କପିଳାସ ଭୂୟାଁ

ସହରାଞ୍ଚଳ ଯାତାୟାତ କ୍ଷେତ୍ରରେ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଚାଲୁଥିବା ‘ମୋ ବସ’ର ସଫଳତା ପାଇଁ ଏହାର ପରିଚାଳନା ଦାୟିତ୍ଵରେ ଥିବା ‘ଦି କ୍ୟାପିଟାଲ ରିଜନ ଅରବାନ ଟ୍ରାନ୍ସପୋର୍ଟ’ ବା ‘କ୍ରୁଟ’କୁ ସାରା ଦେଶର ସର୍ବଶ୍ରେଷ୍ଠ ସମ୍ମାନ ମିଳିଛି। ଦେଶର ବଡ ବଡ ମେଟ୍ରୋ ସହର ଠାରୁ ଆରମ୍ଭ କରି ଛୋଟ ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ‘ମୋ ବସ’ ସେବା ଏକ ଉଦାହରଣ ପାଲଟିଛି। ସେଥିପାଇଁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା ଲକ୍ଷ୍ନୌଠାରେ ଗତ ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଅରବାନ ମୋବିଲିଟି ଇଣ୍ଡିଆ ଏକ୍ସପୋ ଓ କନଫରେନ୍ସ ବା ୟୁଏମଆଇର ଦ୍ଵାଦଶ ଅଧିବେଶନ କାଳରେ ‘କ୍ରୁଟ’କୁ ଏହି ପ୍ରଶସ୍ତି ପ୍ରଦାନ କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତି ଆନନ୍ଦର କଥା ନିଶ୍ଚୟ।

mo bus fleet CRUT

‘କ୍ରୁଟ’କୁ ଏହି ଶ୍ରେୟ ମିଳିବାର ଏକ ମୁଖ୍ୟ କାରଣ ହେଲା ଯେ ପ୍ରତିଦିନ ପ୍ରାୟ ୮୦ ହଜାର ପର୍ଯ୍ୟନ୍ତ ଯାତ୍ରୀ ‘ମୋ ବସ’ ଦ୍ଵାରା ଯିବା ଆସିବା କରୁଛନ୍ତି। ଯେଉଁ ମେଟ୍ରୋ ସହରଗୁଡିକରେ ଭୂତଳ ରେଳ ସେବା ବା ମେଟ୍ରୋ ରେଲ କାର୍ଯ୍ୟ କରୁଛି ସେଥିରେ ପ୍ରତି ଦିନ ପ୍ରାୟ ଦେଢ ଲକ୍ଷ ପର୍ଯ୍ୟନ୍ତ ଯାତ୍ରୀ ସହରାଞ୍ଚଳ ମଧ୍ୟରେ ଯାତାୟାତ କରୁଛନ୍ତି। କିନ୍ତୁ ଗୋଟିଏ କି॰ମି॰ ମେଟ୍ରୋ ରେଲ ନିର୍ମାଣ ପାଇଁ ପ୍ରାୟ ଅଢେଇ କୋଟି ଟଙ୍କା ବିନିଯୋଗ କରା ଯାଉଥିବା ବେଳେ ‘ମୋ ବସ’ ଭଳି ସହରାଞ୍ଚଳ ଗମନାଗମନ ପାଇଁ ବ୍ୟବସ୍ଥାରେ ସେ ତୁଳନାରେ ଅତି ନଗଣ୍ୟ ପୁଞ୍ଜି ବିନିଯୋଗ କରିବାକୁ ପଡୁଛି। ସେହି ଦୃଷ୍ଟିରୁ ବିଚାର କଲେ ‘ମୋ ବସ’ ଭଳି ବ୍ୟବସ୍ଥା ଅତ୍ୟନ୍ତ ଶସ୍ତା ଓ ସହଜଲଭ୍ୟ। ତେଣୁ ଦେଶର ଅନ୍ୟ ଛୋଟ ବଡ ସହରଗୁଡିକ ପାଇଁ ‘ମୋ ବସ’ ପରିଚାଳନା ସଫଳତାର ଏକ ପ୍ରକୃଷ୍ଟ ଉଦାହରଣ ପାଲଟିଛି।

ଗତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ଵରରେ ବିଶ୍ଵ ହକି କପ ଆଯୋଜନର ଅବ୍ୟବହିତ ପୂର୍ବରୁ ଆମ ସହରକୁ ଆମେ ନିଆରା ଢଙ୍ଗରେ ସଜେଇ ଥିଲେ। କାନ୍ଥଗୁଡିକୁ ରଙ୍ଗୀନ ଚିତ୍ରରେ ଚିତ୍ରିତ କରଯାଇଥିଲା। ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସେହି ଚିତ୍ରଗୁଡିକର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। ସେହି ଭଳି ଚିତ୍ରଗୁଡ଼ିକ ମଧ୍ୟରେ ଥିଲା ଆନ୍ତର୍ଜାତିକ ସ୍ତରର ଶ୍ରେଷ୍ଠ ହକି ଖେଳାଳିମାନଙ୍କର ଚିତ୍ର। ସେହି ଭଳି ଚିତ୍ରଗୁଡିକ ଭିତରେ ଜଣେ ମହିଳା ଆନ୍ତର୍ଜାତିକ ହକି ଖେଳାଳି ନିଜ ପ୍ରତିରୂପ ଦେଖି ଆନନ୍ଦ ବିଭୋର ହୋଇ କାନ୍ଦି ପକେଇଥିବାର ଖବର ଆମେ ଖବରକାଗଜରେ ପଢିବାକୁ ପାଇଲେ। ସଂକ୍ଷେପରେ କହିଲେ ଠିକ ହେବ ଯେ ହକି ବିଶ୍ଵ କପ ଆୟୋଜନ ଆମେ ବେଶ ସଫଳତାର ସହ ଆୟୋଜନ କରି ପାରିଥିଲେ। ଏହି ସଫଳତା ହାସଲ କରିବା ପାଇଁ କେବଳ କାନ୍ଥ ଚିତ୍ର ନୁହେଁ, ବରଂ ସାମଗ୍ରିକ ଭାବେ ସହରାଞ୍ଚଳ ବିକାଶ ସହ ଜଡିତ ସରକାରଙ୍କ ସମସ୍ତ ବିଭାଗ ଦିନରାତି ଏକାକାର କରି ବେଶ ପରିଶ୍ରମ କରିଥିଲେ। ତା’ ଭିତରେ ରହିଥିଲା ଆଧୁନିକ ବସ ଷ୍ଟପ ନିର୍ମାଣ ଓ ‘ମୋ ବସ’ ପରିଚାଳନା ତଥା ସାଇକେଲ ଯୋଗାଇବା ବ୍ୟବସ୍ଥା।

Mo Cycle cycles parked in Bhubaneswar

ସବୁଗୁଡିକ ସ୍ମାର୍ଟ ବସ ଷ୍ଟପ ନିକଟରେ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ବ୍ୟବହାର କରି ତିଆରି ହୋଇଥିବା ସେହି ସବୁ ସାଇକେଲ ଷ୍ଟାଣ୍ଡଗୁଡିକରୁ ଯେ କୌଣସି ବ୍ୟକ୍ତି ଆପ-ଭିତ୍ତିକ ବ୍ୟବସ୍ଥା ଅନୁଯାୟୀ ନିଜର ଆବଶ୍ୟକତା ମୁତାବକ ସାଇକେଲ ସ୍ୱଳ୍ପ ଭଡାରେ ନେଇ ପାରିବାର ବ୍ୟବସ୍ଥା କରାଯାଇଥିଲା। ଏହି ବ୍ୟବସ୍ଥା ହୁଏତ ଆମ ପାଇଁ ନୂଆ ହୋଇପାରେ, କିନ୍ତୁ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ ଏହି ସୁବିଧା ସହ ବେଶ ଅଭ୍ୟସ୍ତ। ସେମାନେ ବି ଏହି ସୁବିଧାର ବେଶ ଉପଯୋଗ କଲେ। ଆନ୍ତର୍ଜାତିକ ସ୍ତରରେ ଆମ ସହର ଭୁବନେଶ୍ଵରକୁ ଯଥେଷ୍ଟ ପ୍ରସଂଶା ମଧ୍ୟ ମିଳିଲା। ଯଦି ଏହି ସୁବିଧାର କେହି ଅପବ୍ଯବହାର କଲେ ତେବେ ସେମାନେ ହେଲେ ଆମର ସ୍ଥାନୀୟ ଅଧିବାସୀ। ହିସାବ ଅନୁଯାୟୀ ଏବେ ସୁଧା ପଚାଶରୁ ଉର୍ଦ୍ଧ୍ଵ ସାଇକେଲର ପତ୍ତା ମିଳୁ ନାହିଁ। କିଛି ଦୁଷ୍ଟ ଚରିତ୍ରର ଲୋକ ଏହି କାଣ୍ଡ କରିଥିବେ। ଅବଶ୍ୟ ଗୋଟିଏ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କଲା ବଳେ କିଛିଟା ବାଧା ସବୁବେଳେ ଉପୁଜେ। ତେବେ କତିପୟ ଦୁଷ୍ଟ ଲୋକଙ୍କ ଖରାପ ଅଭ୍ୟାସ କାରଣରୁ ଏକ ସାର୍ବଜନିକ ହିତ ପାଇଁ ଉଦ୍ଧିଷ୍ଟ ବ୍ୟବସ୍ଥାକୁ କେବେ ବି ପଙ୍ଗୁ କରାଯାଇ ପାରିବ ନାହିଁ। ଖୁସିର କଥା ଯେ ଏହି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଚାଲୁ ରହିଛି ଓ ଆଗକୁ ମଧ୍ୟ ଚାଲୁ ରହିବାର ସମସ୍ତ ସୂଚନା ମିଳୁଛି।

ଅନ୍ୟ ପକ୍ଷରେ ସ୍ମାର୍ଟ ବସ ଷ୍ଟପଗୁଡିକୁ ଯେଉଁ ଅଗ୍ରାଧିକାରେ ଭିତ୍ତିରେ ନିର୍ମାଣ କରା ଯାଇଥିଲା ତହିଁରେ ବେଶ ବାଧା ଉପୁଜିଛି। ଯୋଜନା ଥିଲା ଯେ ଏହି ସବୁ ଆଲୋକିତ ସ୍ମାର୍ଟ ବସ ଷ୍ଟପଗୁଡିକରେ ଆରାମ ଦାୟକ ବସିବା ବ୍ୟବସ୍ଥା ସହିତ ଡିସପ୍ଲେ ବୋର୍ଡଗୁଡିକରେ ବସଗୁଡିକର ଯାତାୟାତ ସମ୍ପର୍କିତ ସମସ୍ତ ତଥ୍ୟ ଅବିରତ ଭାବେ ଉଲ୍ଲେଖ କରା ଯାଉଥିବ। ଏହା ‘କ୍ରୁଟ’ର କେନ୍ଦ୍ରୀୟ ପରିଚାଳନା କେନ୍ଦ୍ରରୁ ପରିଚାଳିତ ହେବ। ତାହା ଦ୍ଵାରା ଅପେକ୍ଷା କରିଥିବା ଯାତ୍ରୀ ତାଙ୍କର ଗନ୍ତବ୍ୟ ସ୍ଥଳକୁ କେତେବେଳେ ବସ ଆସିବ ସେ ସମ୍ପର୍କରେ ସଠିକ ଭାବେ ଜାଣି ପାରିବେ।

କିନ୍ତୁ ଏହି ଯୋଜନାରେ ସଂପୂର୍ଣ୍ଣ ବାଧକ ସାଜିଲା ‘ଫନି’ ବାତ୍ୟା। ଗତ ମେ ମାସ ୩ ତାରିଖରେ ସଂଘଟିତ ହୋଇଥିବା ଫନି ବାତ୍ୟାର ପ୍ରକୋପ ପୁରୀ ଉପକୂଳରେ ଯେଉଁ ତାଣ୍ଡବ କଲା ତା’ ଭିତରେ ରାଜଧାନୀ ଭୁବନେଶ୍ଵର ବି ମୋଡ଼ି ମକଚି ହୋଇଗଲା। ଆମ ରାଜଧାନୀର ଅଭିବୃଦ୍ଧି ପାଇଁ ଆମେ ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ସଂପୂର୍ଣ୍ଣ ଧୂଳିସାତ ହୋଇଗଲା। ନଭେମ୍ବର-ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ଵର ଯେଉଁ ଅପୂର୍ବ ଶୋଭାରେ ଚମକିବା ଆରମ୍ଭ କରିଥିଲା, ସତେ ଯେମିତି ତା’ ଉପରେ କାହାର କାଳଦୃଷ୍ଟି ପଡିଗଲା। ସବୁ କିଛି ନାରଖାର ହୋଇଗଲା। ଆଧୁନିକତାର ଯେଉଁ ସ୍ପର୍ଶ ରାଜଧାନୀକୁ ଛୁଇନ ଆସୁଥିଲା ତାହା ମାତ୍ର ଘଣ୍ଟାଏ ଭିତରେ ସଂପୂର୍ଣ୍ଣ ସହରକୁ ପୁଣି ପାଞ୍ଚ ବର୍ଷ ପଛକୁ ନେଇଗଲା। ଆଧୁନିକ ବସ ଷ୍ଟପଗୁଡିକୁ ଏବ ସୁଧା ବି ଆମେ ଠିକ ମରାମତି କରିବାକୁ ସକ୍ଷମ ହୋଇ ନାହାନ୍ତି।

କହିବା କଥା ହେଲା ଯେ ରାଷ୍ଟ୍ରୀୟ ସ୍ତରରେ ସହରାଞ୍ଚଳ ଯାତାୟାତ ବ୍ୟବସ୍ଥା ପାଇଁ ‘କ୍ରୁଟ’କୁ ପ୍ରସଂଶା ମିଳିବା ନିଶ୍ଚୟ ଅତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ସେହି ପ୍ରସଂଶା ଭିତରେ ‘କ୍ରୁଟ’ କର୍ତ୍ତୁପକ୍ଷ ନିଜର ମୁଖ୍ୟ ଦାୟିତ୍ଵ ସମ୍ପର୍କରେ ବିସ୍ମୃତ ହେବା ଠିକ ନୁହେଁ। ସ୍ଥାନୀୟ ଲୋକେ ‘ମୋ ବସ’ ସେବା ପାଇବା ଦ୍ଵାରା ବେଶ ଆନନ୍ଦିତ ବୋଲି କହିବା ଭୁଲ ହେବ ନାହିଁ। ତେବେ କେଉଁ ବସ କେତେ ବେଳେ ଆସିବ ସେ ସମ୍ପର୍କରେ ଧାରଣା କରି ନପାରିବା ଯାତ୍ରୀମାନଙ୍କୁ କିଛିଟା ଅସୁବିଧାରେ ପକାଉଛି। ଅବଶ୍ୟ ‘ମୋ ବସ’ ଆପ ଯେଉଁମାନେ ସେମାନଙ୍କ ସ୍ମାର୍ଟ ଫୋନରେ ଡାଉନ ଲୋଡ କରିଛନ୍ତି ସେମାନଙ୍କର କିଛି ଅସୁବିଧା ହେଉନାହିଁ। କିନ୍ତୁ ଯେଉଁମାନଙ୍କର ସ୍ମାର୍ଟ ଫୋନ ନାହିଁ, ବା ଯେଉଁମାନେ ତାହାର ବ୍ୟବହାର ଜାଣି ନାହାନ୍ତି, ବିଶେଷ କରି ବୟସ୍କ ଲୋକମାନେ ସମୟ ସୂଚୀ ନଜାଣି ପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅବଶ୍ୟ ବୟସ୍କ ଲୋକମାନେ ସେମାନଙ୍କୁ ଦିଆ ଯାଉଥିବା ୫୦% ରିହାତି ପାଉଥିବାରୁ ଭାରି ଖୁସି, କିନ୍ତୁ ସମୟ ନିର୍ଘଣ୍ଟ ଜାଣି ପାରିଲେ ସେମାନଙ୍କୁ ଯାତାୟାତ କରିବାକୁ ନିଶ୍ଚୟ ଅଧିକ ସହଜ ହେବ।

ତେଣୁ ‘କ୍ରୁଟ’ କର୍ତ୍ତୃପକ୍ଷ ସ୍ମାର୍ଟ ବସ ଷ୍ଟପ ଗୁଡିକୁ ମରାମତି କରିବା ସହ ପୁଣି ଖୁବ ଶୀଘ୍ର ଚାଲୁ କରିବା ଦରକାର।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here