ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ, କୋଣାର୍କ ଓ ଚନ୍ଦ୍ରଭାଗାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ‘କୋଣାର୍କ ଇକୋ ରିଟ୍ରିଟ୍’। ଏହି ରିଟ୍ରିଟ୍ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବ।

ପୁରୀ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ଡିସେମ୍ବର ୧୪ ତାରିଖରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ଗୋଟେ ମାସ ଧରି ଆୟୋଜିତ ହେବ ଏହି ଉତ୍ସବ। ଏହି ଫେଷ୍ଟିଭାଲରେ ବିଳାସପୂର୍ଣ୍ଣ ଟେଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥ୍ରୀ-ଡି ମ୍ୟାପିଙ୍ଗ୍, ଫୁଡ୍ ଫେଷ୍ଟିଭାଲ, ରୋମାଞ୍ଚକର କ୍ରୀଡ଼ା, ଜଳକ୍ରୀଡ଼ା ଭଳି ଆନ୍ତର୍ଜାତିକ ମାନର ବ୍ୟବସ୍ଥା କରାଯିବ। ଏଥିପାଇଁ କୋଣାର୍କ ନିକଟସ୍ଥ ସମୁଦ୍ର କୂଳରେ ସୁନ୍ଦର ସୁନ୍ଦର ୫୦ଟି ବିଳାସପୂର୍ଣ୍ଣ କଟେଜ୍ ନିର୍ମାଣ କରାଯାଇଛି।

କଟେଜ୍‌ରେ ପାଣି, ବିଜୁଳି ସୁବିଧା ସାଙ୍ଗକୁ ଗାଡ଼ି ପାର୍କିଂ ପାଇଁ ସ୍ଥାନ ରଖାଯାଇଛି। ପରିବେଶକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ପୂରା ଅଞ୍ଚଳରେ ଆଲୋକ ବ୍ୟବସ୍ଥା ସାଙ୍ଗକୁ ସାଜସଜା କରାଯାଉଛି। ଏହି ଉତ୍ସବରେ ଓଡ଼ିଶାର ସୁସ୍ୱାଦୁ ଖାଦ୍ୟ ସମେତ ବିଦେଶୀ ଖାଦ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ।

ଏଭଳି ଇକୋ ରିଟ୍ରିଟ୍ ଆୟୋଜନ କରିବା ଫଳରେ ପୁରୀ, କୋଣାର୍କ ଏବଂ ଚନ୍ଦ୍ରଭାଗା ପର୍ଯ୍ୟଟନସ୍ଥଳର ଆକର୍ଷଣ ବଢ଼ିବ ଏବଂ ଏଠାରେ ପର୍ଯ୍ୟଟକମାନେ ଅଧିକ ଦିନ ରହି ପାଖାପାଖି ସ୍ଥାନଗୁଡ଼ିକ ବୁଲି ଦେଖିବାର ସଯୋଗ ପାଇବେ।

ପ୍ରଥମଥର ଲାଗି ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏପରି ଏକ ସୁନ୍ଦର ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’ର ଆୟୋଜନ କରୁଥିବାରୁ ଏହା ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳରେ ରହିବାର ସୁନ୍ଦର ତଥା ସୁଖଦ ଅନୁଭୂତି ଦେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here