ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଆଜି ଗଠନ ହେବ ଶିବସେନା ନେତୃତ୍ୱାଧିନ ନୂଆ ମେଣ୍ଟ ସରକାର। ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟର ମୁଖ୍ୟ ଭାବେ ଉଦ୍ଧବ ଠାକ୍ରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏନ୍ସିପିକୁ ମିଳିଛି ଉପମୁଖ୍ୟମନ୍ତ୍ରୀ ପଦ। ତେବେ ଏନ୍ସିପିରୁ କିଏ ହେବ ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚାର ପ୍ରଥମରେ ଅଜିତ ପାୱାରଙ୍କ ନାଁ ଆସୁଛି।
ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦ ହାତେଇଥିବା ଏନ୍ସିପି ନେତା ଅଜିତ ପାୱାର ଏବେ ଘର ବାହୁଡ଼ିଛନ୍ତି। ଅଜିତ୍ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ମହାରାଷ୍ଟ୍ର ରାଜନୀତିର ସମୀକରଣ ବଦଳିଯାଇଥିଲା। ମହାରାଷ୍ଟ୍ରରେ ଫଡନାଭିସ୍ ସରକାର ଭାଙ୍ଗି ଶିବସେନାର ମେଣ୍ଟ ସରକାର ଗଠନ ସ୍ପଷ୍ଟ ହୋଇଛି। ତେବେ ଏହି ମେଣ୍ଟ ସରକାରରେ ଉପ ମୁଖ୍ୟମନ୍ତ୍ରୀ ପଦ ପୁଣିଥରେ ଅଜିତ୍ ପାୱାରଙ୍କୁ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅଜିତ୍ ବିଜେପିଠାରୁ ସବୁ ସମ୍ପର୍କ ତୁଟାଇ ଦଳକୁ ଫେରିଥିବାରୁ ବର୍ତ୍ତମାନ ପାୱାର ପରିବାର ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଭେଟି ଦେବାକୁ ଚାହୁଁଛି। ଏଭଳି ସ୍ଥିତିରେ ଅଜିତ୍ଙ୍କ ଉପମୁଖ୍ୟମନ୍ତ୍ରୀ ହେବା ନେଇ କଂଗ୍ରେସ ଏବଂ ଶିବସେନାର ସହମତି ଜଣାଥିବା ସୂଚନା ମିଳିଛି। ଅଜିତ୍ ପାୱାରଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏନ୍ସିପି ନେତା ଜୟନ୍ତ ପାଟିଲଙ୍କ ନାଁ ମଧ୍ୟ ରହିଛି। ହେଲେ ସବୁ କିଛି ରହିଛି ଅଜିତ୍ଙ୍କ ହାତରେ।
ଏବେ ଅଜିତ ପୁଣିଥରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହେବା ରାସ୍ତାରେ କୌଣସି କଣ୍ଟା ନଥିବା ଜଣାପଡ଼ିଛି। ଯଦି ଅଜିତ ଚାହିଁବେ ତେବେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିପାରିବ। ଯଦି ଏପରି ନହୁଏ ତେବେ ନୂଆ ସରକାରର ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।








