ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧଙ୍ଖରଙ୍କ ଭିତରେ ବିବାଦ ଥମିବାର ନାଁ ଧରୁନାହିଁ। ଏବେ ରାଜ୍ୟପାଳ ଅଭିଯୋଗ କରିଛନ୍ତି ଯେ, ମମତା ତାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଛନ୍ତି। ରାଜ୍ୟପାଳ ଏକ ଟୁଇଟ୍ ଜରିଆରେ ମମତାଙ୍କ ଉପରେ ବର୍ଷିଛନ୍ତି। ଆଗରୁ ବି ଉଭୟଙ୍କ ଭିତରେ ବହୁତ ଥର ତୁତୁ ମେମେ ହୋଇଛି।
ରାଜ୍ୟପାଳ ତାଙ୍କ ଟୁଇଟରେ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ମୋ ଉଦ୍ଦେଶ୍ୟରେ ତୁ ଚିଜ ବଡ଼ି ହୈ ମସ୍ତ ମସ୍ତ ଗୀତକୁ ପ୍ରୟୋଗ କରିଛନ୍ତି।’’
ଏକ ବଙ୍ଗଳା ଖବରକାଗଜରେ ପ୍ରକାଶିତ ଖବରକୁ ଭିତ୍ତି କରି ଧଙ୍ଖର ଏହି ଅଭିଯୋଗ କରିଛନ୍ତି। ଉକ୍ତ ଖବରକାଗଜରେ କୌଣସି ବ୍ୟକ୍ତିଙ୍କ ନାଁ ନନେଇ ମମତା ବାନାର୍ଜୀ ଚିଜ ବଡି ଟିପ୍ପଣୀ ଦେଇଥିଲେ।
ଉଲ୍ଲେଖ କରାଯାଇପାରେ ଯେ, ୧୯୯୪ରେ ନିର୍ମିତ ମୋହରା ଫିଲ୍ମର ଏହି ଗୀତଟି ସେତେବେଳେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଅକ୍ଷୟ କୁମାର ଓ ରବିନା ଟଣ୍ଡନ ଏହି ଆଇଟମ ଗୀତରେ ଅଭିନୟ କରିଛନ୍ତି।

















