ଓଡ଼ିଶାଲାଇଭ୍‌ ବିଜ୍‌ନେସ୍ ବ୍ୟୁରୋ

  • ଭୁବନେଶ୍ୱରରେ ଫ୍ରାଞ୍ଚାଇଜି ଖୋଜୁଛି କମ୍ପାନି
  • ଡିଜିଟାଲ୍‌ ମାର୍କେଟିଂରେ ଛଅ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମ
  • ବର୍ଷିକିଆ ମାଷ୍ଟର ପାଠ୍ୟକ୍ରମ ମଧ୍ୟ ରହିଛି
  • ମୁମ୍ବାଇ, ହାଇଦ୍ରାବାଦ, ଜୟପୁର ଓ ଅହମ୍ମଦାବାଦରେ ଖୋଲିବ
  • ଡିଜିଟାଲ୍‌ ମାର୍କେଟିଂରେ ଆଗକୁ ଆସୁଛି ଭଲ ନିଯୁକ୍ତି ସୁଯୋଗ

କୋଲକାତାସ୍ଥିତ ଡିଜିଟାଲ୍‌ ମାର୍କେଟିଂ ତାଲିମ ଶିକ୍ଷାନୁଷ୍ଠାନ ଏନ୍‌ଆଇଏଚ୍‌ଟି ଏବେ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି। ଏଥିପାଇଁ କମ୍ପାନି ଫ୍ରାଞ୍ଚାଇଜି ଖୋଜୁଛି। ଏହି ସଂସ୍ଥା ଡିଜିଟାଲ୍ ମାର୍କେଟିଂରେ ଛଅ ମାସିଆ ସାର୍ଟିଫିକେଟ୍‌ ପାଠ୍ୟକ୍ରମ ଏବଂ ବର୍ଷିକିଆ ମାଷ୍ଟର ପାଠ୍ୟକ୍ରମ ପ୍ରଦାନ କରୁଛି।

ଆଜିର ଡିଜିଟାଲ୍‌ ଏବଂ ମୋବାଇଲ୍‌ ଯୁଗରେ ବ୍ରାଣ୍ଡିଂ ଓ ଆଡଭର୍ଟାଇଜିଂର ଧାରା ବଦଳିବାକୁ ବସିଛି। ଖବରକାଗଜ, ରେଡିଓ, ଟେଲିଭିଜନ ପରେ ଏବେ ୱେବ୍‌ ଏବଂ ସୋସିଆଲ୍‌ ମିଡିଆ ହୋଇଛି ବିଜ୍ଞାପନର ବିରାଟ ବଜାର। ବିଶେଷକରି ସ୍ମାର୍ଟ ଫୋନ୍‌ର ପ୍ରସାର ଏବଂ ମୋବାଇଲ୍‌ ଆପ୍ଲିକେସନ୍‌ର ବହୁଳ ବ୍ୟବହାର ଫଳରେ ଡିଜିଟାଲ୍‌ ମିଡିଆରେ ବିଜ୍ଞାପନ ଏକ ସର୍ବୋକୃଷ୍ଟ ଏବଂ ଭବିଷ୍ୟତର ମାଧ୍ୟମ ଭାବେ ରୂପ ନେଇଛି।

କୌଣସି କମ୍ପାନିର ବ୍ରାଣ୍ଡିଂ ହେଉ କିମ୍ବା କୌଣସି ପ୍ରଡକ୍ଟ ବା ସର୍ଭିସ୍‌ର ବିଜ୍ଞାପନ, ଏସବୁର ପ୍ରଚାର ଓ ପ୍ରସାର ପାଇଁ ଆଜି ଗୁଗୁଲ୍‌ ସହିତ ୟୁଟ୍ୟୁବ୍‌ ଓ ଫେସ୍‌ବୁକ୍‌ ଭଳି ଲୋକପ୍ରିୟ ସୋସିଆଲ୍‌ ମିଡିଆ ବ୍ୟବହାର କରାଯାଉଛି। ତେବେ ଏହିସବୁ ଡିଜିଟାଲ୍‌ ମିଡିଆରେ ମାର୍କେଟିଂର ସଫଳତା ପଛରେ ରହିଛି ଡିଜିଟାଲ୍‌ ଟେକ୍ନୋଲୋଜି ଏବଂ ଷ୍ଟ୍ରାଟେଜି। ତେଣୁ ଏହା ଆଜି ଏକ ଆକର୍ଷଣୀୟ ଶିକ୍ଷା ଓ ତାଲିମର ବିଷୟ ଭାବେ ଗଢ଼ିଉଠିଛି।

କଲିକତାରେ ଏନ୍‌ଆଇଏଚ୍‌ଟିର ଦୁଇଟି ଟ୍ରେନିଂ ସେଣ୍ଟର ରହିଛି। ସେଠାରେ ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଶିକ୍ଷା ନେଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଇଞ୍ଜିନିୟରିଂ ଏବଂ ଏମ୍‌ଡିଏ ପାସ୍‌ଆଉଟ୍‌ ରହିଛନ୍ତି। ଡିଜିଟାଲ୍‌ ମାର୍କେଟିଂରେ ସାର୍ଟିଫିକେଟ୍ ଏବଂ ଦକ୍ଷତା ସେମାନଙ୍କ ନିଯୁକ୍ତି ସମ୍ଭାବନାକୁ ବଢ଼ାଇପାରୁଛି ବୋଲି କହିଛନ୍ତି ଏନ୍‌ଆଇଏଚ୍‌ଟିର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଅଂଶୁମାନ ସେଟ୍।

୨୦୧୪ ମସିହାରୁ ଏନ୍‌ଆଇଏଚ୍‌ଟି କଲିକତାରେ ଡିଜିଟାଲ୍‌ ମାର୍କେଟିଂ ପାଠ୍ୟକ୍ରମ ଚଲାଇଆସୁଛି। ଏହି ସଂସ୍ଥା ଗୁଗୁଲ୍‌ ବ୍ୟାଜ୍‌ ପାର୍ଟନର୍‌ସିପ୍‌ ପାଇପାରିଛି। ସେହିଭଳି ଆୟରଲ୍ୟାଣ୍ଡର ଡବ୍‌ଲିନ୍‌ ସହରରେ ଥିବା ଜଣାଶୁଣା ଡିଜିଟାଲ୍ ମାର୍କେଟିଂ ଶିକ୍ଷାନୁଷ୍ଠାନ ଡିଏମ୍‌ଆଇ ସହ ଅନୁବନ୍ଧନରେ ଏହି ସଂସ୍ଥା ଦୁଇଟି ପାଠ୍ୟକ୍ରମ ପାଇଁ ସାର୍ଟିଫିକେଟ୍ ଦେଉଛି।

ଭୁବନେଶ୍ୱରରେ ଫ୍ରାଞ୍ଚାଇଜି ଖୋଜୁଛି ଏନ୍ଆଇଏଚ୍ଟି

ଏହି ସଂସ୍ଥା ଭୁବନେଶ୍ୱରରେ ଡିଜିଟାଲ୍‌ ମାର୍କେଟିଂ ତାଲିମ କେନ୍ଦ୍ର ଖୋଲିବା ପାଇଁ ଫ୍ରାଞ୍ଚାଇଜି ଖୋଜୁଛି। ଏଥିପାଇଁ ସ୍ଥାନୀୟ ପାର୍ଟନର୍‌ ସଂସ୍ଥା ପାଖରେ ଆବଶ୍ୟକ ଭିତ୍ତିଭୂମି ଥିବା ଦରକାର।

ଫ୍ରାଞ୍ଚାଇଜି ପାର୍ଟନର୍‌ଙ୍କୁ ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କାର ଫି’ ଦେବାକୁ ପଡ଼ିବ। ସେହିପରି ଅନ୍‌ଲାଇନ୍‌ ବିଜ୍ଞାପନ ଖର୍ଚ୍ଚ ବାବଦରେ ୫୦% ପାର୍ଟନର୍‌ଙ୍କୁ ଦେବାକୁ ହେବ। ତେବେ କେନ୍ଦ୍ରର ପରିଚାଳନା ବାବଦରେ ଆବଶ୍ୟକ ହେଉଥିବା ସମସ୍ତ ସହଯୋଗ ଏନ୍‌ଆଇଏଚ୍‌ଟି ଯୋଗାଇଦେବ।

ଏନ୍‌ଆଇଏଚ୍‌ଟିର ମାର୍କେଟିଂ ମ୍ୟାନେଜର୍‌ ପ୍ରୋସିତ୍‌ ପଲ୍‌ଙ୍କ କହିବା ଅନୁଯାୟୀ ଡିଜିଟାଲ୍‌ ମାର୍କେଟିଂ ତାଲିମ କ୍ଷେତ୍ରରେ ଦୁଇଟି ଅନ୍ତର୍ଜାତୀୟ ସ୍ୱୀକୃତି ସହ ଅନୁଷ୍ଠାନର ଜାତୀୟ ସ୍ତରରେ ପ୍ଲେସ୍‌ମେଣ୍ଟ ବ୍ୟବସ୍ଥା ରହିଛି। ତେଣୁ ଏଠାରୁ ତାଲିମ ନେଉଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ନିଯୁକ୍ତିର ସୁଯୋଗ ପାଇପାରିବେ। ଡିଜିଟାଲ୍‌ ମାର୍କେଟିଂ ବିଷୟରେ ଦକ୍ଷତା ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଚାକିରିର ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

ଏନ୍‌ଆଇଏଚ୍‌ଟିର ଛଅ ମାସିଆ ପାଠ୍ୟକ୍ରମ ପାଇଁ ୩୫ ହଜାର ଟଙ୍କା ଦେୟ ରହିଥିବା ବେଳେ ବର୍ଷିକିଆ ପାଠ୍ୟକ୍ରମ ଲାଗି ଛାତ୍ରଛାତ୍ରୀଙ୍କୁ ୭୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏଥିରୁ ୫୦% ଆୟ ସ୍ଥାନୀୟ ପାର୍ଟନର୍‌ ରଖିବା ବେଳେ ବାକି ୫୦% ଏନ୍‌ଆଇଏଚ୍‌ଟି ପାଖକୁ ଚାଲିଯିବ।

ଭୁବନେଶ୍ୱର ଛଡ଼ା ହାଇଦ୍ରାବାଦ, ମୁମ୍ବାଇ, ଜୟପୁର ଏବଂ ଅହମ୍ମଦାବାଦରେ ଏହି ଫ୍ରାଞ୍ଚାଇଜି ମଡେଲ୍‌ରେ ଡିଜିଟାଲ୍‌ ମାର୍କେଟିଂ ତାଲିମ ଅନୁଷ୍ଠାନ ଖୋଲିବାକୁ ଏନ୍‌ଆଇଏଚ୍‌ଟି ପକ୍ଷରୁ ଉଦ୍ୟମ କରାଯାଉଛି।

Comment