ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନ ୧୯୬୯ ମସିହାରେ ଫିଲ୍ମ ହିନ୍ଦୁସ୍ତାନୀ ଜରିଆରେ ବଲିଉଡ୍‌ରେ ପାଦ ଦେଇଥିଲେ। ଇତି ମଧ୍ୟରେ ବଲିଉଡ୍‌ରେ ବିଗ୍‌ ବିଙ୍କୁ ପୁରିଯାଇଛି ୫୦ ବର୍ଷ। ବିନା ବ୍ରେକ୍‌ ନେଇ ବିଗ୍‌ ବି ଲଗାତାର ୫୦ ବର୍ଷ ଧରି କାମ କରି ଆସିଛନ୍ତି। ଏବେ ତାଙ୍କର ଅବସରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏନେଇ ବିଗ୍‌ ବି ନିଜେ ବ୍ଲଗ୍‌ରେ ଲେଖି ଇଶାରା ଦେଇଛନ୍ତି।

ବର୍ତ୍ତମାନ ଅମିତାଭ ବଚ୍ଚନ ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ନିଜ ଅନୁଭୂତି ବିଷୟରେ ଅମିତାଭ ନିଜ ବ୍ଲଗ୍‌ରେ ଲେଖିଛନ୍ତି, ଅମିତାଭ ଲେଖିଛନ୍ତି,”ମତେ ଏହି ଛୋଟ ଏବଂ ସୁନ୍ଦର ସ୍ଥାନରେ ପହଞ୍ଚିବାକୁ ୧୧ ଘଣ୍ଟା ଯାତ୍ରା କରିବାକୁ ପଡ଼ିଲା। ଏଠାରେ ରହିବା ପାଇଁ ଏତେଟା ସୁବିଧା ନାହିଁ। ପରିବେଶ ମଧ୍ୟ ଅଲଗା ରହିଛି। ଲାଗୁଛି ମତେ ଏବେ ଅବସର ନେବା ଦରକାର। ମୋ ମସ୍ତିଷ୍କ ଗୋଟେ କଥା ଭାବୁଥିବା ବେଳେ ମୋ ହାତ ଆଉ କିଛି କାମ କରୁଛି।”

ସୂଚନା ଅନୁଯାୟୀ, ବ୍ରହ୍ମାସ୍ତ୍ର ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ଅମିତାଭ୍‌ ବଚ୍ଚନ କାମ କରୁଛନ୍ତି। ଆୟନ ମୁଖାର୍ଜୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ନିକଟରେ ଅମିତାଭ୍‌ କୌନ ବନେଗା କରୋଡପତିର ସୁଟିଂ ସାରି ବିଗ୍‌ ବି ମନାଲି ଗସ୍ତରେ ଯାଇଛନ୍ତି।

ଏହା ବ୍ୟତୀତ ଝୁଣ୍ଡ୍‌, ଗୁଲାବୋ ସିତାବୋ, ବଟରଫ୍ଲାଏ(କନ୍ନଡ), ଏବି ଆଣି ସିଡି(ମରାଠୀ), ଚେହେରେ ଭଳି ଫିଲ୍ମ ପାଇଁ ଅମିତାଭ୍‌ ବଚ୍ଚନ ସାଇନ୍‌ କରିଛନ୍ତି। ନିକଟରେ କିଛି ଦିନ ଧରି ବିଗ୍‌ ବି ଅସୁସ୍ଥ ଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

Comment