ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ଵିତୀୟ ସନ୍ଧ୍ୟାରେ କୋଣାର୍କ ଉତ୍ସବ। ଇଣ୍ଡୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ।

ଦ୍ଵିତୀୟ ସନ୍ଧ୍ୟାରେ ପହଞ୍ଚିଛି କୋଣାର୍କ ଉତ୍ସବ। ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ ଆଧାରିତ ସୀତା ହରଣ ପ୍ରସଙ୍ଗକୁ ଶିଳ୍ପୀଗଣ ପରିବେଷଣ କରିଥିଲେ।

ଏହି ନୃତ୍ୟରେ ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଗମନ। ଲକ୍ଷ୍ମଣଙ୍କର ବଡ ଭାଇଙ୍କୁ ସହାୟତା ଦେବା ପାଇଁ ଯିବା। ରାବଣଙ୍କ ସୀତା ହରଣ ଓ ଜଟାୟୁଙ୍କ ପ୍ରତିରୋଧ ପରେ ରାବଣଙ୍କ ଦ୍ୱାରା ନିଧନର ପ୍ରତିଟି କଥା ବସ୍ତୁକୁ ଚିତ୍ରିତ କରିଥିଲେ ଇଣ୍ଡୋନେସିଆର ଶିଳ୍ପୀମାନେ।

ବାଲିନିଜ୍ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତିରେ ରହିଥିଲା ସମସାମୟିକ ସେଲଟ୍ ସେଗାରା ଯାହା ବାଲିଦ୍ୱିପକୁ ଆସୁଥିବା ଅତିଥିଙ୍କ ସମ୍ମାନରେ ସ୍ୱାଗତ ନୃତ୍ୟ ଭାବେ ପରିବେଶିତ ହୋଇଥିଲା। ଓଡିଶା ସହ ବାଣିଜ୍ୟିକ ସମ୍ପର୍କ ଓ ଭାରତ ସହ ସାଂସ୍କୃତିକ ସମ୍ପର୍କରେ ଅନୁବନ୍ଧିତ ଇଣ୍ଡୋନେସିଆର ଏହି ନୃତ୍ୟ ଦର୍ଶକଙ୍କୁ ହଜିଲା ଦିନର ଗୌରବମୟ ଗାଥାକୁ ମନେ ପକେଇ ଦେଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ ଆଲୋକା କାନୁନ୍‌ଗୋଙ୍କ ସଂରଚନାରେ କୋଲକତାର ସିଂଜନ୍ ନୃତ୍ୟାଳୟର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସୂର୍ଯ୍ୟ ସ୍ତୃତିରୁ ନୃତ୍ୟ ଆରମ୍ଭ କରି ଶିଳ୍ପୀମାନେ ବ୍ରହ୍ମା-ବିଷ୍ଣୁ ଓ ମହେଶ୍ୱରଙ୍କ ସ୍ଵରୂପ-ଆଦିତ୍ୟଙ୍କ ଉପସନା ପରେ ପରେ ଶୁଦ୍ଧ ନୃତ୍ୟ ପଲ୍ଲବୀକୁ ପ୍ରସ୍ତୁତ କରିଥିଲେ। ଅନ୍ତିମ ପ୍ରସ୍ତୁତିରେ ଦେବୀ ଆରାଧନା ଉପରେ ଆଧାରିତ ଦଶମହାବିଦ୍ୟାକୁ ନୃତ୍ୟରେ ଆକାରରେ ପ୍ରସ୍ତୁତ କରିଥିଲେ ସିଂଜନ୍ ନୃତ୍ୟାଳୟର ଶିଳ୍ପୀମାନେ।

ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍, ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ର ନର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍, ଓଡିଶା ପର୍ଯ୍ୟଟନ ଉନ୍ନୟନର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ପ୍ରମୁଖ ଅଥିତି ଭାବେ ଯୋଗ ଦେଇଥିଲେ।

Comment