ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସର ପାଶବିକ ଅତ୍ୟାଚାର ସମ୍ପର୍କରେ ମୁହଁ ଖୋଲିଲେ ପୁରୀ ଦୁଷ୍କର୍ମ ପୀଡ଼ିତା।

ପୁରୀ ପୋଲିସ କ୍ୱାର୍ଟର୍ସରେ ଗଣଦୁଷ୍କର୍ମ। ଏହି ଦୁଷ୍କର୍ମରେ ଅନ୍ୟ କେହି ନୁହେଁ, ଖୋଦ୍‌ ପୋଲିସ କର୍ମଚାରୀ ସାମିଲ। ପୋଲିସ କ୍ୱାର୍ଟର୍ସରେ ପୋଲିସ କନଷ୍ଟେବଳ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ନେଇ ସାରା ରାଜ୍ୟ ଏବେ ଉଠୁଛି ପଡୁଛି।

ଦୁଷ୍କର୍ମ ଅଭିଯୋଗରେ କନଷ୍ଟେବଳ ଜିତେନ୍ଦ୍ର ସେଠୀକୁ ଗିରଫ କରାଯାଇଛି। ତେବେ ଏହି କନଷ୍ଟେବଳ ଜଣକ କେମିତି ପାଶବିକ ଅତ୍ୟାଚାର କଲେ ସେନେଇ ପୂରା କାହାଣୀ କହିଛନ୍ତି ପୀଡ଼ିତା।

‘‘ମୋ’ ଘର କାକଟପୁର’’

‘‘ମୁଁ ଭୁବନେଶ୍ୱରରେ ରୁହେ। ମୋ ଘର ହେଉଛି କାକଟପୁର। ଭୁବନେଶ୍ୱରରୁ ବସ୍‌ରେ ଆସି ନିମାପଡ଼ାରେ ଓହ୍ଲାଇଥିଲି। ନିମାପଡ଼ା ବସ୍‌ ଷ୍ଟାଣ୍ଡରେ ଗାଁ ବସ୍‌ ଧରିଥାନ୍ତି। ବସ୍‌ ଷ୍ଟାଣ୍ଡରେ ଦହିବରା ଖାଇବା ବେଳେ ଗାଁ ବସ୍‌ ଛାଡ଼ି ଦେଇଥିଲା। ମୁଁ ଆର ବସ୍‌କୁ ଅପେକ୍ଷା କରିଥିଲି। ହେଲେ ଏହି ସମୟରେ ୪ ଜଣ ଲୋକ ଆସି ମତେ ପୋଲିସ ପରିଚୟ ଦେଇ ଗାଁରେ ଛାଡ଼ିଦେବୁ କହିଥିଲେ’’, ଏହା ହେଉଛି ପୁରୀ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ।

ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ଶିକାର ହେବା ପରେ ପୀଡ଼ିତା କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ମିଡିଆକୁ ପୂରା କାହାଣୀ କହିଥିଲେ ପୀଡ଼ିତା।

ପୋଲିସ ବୋଲି ଭରସା କଲି…

‘‘ଗାଁରେ ଛାଡ଼ିଦେବାକୁ କହିଥିବା ୪ ଜଣଙ୍କ ଭିତରୁ ଜଣେ ପୋଲିସର ପରିଚୟ ଦେଇଥିଲେ। ପୋଲିସ ବୋଲି ମୁଁ ତାଙ୍କ ଉପରେ ଭରସା କରି ଗାଡ଼ିରେ ବସିଥିଲି। ହେଲେ ସେମାନେ କାକଟପୁର ନେବା ବଦଳରେ ସିଧା ପୁରୀ ନେଇ ଆସିଥିଲେ। ପୁରୀ ରେଳ ଷ୍ଟେସନ ନିକଟ ପୋଲିସ କ୍ୱାର୍ଟର୍ସକୁ ଆଣି ଗୋଟେ ଘରେ ପୂରାଇଦେଲେ’’, ଏହି ଲୋମ ଟାଙ୍କୁରା କହିଛନ୍ତି ଦୁଷ୍କର୍ମ ପୀଡ଼ିତା।

ପୀଡ଼ତାଙ୍କ ହାତରେ ଜଣେ ଦୁଷ୍କର୍ମକାରୀଙ୍କ ପର୍ସ ଲାଗିଥିଲା। ଏହି ପର୍ସରେ ଜଣକର ଆଧାର କାର୍ଡ ଥିଲା। ଆଧାର କାର୍ଡରୁ ଜଣାପଡ଼ିଥିଲା ଯେ ସେ ହେଉଛନ୍ତି ଜିତେନ୍ଦ୍ର ସେଠୀ। ଜିତେନ୍ଦ୍ର ପୋଲିସ କନଷ୍ଟେବଳ ଭାବେ ଚାକିରି କରିଥିଲେ। ଏହାପରେ ପୋଲିସ ତନାଘନା କରିଥିଲା।

‘‘ଦୁଇ ଜଣ ବାହାରେ, ଦୁଇ ଜଣ ଭିତରେ’’

‘‘ପୋଲିସ କ୍ୱାର୍ଟର୍ସରେ ମତେ ଗୋଟିଏ ଘରେ ପୂରାଇଦେଲେ। ଦୁଇ ଜଣ ଭିତରେ ଥିଲେ। ଆଉ ଦୁଇ ଜଣ ବାହାରପଟୁ କବାଟ ଦେଇଦେଲେ। ପ୍ରାୟ ଦୁଇ ଘଣ୍ଟା ଧରି ମୁଁ ଘର ଭିତରେ ଥିଲି। ସନ୍ଧ୍ୟା ୬ଟା ବେଳକୁ ମୁଁ ଖସି ଆସିଲି’’, ପୋଲିସ କ୍ୱାର୍ଟର୍ସରେ ହୋଇଥିବା ପାଶବିକ ଅତ୍ୟାଚା ସମ୍ପର୍କରେ ଏହା ହେଉଛି ପୀଡ଼ିତାଙ୍କ ବୟାନ।

ପୀଡ଼ିତା ଆହୁରି କହିଛନ୍ତି ଯେ ସେମାନଙ୍କୁ ସେ ଆଗରୁ ଚିହ୍ନି ନଥିଲେ। ପ୍ରଥମ ଥର ପାଇଁ ଦେଖିଥିଲେ। କେବଳ ପୋଲିସର ପରିଚୟ ଦେବାକୁ ସେ ତାଙ୍କ ଉପରେ ଭରସା କରି ଗାଡ଼ିରେ ଆସିଲେ।

ସୋମବାର ସନ୍ଧ୍ୟାରେ ପୁରୀରୁ ସାଂଘାତିକ ଅଭିଯୋଗ ଆସିବା ପରେ ମଙ୍ଗଳବାର ରାଜନୀତି ତେଜିଛି। ପୋଲିସ ଏଭଳି ପାଶବିକ ଅତ୍ୟାଚାର କରିଥିବାରୁ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

Comment