ଓଡ଼ିଶାଲାଇଭ୍ ବ୍ୟୁରୋ

ଶାସକ ବିଜେପିର ବରିଷ୍ଠ ନେତା ଓ ସାଂସଦ ମାନେ ଗତ କିଛି ଦିନ ଧରି ଅଜବ ଅଜବ ମନ୍ତବ୍ୟ ଦେବା ଦେଖାଯାଉଛି। କିଏ କହୁଛି ସମାଜରେ ଅପରାଧ ରୋକିବା ଗ୍ୟାରେଣ୍ଟି ସ୍ୱୟଂ ରାମଚନ୍ଦ୍ର ବି ଦେଇ ପାରିନଥିଲେ ତ ଆଉ କିଏ କହୁଛି ଯଦି ଅଟୋମୋବାଇଲ ସେକ୍ଟରରେ ମାନ୍ଦା ଅବସ୍ଥା ତେବେ ରାସ୍ତା ସବୁ କାହିଁକି ଜାମ୍ ରହୁଛି?
ଦେଶରେ ଆର୍ଥିକ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଥିବାର ଭୂରିଭୂରି ପ୍ରମାଣ ଥିଲେ ମଧ୍ୟ ବିଜେପିର ସାଂସଦମାନଙ୍କୁ ସେ କଥା ଅନୁଭବ ହେଉନାହିଁ। ନିଜେ ସରକାର ଏହି ଖରାପ ଅବସ୍ଥାରୁ ଅର୍ଥନୀତିକୁ ଉଠାଇବା ପାଇଁ ଘନଘନ ପ୍ୟାକେଜ ଘୋଷଣା କରୁଛନ୍ତି ଅଥଚ ବିଜେପି ସାଂସଦମାନଙ୍କ ଦାୟିତ୍ୱହୀନ ମନ୍ତବ୍ୟ ବନ୍ଦ ହେବାର ନାଁ ଧରୁନାହିଁ।

ଗୁରୁବାର ଦିନ ଲୋକସଭାରେ ବାଲିଆ ସାଂସଦ ବିରେନ୍ଦ୍ର ସିଂହ ମସ୍ତ କହିଲେ, ଯଦି ଯାନବାହନର ବିକ୍ରି କମିଛି ତେବେ ଦେଶ ତମାମ ରାସ୍ତା ଘାଟ ଏତେ ଜାମ କାହିଁକି ରହୁଛି? ତାଙ୍କ କହିବା କଥା ଯେ ମୋଦି ସରକାରଙ୍କୁ ବଦନାମ କରିବା ପାଇଁ ଏହା ଏକ ହୀନ ଚକ୍ରାନ୍ତ। ସେ କହିଲେ ଯଦି ମନ୍ଦି ଲାଗି ରହିଛି ଗୋଟିଏ ଗୋଟିଏ ପରିବାରରେ ଦୁଇ ତିନୋଟି ଗାଡ଼ି କେମିତି ରହୁଛି?
ସେହିଭଳି ସେ ଆଉ ଏକ ମନ୍ତବ୍ୟ ଦେଇଛନ୍ତି ଯେ, ପିଆଜ ମହଙ୍ଗା ହୋଇଗଲା ବୋଲି ଚାରିଆଡ଼େ ହଙ୍ଗାମା, କିନ୍ତୁ ମୋ ନିର୍ବାଚନ ମଣ୍ଡଳୀରେ ପିଆଜ କିଲୋ ୨୫ ଟଙ୍କାରେ ବିକ୍ରି କରୁଛନ୍ତି ବ୍ୟବସାୟୀ।

ମନେ ପକାଇ ଦିଆଯାଇ ପାରେ ଯେ ପୂର୍ବରୁ ଅନ୍ୟ ଜଣେ କେନ୍ଦ୍ର ମନ୍ତ୍ରୀ ସୁରେଶ ଅଂଗଡ଼ି କହିଥିଲେ ଯେ, ଟ୍ରେନ ଓ ଏୟାରପୋର୍ଟରେ ପୂରା ଭିଡ଼ ଲାଗି ରହିଛି ଓ ଲୋକେ ବିବାହ ଉତ୍ସବରେ ଖୁବ୍ ମାତିଛନ୍ତି। ତେଣୁ ମାନ୍ଦାବସ୍ଥା କଥା କୋଉଠୁ ଉଠୁଛି? ଅଂଗଡ଼ି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବିକୁ ବିଗାଡ଼ିବା ପାଇଁ ବିରୋଧୀ ଏହିଭଳି କଥା କହୁଛନ୍ତି।

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ, ଦେଶରେ ଫିଲ୍ମ ଜଗତରେ ଶହ ଶହ କୋଟି କୋଟି ଟଙ୍କାର କାରବାର ହେଉଥିବା ବେଳେ ମାନ୍ଦାବସ୍ଥା ଆଉ କେତେବେଳେ ସୃଷ୍ଟି ହେଲା? ପ୍ରସାଦଙ୍କ ଏହି ମନ୍ତବ୍ୟ ଉପରେ ଦେଶ ତମାମ ବୋବାଲ ହୋଇଥିଲା ଓ ତାଙ୍କୁ ତାଙ୍କ କଥା ଫେରାଇନେବାକୁ ପଡ଼ିଥିଲା।








