ଓଡ଼ିଶାଲାଇଭ୍ ବ୍ୟୁରୋ

ବଞ୍ଚିଥିବା ବେଳେ ଅଧ୍ୟାପିକାଙ୍କୁ ନ୍ୟାୟ ଦେଇ ପାରିଲାନି ପୋଲିସ।

ପୋଲିସ ଶୁଣିଲାନି। ନ୍ୟାୟକୁ ଚାହିଁ ଚାହିଁ ଶେଷରେ ଜୀବନ ହାରିଦେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା। ଅଧ୍ୟାପିକା ଜଣକ ଜୀବନ ହାରିବା ପରେ ମାସେ ହେଲା ଶୋଇ ରହିଥିବା ପୋଲିସ ପ୍ରଶାସନ ଏବେ ଚେଇଁ ଉଠିଛି।

ଅଭିଯୁକ୍ତକୁ ଗିରଫ କରିବା ସହ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ନିଜର ପାରିବା ପଣିଆ ଜାହିର କରିବାକୁ ଚେଷ୍ଟା କରୁଛି। ପୋଲିସ ଏବେ ଯେମିତି ତନଘନା କରୁଛି ଯଦି ମାସେ ପୂର୍ବରୁ ଏଭଳି କରିଥାନ୍ତା ହୁଏତ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରି ନଥାନ୍ତେ। ତେବେ ପୋଲିସ ଅଭିଯୋଗ ପାଇବା ପରେ କାହିଁକି ମାସେ ହେଲା ଚୁପ୍‌ ରହିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୁଷ୍କର୍ମ ଘଟଣାକୁ ପୋଲିସ ଚାପି ଦେବାକୁ ଚାହୁଁଥିଲା କି? ଅଭିଯୁକ୍ତକୁ ଖସାଇ ଦେବା ପାଇଁ ପୋଲିସ ସହିତ ଡିଲ୍‌ ହୋଇଥିଲା କି? ପୋଲିସ କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା? ଦୁଷ୍କର୍ମ ଅଭିଯୁକ୍ତ ସୌମ୍ୟରଞ୍ଜନ କିଏ? ଏମିତି ପ୍ରଶ୍ନ ଏବେ ଅଧ୍ୟାପିକାଙ୍କ ମୃତ୍ୟୁ ପରେ ଉଙ୍କି ମାରୁଛି।

କ’ଣ ଥିଲା ଘଟଣା

ଗତ ମାସେ ତଳେ ସଂପୃକ୍ତ ଅଧ୍ୟାପିକା କେନ୍ଦୁଝରରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଉଜଙ୍କ ଘରକୁ ବୁଲିବାକୁ ଆସିଥିଲେ। ହେଲେ ସେଠାରେ ସେ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ସୌମ୍ୟରଞ୍ଜନ ସାହୁ ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ କାହାକୁ କହିଲେ ଅଭିଯୁକ୍ତ ଅଧ୍ୟାପିକାଙ୍କୁ ଧମକ ଦେଇଥିଲା।

ହେଲେ ଏହି ଧମକକୁ ଖାତିର କରି ନଥିଲେ ଅଧ୍ୟାପିକା। କେନ୍ଦୁଝରରୁ ଫେରିବା ପରେ ଝାରପୋଖରିଆ ଥାନାରେ ଏତଲା ଦେଇଥିଲେ। କେସ୍‌ ନମ୍ବର ୧୨୫/୧୯ରେ ମାମଲା ରୁଜୁ ହୋଇଥିଲା। ମାମଲା ଦାୟର କରି ପୋଲିସ ଚୁପ୍‌ ହୋଇ ବସି ରହିଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ କୌଣସି ପଦକ୍ଷେପ ନେଲାନି।

ପୋଲିସ ନୀରବତାରୁ ଫାଇଦା ନେଲା ଅଭିଯୁକ୍ତ। ଅଧ୍ୟାପିକାଙ୍କୁ ବ୍ଲାକମେଲିଂ କରି ଚାଲିଲା। ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିବାକୁ ଧମକ ଦେଲା। ଏଥିରେ ଭାଙ୍ଗି ପଡ଼ିଲେ ଅଧ୍ୟାପିକା ଜଣକ। ଲୋକଲଜ୍ଜାକୁ ଭୟ କରି ମାନସିକ ଭାରସାମ୍ୟ ହରାଇଲେ। ଶେଷରେ ସେ ମହାବିଦ୍ୟାଳୟର ହଷ୍ଟେଲରେ ଆତ୍ମହତ୍ୟା କରିଦେଲେ।

ଦୋଷ ଖସେଇବାକୁ ପୋଲିସର ଉଦ୍ୟମ

ଅଧ୍ୟାପିକା ଜୀବନ ହାରିବା ପରେ ପୋଲିସ ଦୋଷ ଖସେଇବାକୁ ଉଦ୍ୟମ କରିଛି। ଅଭିଯୁକ୍ତ ସୌମ୍ୟରଞ୍ଜନଙ୍କୁ ଗିରଫ କରିବା ସହ ଦୁଇ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଏସ୍‌ପି କହିଛନ୍ତି।

ଯାଜପୁର ଜିଲ୍ଲା ଧାନମଣ୍ଡଳ ରେଳ ଷ୍ଟେସନ ନିକଟରୁ ଅଭିଯୁକ୍ତ ସୌମ୍ୟରଞ୍ଜନକୁ ପୋଲିସ ଗିରଫ କରିଥିବା ବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ କରିଛି।

ଦାୟିତ୍ୱରେ ଅବହେଳା ପାଇଁ ଝାରପୋଖରିଆ ଥାନା ଏସ୍‌ଆଇ ପି କେ ସ୍ୱାଇଁଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଇଆଇସିଙ୍କୁ ବଦଳି କରାଯାଇଛି। ତେବେ ପୋଲିସର ଏହି ତରବରିଆ କାର୍ଯ୍ୟାନୁଷ୍ଠାନ କେବଳ ଆଇ ୱାସ୍‌ ପାଇଁ ବୋଲି ଚର୍ଚ୍ଚା ହେଉଛି।

ମାମଲା ରୁଜୁ ହେବା ପରେ ଯେଉଁ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରୁ ନଥିଲା ଅଧ୍ୟାପିକା ଜୀବନ ହାରିବା ପରେ କେମିତି ଗିରଫ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୋଲିସ ବ୍ୟବସ୍ଥା ଉପରେ ଭରସା କରି ଲୋକେ ଥାନାକୁ ଅଭିଯୋଗ ଆଣି ଆସିଥାନ୍ତି। ଠିକ୍‌ ସେମିତି ଅଧ୍ୟାପିକା ଜଣକ ପୋଲିସ ଉପରେ ଭରସା କରିଥିଲେ। ଅଭିଯୁକ୍ତର ଧମକ ସତ୍ତ୍ୱେ ଅଧ୍ୟାପିକା ସାହସର ସହ ଥାନାରେ ଏତଲା ଦେଇଥିଲେ। ହେଲେ ପୋଲିସ ତାଙ୍କ ଭରସାକୁ ଅତୁଟ ରଖି ପାରିଲାନି। ନ୍ୟାୟକୁ ଚାହିଁ ଚାହିଁ ଶେଷରେ ସେ ଆତ୍ମହତ୍ୟାର ରାସ୍ତା ବାଛିନେଲେ।

Comment