ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ୨୬ ବର୍ଷୀୟା ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କମିସନରେଟ ପୋଲିସ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି। ରାଜଧାନୀର ମହିଳାମାନଙ୍କ ପାଇଁ ଜାରି ହୋଇଥିବା ଏହି ଆଡଭାଇଜରିରେ ଚାରି କଡ଼ରେ ସତର୍କ ଦୃଷ୍ଟି ରଖିବା ପାଇଁ କୁହାଯାଇଛି। ବିଶେଷକରି ଯେଉଁଠି ସନ୍ଦେହଜନକ ବ୍ୟକ୍ତି ଓ ଆଚରଣ ଲକ୍ଷ୍ୟ କରିବେ ସେହି ସବୁ ସ୍ଥାନରେ ସତର୍କ ରହିବାକୁ କୁହାଯାଇଛି।

ଅଜଣା ଲୋକଙ୍କୁ ବିଶ୍ୱାସକୁ ନ ନେବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଗରୁ ପରିଚିତ ନଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା କିମ୍ବା ସେମାନଙ୍କ ନିକଟତର ହେବାକୁ ପୋଲିସ ମନା କରିଛି। ଯଦି କୌଣସି ମହିଳା କେଉଁଠି ଅସୁବିଧାରେ ପଡ଼ିଥାନ୍ତି ତୁରନ୍ତ ୧୦୦ ନମ୍ବରକୁ ଡାଏଲ କରିବା ସହ ଯେଉଁଠି ଜନଗହଳି ସ୍ଥାନ ରହିଛି ଯଥା ସପିଙ୍ଗ ମଲ ପାଖରେ ଠିଆ ରହିବାକୁ କୁହାଯାଇଛି ଯେତେବେଳ ପର୍ଯ୍ୟନ୍ତ ପିସିଆର ଭ୍ୟାନ ନପହଞ୍ଚୁଛି।

ହାଇଦ୍ରାବାଦ ଘଟଣା ପରେ ଏବେ ସମଗ୍ର ଦେଶରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ସବୁ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଲେଖାଯାଇ ଏଭଳି ଘଟଣା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Comment