ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ମେଡିକାଲ କଲେଜରେ ଚିକିତ୍ସାରେ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଷ୍ଟ ମର୍ଟମ ପରେ ମୃତକଙ୍କ ପରିବାରକୁ ମର ଶରୀର ହସ୍ତାନ୍ତର କରାଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ବାରିପଦା ପୌର ପରିଷଦ ମଧୁବନ ଅଞ୍ଚଳର ବାସିନ୍ଦା ହୃଷିକେଶ ବୈଶାଖଙ୍କ(୬୦ ବର୍ଷ) ଦେହ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ କି, କିଛି ସମୟପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏହାପରେ ପରିବାର ଲୋକେ ମେଡିକାଲ ଗେଟ ସାମ୍ନାରେ ମୃତ ଦେହକୁ ରଖି ପ୍ରତିବାଦ କରିଥିଲେ। ଘଟଣାସ୍ଥଳରେ ସିଡିଏମଓ ଡାକ୍ତର ପ୍ରଦୀପ କୁମାର ମହାପାତ୍ର ଏବଂ ବାରିପଦା ଟାଉନ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ  ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଘଟଣାର ତଦନ୍ତ। ପୋଷ୍ଟ ମର୍ଟମ ରିପୋର୍ଟ ମିଳିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comment