ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଲା। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ମେଣ୍ଟର ମୁଖ୍ୟ ଉଦ୍ଧବ ଠାକ୍‌ରେ। ଗୁରୁବାର ମୁମ୍ବାଇ ଶିବାଜୀ ପାର୍କରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଦ୍ଧବଙ୍କ ସହିତ ଏନ୍‌ସିପି, କଂଗ୍ରେସ ଏବଂ ଶିବସେନାରୁ ୨ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ତେବେ ଆସନ୍ତୁ ଜାଣିବା, ମନ୍ତ୍ରୀପଦ ପାଇଁ ଶପଥ ନେଇଥିବା ୬ ଜଣ ବିଧାୟକ କିଏ?

ଜୟନ୍ତ ପାଟିଲ

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ର ବିଧାୟକ ଦଳର ନେତା ହେଉଛନ୍ତି ଜୟନ୍ତ ପାଟିଲ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ଗୁରୁବାର ସେ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି। ୧୯୯୯-୨୦୦୮ ମସିହା କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାରରେ ଜୟନ୍ତ ପାଟିଲ ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ରହିଥିଲେ। ଅର୍ଥମନ୍ତ୍ରୀ ଭାବେ ବିଧାନସଭାରେ ୯ ଥର ବଜେଟ୍‌ ଉପସ୍ଥାପନା କରିବାର ରେକର୍ଡ କରିଛନ୍ତି ଜୟନ୍ତ ପାଟିଲ।

ଛଗନ ଭୁଜବଳ

ଏନ୍‌ସିପି ଦଳର ଆଉ ଜଣେ ବିଶିଷ୍ଟ ନେତା ହେଉଛନ୍ତି ଛଗନ ଭୁଜବଳ। ସେ ନିଜ ରାଜନୀତି ଜୀବନ ଶିବସେନା ଦଳରୁ ହିଁ ଆରମ୍ଭ କରିଥିଲେ। ଶିବସେନା ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ସେ ଥିଲେ ଜଣେ ବଡ଼ ପ୍ରଶଂସକ। ହେଲେ ପରେ ଛଗନ ଭୁଜବଳ ଶିବସେନା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।

ସେତେବେଳେ କଂଗ୍ରେସ ଦଳରେ ଥିଲେ ବର୍ତ୍ତମାନର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର। ଏହା ପରେ ଶରଦ ପାୱାର କଂଗ୍ରେସ ଦଳ ଛାଡ଼ି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଗଠନ କରିଥିଲେ। ପାୱାର ସହ ମିଶି ଛଗନ ଭୁଜବଳ ଏନ୍‌ସିପିରେ ସାମିଲ ହୋଇଥିଲେ।

ସେ ପୂର୍ବରୁ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ୧୯୮୫ ମସିହାରେ ସେ ମହାରାଷ୍ଟ୍ରର ମେୟର ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ ମସିହାରେ ମହାରାଷ୍ଟ୍ର ସଦନ ଘୋଟାଲାରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୮ରେ ସେ ଜେଲ୍‌ରୁ ମୁକୁଳିଥିଲେ।

ବାଲା ସାହେବ ଥୋରାଟ

ମହାରାଷ୍ଟ୍ର କଂଗ୍ରେସର ଦିଗଜ୍‌ ନେତାମାନଙ୍କ ମଧ୍ୟରେ ବାଲା ସାହେବ ଥୋରାଟ ଅନ୍ୟତମ। ସେ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବାଲା ସାହେବ ଥୋରାଟ ହେଉଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସମିତିର ପ୍ରମୁଖ।

ସୁଭାଷ ଦେଶାଇ

ମହାରାଷ୍ଟ୍ରରେ ଶିବସେନାର ବିଶିଷ୍ଟ ନେତାମାନଙ୍କ ମଧ୍ୟରେ ସୁଭାଷ ଦେଶାଇ ହେଉଛନ୍ତି ଅନ୍ୟତମ। ୨୦୧୪ରେ ସେ ମହାରାଷ୍ଟ୍ରର ଉଦ୍ୟୋଗ ମନ୍ତ୍ରୀ ଥିଲେ। ୨୦୦୯ରୁ ୨୦୧୪ ଯାଏଁ ସୁଭାଷ ଦେଶାଇ ଶିବସେନାର ବିଧାୟକ ଦଳର ନେତା ରହିସାରିଛନ୍ତି।

ଏକନାଥ ସିନ୍ଦେ

ଶିବସେନାର ବିଧାୟକ ଦଳର ନେତା ହେଉଛନ୍ତି ଏକନାଥ ସିନ୍ଦେ। ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାଭିସ୍‌ ସରକାର ସମୟରେ ଏକନାଥ ସିନ୍ଦେ ଥିଲେ କ୍ୟାବିନେଟ୍‌ ମନ୍ତ୍ରୀ। ସେ ଗୋଟିଏ ଆସନରୁ ଲଗାତାର ଭାବେ ୪ ଥର ନିର୍ବାଚନ ଜିତିଛନ୍ତି।

ନିତିନ ରାଉତ

ନାଗପୁରର ଦଳିତ ନେତା ନିତିନ ରାଉତଙ୍କୁ ଚଳିତ ସରକାରରେ ମନ୍ତ୍ରୀ ପଦ ମିଳିଛି। ନିତିନ ରାଉତ ପୂର୍ବରୁ ମହାରାଷ୍ଟ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିସାରିଛନ୍ତି। ସେ ୨୦୦୭-୨୦୦୯ ମସିହା ଯାଏଁ ରାଜ୍ୟର ଉପଗୃହମନ୍ତ୍ରୀ ରହିଥିଲେ। ଗୁରୁବାର ଶପଥ ଗ୍ରହଣ ପୂର୍ବରୁ ଅଶୋକ ଚୌହାନଙ୍କ ବଦଳରେ ନିତିନ ରାଉତ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Comment