ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଣଦୁଷ୍କର୍ମ ଘଟଣାରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତିବାଦ କରିଛି ଦଳ। କଂଗ୍ରେସ ବିଧାୟକ ସୁର ରାଉତରାୟ ଏବଂ ଯୁବ କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଶହ ଶହ ଯୁବ କଂଗ୍ରେସ କର୍ମୀ ପୁରୀ ଗଣଦୁଷ୍କର୍ମ ଘଟଣାକୁ ନିନ୍ଦା କରିଥିଲେ।
ଯୁବ କଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିଲେ। ହେଲେ ଶିଶୁଭବନ ଛକରେ ପୋଲିସ ବିକ୍ଷୋଭକାରୀଙ୍କୁ ଅଟକାଇଥିଲା। ଫଳରେ କଂଗ୍ରେସ କର୍ମୀ ଏବଂ ପୋଲିସ ଭିତରେ ଧସ୍ତାଧସ୍ତି ହୋଇଥିଲା।
ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ବୋଲି କଂଗ୍ରେସ କର୍ମୀମାନେ କହିଥିଲେ।
‘‘ପ୍ରତିଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି। ପୁରୀରେ ପୋଲିସ କ୍ୱାର୍ଟର୍ସରେ ଯେଉଁ ଦୁଷ୍କର୍ମ ଘଟଣା ଘଟିଛି ତାହା ନିନ୍ଦନୀୟ। ନବୀନ ପଟ୍ଟନାୟକ ୨୦ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ହେଲେ ଦୁଷ୍କର୍ମ ଘଟଣା ବନ୍ଦ ହେଉନି। ଏହା ଅତି ଲଜ୍ଜାଜନକ କଥା’’, କହିଛନ୍ତି ସୁର ରାଉତରାୟ।
ସୋମବାର ରାତିରେ ପୁରୀରୁ ଏକ ସାଂଘାତିକ ଅଭିଯୋଗ ଆସିଥିଲା। ପୋଲିସ ପରିଚୟ ଦେଇ ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ନିମାପଡ଼ାରୁ ନେଇ ପୁରୀରେ ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଜଣକ ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ।



















