ଓଡ଼ିଶାଲାଇଭ୍ ବ୍ୟୁରୋ
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ମନ୍ତ୍ରୀ ସରକାରୀ ଖର୍ଚ୍ଚରେ ଦୁଇ ମହିଳା ବନ୍ଧୁଙ୍କୁ ନେଇ ହାଇଦ୍ରାବାଦ ଯାଇଥିବା କଂଗ୍ରେସ ଅଭିଯୋଗ କରିଛି।
ବୁଧବାର ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି। ସତ୍ୟ ପ୍ରକାଶ କହିଛନ୍ତି ଯେ, ହାଇଦ୍ରାବାଦରେ ହୋଇଥିବା ଓଡ଼ିଶା ଟୁରିଜିମ୍ ରୋଡ ସୋ’ରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କ ସହ ଦୁଇ ମହିଳା ବନ୍ଧୁଙ୍କୁ ନେଇଯାଇଥିଲେ। ଏହି ଦୁଇ ମହିଳାଙ୍କ ବିମାନରେ ଯିବା ଆସିବା ଖର୍ଚ୍ଚଠୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ରହିବା ପର୍ଯ୍ୟନ୍ତ ସମସ୍ତ ଅର୍ଥ ସରକାରୀ ରାଜକୋଷରୁ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ।
ଏହାସହ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ମହିଳାମାନଙ୍କ ଓଡ଼ିଶା ପର୍ଯ୍ୟଟନ୍ ଓ ସଂସ୍କୃତ ପ୍ରତି ଅବଦାନ କ’ଣ? କ’ଣ ପାଇଁ ମନ୍ତ୍ରୀ ତାଙ୍କ ସହ ଏହି ମହିଳାମାନଙ୍କୁ ନେଇ ଯାଇଥିଲେ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ତେବେ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କୌଣସି ଉତ୍ତର ରଖିନାହାନ୍ତି।


















