିତ ହୋଇ ଯାଇପାରେ। ବିଜେପି ଯଦି ଲାଗିପାତି କିଛି ଶିବସେନା ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ କହିବ ଓ ସେମାନେ ବିଜେପି କଥା ମାନିଯିବେ ତେବେ ବି ଫଡନାଭିଶ ସରକାର ବଞ୍ଚି ଯାଇପାରିବ। ମୂଳ କଥା ହେଉଛି ଭୋଟ ବେଳେ ବିଧାୟକଙ୍କ ସଂଖ୍ୟା ଯେତିକି  ହ୍ରାସ ପାଇବ ଫଡନାଭିଶଙ୍କୁ ସେତେ ଫାଇଦା। ଗତ କିଛି ଦିନ ଧରି ବିଜେପିର ତୁଙ୍ଗ ନେତା କ୍ଷୀଣ ସ୍ୱରରେ କହିଆସୁଛନ୍ତି ଯେ, ଶିବସେନାର କିଛି ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି।

ଦୃଶ୍ୟପଟ ୪

କଂଗ୍ରେସର କିଛି ବିଧାୟକ ଯଦି ବିଜେପିରେ ସାମିଲ ହୋଇଯାଆନ୍ତି। କଂଗ୍ରେସର ମୋଟ୍‌ ୪୪ ବିଧାୟକ ଅଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ ବଡ଼ ଗୋଷ୍ଠୀ ଯଦି ବିଜେପିକୁ ଡିଆଁ ମାରନ୍ତି ତେବେ ଫଡନାଭିଶଙ୍କ ସଂଖ୍ୟା ଆପଣା ଛାଏଁ ବଢ଼ିଯିବ ଓ ବିଶ୍ୱାସ ଭୋଟରେ ସେ ସଫଳ ହୋଇଯାଇପାରିବେ।

ତେବେ ଏହି ଚାରୋଟି ଯାକ ବିକଳ୍ପ ଭିତରୁ କେବଳ ଦ୍ୱିତୀୟ ବିକଳ୍ପଟି ହିଁ ବାସ୍ତବ ମନେ ହେଉଛି। ଯଦି ତାହା ହୁଏ ମାମଲା ପୁଣି ସୁପ୍ରିମକୋର୍ଟ ଯିବାର ସମ୍ଭାବନାକୁ ବି ଏଡ଼ାଇ ହେବ ନାହିଁ।

Comment