ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦଳର ବିଗିଡ଼ିଯାଇଥିବା ସଂଗଠନକୁ ସଜାଡ଼ିବା ଓ ସୁଦୃଢ଼ କରିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରେରକ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରେରକମାନେ କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସଫଳତାର ମନ୍ତ୍ର ଦେବେ। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ଏହା ଆରମ୍ଭ ହୋଇଥିବା ବେଳେ ଏ ନେଇ ନେତାମାନେ ଖୁବ୍ ଆଶାବାଦୀ। ଟ୍ରେନିଂ ଓ ସନ୍ଦେଶ ଦାୟିତ୍ୱରେ ଥିବା ଏଆଇସିସିର କର୍ମକର୍ତ୍ତା ସଚିନ ରାଓ ଏଥିପାଇଁ ଭୁବନେଶ୍ୱରରେ ପହଁଚିଛନ୍ତି।

ଏହି ଅବସରରେ ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ମାଷ୍ଟର କ୍ୟାଣ୍ଟିନଠାରେ ଗତକାଲି ଏକାଠି ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଯେ, ୪୫ରୁ ୫୦ ପ୍ରେରକଙ୍କୁ ନିଯୁକ୍ତି ଦିଆଯିବ, ଯେଉଁମାନେ କି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବେ। ଉଭୟ କର୍ମୀ ଓ ଭୋଟରଙ୍କ ସହ ଯୋଗସୂତ୍ର ରକ୍ଷା କରିବା ପାଇଁ ଏହି ପ୍ରେରକମାନେ କାମ କରିବେ। ସେମାନଙ୍କୁ ପ୍ରଥମେ ୭ ଦିନିଆ ତାଲିମ ଦିଆଯିବ ଓ ପରେ ସେମାନେ କଂଗ୍ରେସର ନୀତି ଓ ଆଦର୍ଶକୁ ବୁଝାଇବା ପାଇଁ ଜାଗା ମୁଣ୍ଡକୁ ବାହାରିବେ।

Comment