ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଏକ ମାସ ଧରି ମହାରାଷ୍ଟ୍ରରେ ଚାଲିଥିବା ପଲିଟିକାଲ ଡ୍ରାମାର ପରିଣାମ ଗୁରୁବାର ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ପରେ ଶେଷ ହୋଇଛି। ଶିବସେନା-ଏନ୍‌ସିପି-କଂଗ୍ରେସର ମିଳିତ ମେଣ୍ଟ ମହାରାଷ୍ଟ୍ରରେ ନୂଆ ସରକାର ଗଠନ କରିଛି। ହେଲେ ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ପରେ ଏବେ ଉପ-ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିଛି ଟଣାଓଟରା।

ପୂର୍ବରୁ ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ସରକାରରେ ଏନସିପିକୁ ଉପ-ମୁଖ୍ୟମନ୍ତ୍ରୀ ପଦ ଓ କଂଗ୍ରେସକୁ ବାଚସ୍ପତି ପଦ ଦେବା ନେଇ ସ୍ଥିର ହୋଇଥିଲା। ହେଲେ ଏହି କଥାକୁ ଏବେ କଂଗ୍ରେସ ମାନିବାକୁ ଅରାଜି ହେଉଛି। କଂଗ୍ରେସ ନିଜ ପାଖରେ ଉପ-ମୁଖ୍ୟମନ୍ତ୍ରୀ ପଦ ରଖିବା ସହ ବାଚସ୍ପତି ପଦରେ ଏନସିପି ନେତାଙ୍କୁ ବସାଇବାକୁ କହୁଛି। ନଚେତ୍ ରାଜ୍ୟରେ ଦୁଇଜଣ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଇବାକୁ କଂଗ୍ରେସ ଜିଦି ଧରିଛି।

ପୂର୍ବ ନିଷ୍ପତ୍ତି ଅନୁସାରେ, ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଆସନରେ କଂଗ୍ରେସ ନେତା ପୃଥ୍ୱୀରାଜ ଚୌହାନଙ୍କୁ ବସାଇବାକୁ କଂଗ୍ରେସ ଦଳ ଲକ୍ଷ୍ୟ ରଖିଥିଲା। ତେବେ ପୃଥ୍ୱୀରାଜ ବାଚସ୍ପତି ହେବାକୁ ମନା କରିଦେବା ପରେ କଂଗ୍ରେସକୁ ଚିନ୍ତା ଘାରିଛି। ବର୍ତ୍ତମାନ କଂଗ୍ରେସ ଉପ-ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଦାବି କରୁଛି।

ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ପରେ ସବୁଠୁ ଅଧିକ ଆସନ ଜିତିଛି ଏନସିପି। ତେଣୁ ଉପ-ମୁଖ୍ୟମନ୍ତ୍ରୀ ପଦରେ ଏନ୍‌ସିପି ନେତା ବସିବା ନେଇ ପୂର୍ବରୁ ଦାବି ଜଣାଯାଇଛି। ଏବେ କଂଗ୍ରେସ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି କରୁଥିବାରୁ ମହାରାଷ୍ଟ୍ରରେ ୨ଟି ଉପ-ମୁଖ୍ୟମନ୍ତ୍ରୀ ଆସନ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି।

ଅନ୍ୟପଟେ ମହାରାଷ୍ଟ୍ରରେ ଉପ-ମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳିବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏନ୍‌ସିପି ଉପ-ମୁଖ୍ୟମନ୍ତ୍ରୀ ପଦରେ ତାର ଘରବାହୁଡ଼ା ନେତା ଅଜିତ୍ ପାୱାରଙ୍କୁ ବସାଇବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ପୂର୍ବ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଚାହୁଁଛି।

Comment