ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ। ମୋକିମଙ୍କ ନିର୍ବାଚନ ବିରୋଧରେ ପୂର୍ବତନ ବିଧାୟକ ତଥା ପରାଜିତ ପ୍ରାର୍ଥୀ ବିଜେଡିର ଦେବାଶିଷ ସାମନ୍ତରାୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପିଟିସନର ଜବାବରେ କଟକ ନଗର କଂଗ୍ରେସର ସଭାପତି ମୋକିମ ଏହି ମାମଲାକୁ ଖାରଜ କରିବା ପାଇଁ ନିବେଦନ କରିଥିଲେ।
ଜଣିକିଆ ଖଣ୍ଡପୀଠରେ ଏହି ମାମଲା ବିଚାର ହେବ। ଜଷ୍ଟିସ ଏସ୍ କେ ସାହୁଙ୍କ କୋର୍ଟରେ ୬ ତାରିଖରେ ଏହାର ଶୁଣାଣି କରାଯିବ। ଉଭୟ ପକ୍ଷରୁ ଲିଖିତ ଭାବେ ଜବାବ ଦାଖଲ କରିବା ପରେ ଏହାର ଆଗକୁ ଶୁଣାଣି ହେବ। ଲୋକ ପ୍ରତିନିଧି ଆଇନ ଅନୁଯାୟୀ, ନିର୍ବାଚନ ସମ୍ପର୍କିତ ସବୁ ମାମଲା ଛଅ ମାସ ଭିତରେ ଫୈସଲା ହେବାକୁ ବାଧ୍ୟ। ଅଗଷ୍ଟ ୨୬ ତାରିଖରେ ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ।
ଉଲ୍ଲେଖ କରାଯାଇପାରେ ଯେ, ଦେବାଶିଷ ସାମନ୍ତରାୟ ମୋକିମଙ୍କଠାରୁ ମାତ୍ର ୩୮୨୭ ଭୋଟରେ ପରାଜିତ ହୋଇଥିଲେ।








