ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ୱେଲ୍ଡିଂରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଉଦଘାଟିତ
• ଯୁବପିଢ଼ିଙ୍କୁ ଉଦ୍ୟୋଗ ସ୍ଥାପନା ପାଇଁ ପ୍ରୋତ୍ସାହିତ କରିବା ଲାଗି ‘ନାନୋ ୟୁନିକର୍ଣ୍ଣ’ ଶୁଭାରମ୍ଭ

(ଭୁବନେଶ୍ୱର): ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ର ଚତୁର୍ଥ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୦୨୩-୨୪ ବ୍ୟାଚରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ମନ୍ତ୍ରୀ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୱେଲ୍ଡିଂରେ ହୋଇଥିବା ସେଣ୍ଟର ଅଫ୍ ଏକ୍ସିଲେନ୍ସ ବା ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସେହିପରି ତୃଣମୂଳ ସ୍ତରରେ ବିଭିନ୍ନ ବ୍ୟବସାୟ ସ୍ଥାପନ କରିବାକୁ ଚାହୁଁଥିବା ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ‘ନାନୋ ୟୁନିକର୍ଣ୍ଣ’ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ଏହା ଅଧୀନରେ ଯୁବପିଢ଼ିଙ୍କୁ ୧ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

‘‘ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଧୀନରେ ଯୁବପିଢ଼ିଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ନୂଆ ନୂଆ ଉଦ୍ଭାବନ କ୍ଷେତ୍ରରେ ଯୁବପିଢ଼ି କିପରି ସଫଳତା ପାଇବେ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ୱେଲ୍ଡିଂରେ ଉତ୍କର୍ଷ କେନ୍ଦ୍ର ସ୍ଥାପନା ଏବଂ ନାନୋ ୟୁନିକର୍ଣ୍ଣ ଭଳି କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହାୟକ ହେବା ସହିତ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବ,’’ କହିଛନ୍ତି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।

ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସରେ ସୋମବାର ଦିନ ଏହି ସମାବର୍ତ୍ତନ ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ‘ବେଷ୍ଟ ଟ୍ରେନି’ ଭାବେ ସମ୍ମାନିତ କରାଯାଇଥିଲା। ଏହାସହ ୭ଟି ଟ୍ରେଡରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ୯୦୯ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ରତ୍ୟେକ ଟ୍ରେଡର ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା। ଏହିଭଳି ୨୧ ଜଣ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ ବି ଏସ୍ ରାଜପୁତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସଫଳ କ୍ୟାରିୟର ଗଢ଼ିବାନେଇ ଶୁଭେଚ୍ଛା ଜଣାଇଥିଲେ।

‘‘ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ଶିଳ୍ପ ଉପଯୋଗୀ ତାଲିମ ନେଇ ଓଡ଼ିଶାର ଯୁବପିଢ଼ି ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ପାଉଛନ୍ତି। ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ପାଠ୍ୟକ୍ରମରେ ଶତ ପ୍ରତିଶତ ନିଯୁକ୍ତି ସଫଳତା ଏହାର ଏକ ଉଦାହରଣ। ଆଗାମୀ ଦିନରେ ଯୁବପିଢ଼ିଙ୍କ ଦକ୍ଷତାକୁ ନୂଆ ଉଚ୍ଚତାକୁ ନେବା ଲାଗି ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି,’’ କହିଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ ବି ଏସ୍ ରାଜପୁତ।

ଏହି ଉତ୍ସବରେ ଫ୍ରୋନିୟୋସ୍ ଇଣ୍ଡିଆ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭି ଭି କାମାଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପାଠ୍ୟକ୍ରମ ଶେଷ କରୁଥିବା ଛାତ୍ରଛାତ୍ରୀ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ପାଉଛନ୍ତି। ସମାବର୍ତ୍ତନ ଉତ୍ସବରେ ପ୍ରମୁଖ କମ୍ପାନିର ବରିଷ୍ଠ ଅଧିକାରୀମାନେ ଅତିଥି ଭାବେ ଯୋଗ ଦେଇଥିଲେ।

ଟାଟା ଷ୍ଟ୍ରାଇଭର ସିଓଓ ଅମେୟ ବନଜାରୀ, ଏଏମ/ଏନଏସର ଏଚଆର୍ ମୁଖ୍ୟ ସୁନୀଲ ଦାସ, ଏଏମ/ଏନଏସ ପୂର୍ବ ଭାରତର ଏଚଆର୍ ମୁଖ୍ୟ ଡକ୍ଟର ଦେବବ୍ରତ ଦାଶ, ପଲ୍ୟୁଟେକର ସିଓଓ ବିଭାସ ମହାନ୍ତି, ଅରୋମା ଗ୍ରୁପର ନିର୍ଦ୍ଦେଶକ ଅରୂପ ରଞ୍ଜନ ମିଶ୍ର, ଜେଏସପିଏଲର ଜେନେରାଲ ମ୍ୟାନେଜର (ଏଚଆର) ତଥା ଏମ୍ପ୍ଲୋଇ ରିଲେସନ୍ସ ବନବାସ ଆଚାର୍ଯ୍ୟ, ସ୍ୱସ୍ତି ଗ୍ରାଣ୍ଡ ହୋଟେଲର ଜେନେରାଲ ମ୍ୟାନେଜର ଅଭିଷେକ ନାଥ ଓ ମ୍ୟାନେଜର (ଏଚଆର) ନୃସିଂହନାଥ ସାହୁ ଏବଂ ଗ୍ରୀନ ଟ୍ରେଣ୍ଡ୍ସର ଏରିଆ ମ୍ୟାନେଜର ଶୁଭ୍ରଜିତ ପରିଡ଼ା ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଶେଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ଧନ୍ୟବାଦ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ସିଙ୍ଗାପୁର ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ଉପାଧ୍ୟକ୍ଷା ଜିତାମିତ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ବିଶ୍ୱସ୍ତରୀୟ ତଥା ଶିଳ୍ପ-ଉପଯୋଗୀ ଅତ୍ୟାଧୁନିକ ତାଲିମ ଅନୁଷ୍ଠାନ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶର ଏକ ଅନନ୍ୟ ଅନୁଷ୍ଠାନ ଭାବେ ପରିଚୟ ପାଇଛି। ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ୱାରା ଦ୍ୱାରା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ଆହୁରି ସଶକ୍ତ ହୋଇପାରୁଛି।

Tags: #WorldSkillCenter #ConvocationCeremony #SkillDevelopment #Bhubaneswar #Odisha

Comment