ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ବ୍ଲକ ଫାମ୍ପୁଣି ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣାର ଗୁମର ଖୋଲିଛି ଜୟପୁର ସଦର ପୋଲିସ। ଏହି ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ସୁକାନ୍ତି ରଥଙ୍କ ସ୍ୱାମୀ ରାଜେନ୍ଦ୍ର ରଥ(୬୦)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁକ୍ରବାର ଏନେଇ ଏସ୍‌ଡିପିଓ ବରୁଣ ଗୁଣ୍ଠପାଲ୍ଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

ଛାତ୍ରୀର ବୟାନ ଆଧାରରେ ଅଭିଯୁକ୍ତ ରଜେନ୍ଦ୍ର ରଥଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି। ରାଜେନ୍ଦ୍ରଙ୍କ ନାମରେ ୩୭୬ (୨)(ଏନ), ୩୭୬ (୩), ୫୦୬ ଆଇପିସି, ୬ ପୋସ୍କୋ ଆକ୍ଟ, ୩(୨)(ଭି) ଏସ୍‌ସି/ଏସଟି ଆକ୍ଟ ଦଫାରେ ଲଗାଇ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଛାତ୍ରୀଜଣକ ୩ ମାସର ଗର୍ଭବତୀ ହୋଇଛନ୍ତି।

ଅଭିଯୁକ୍ତ ରାଜେନ୍ଦ୍ର ରଥ ନାବାଳିକାଙ୍କୁ ନିଜ ଘରେ ରହିବାକୁ ଆଣି ଘରେ ଏବଂ ସେବାଶ୍ରମ ପରିସରରେ ଥିବା ସରକାରୀ କ୍ୱାଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେହିପରି ଏହି କଥା କାହାକୁ ନକହିବାକୁ ମଧ୍ୟ ଅଭିଯୁକ୍ତ ନାବାଳିକାକୁ ଧମକ ଦେଇଥିବା ପୋଲିସ ସୂଚନା ଦେଇଛି।

ଏହି ଘଟଣା ଆସିବା ପରେ ଅଭିଯୁକ୍ତଙ୍କ ପତ୍ନୀ ତଥା ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଅନ୍ୟ ରୂପ ଦେବାକୁ ଚେଷ୍ଟା କରୁଥିଲେ। ଛୁଟିରେ ଥିବା ସମୟରେ ଏହି ଘଟଣା ଘଟିଥିବା ପ୍ରଧାନ ଶିକ୍ଷୟତ୍ରୀ କହିଥିଲେ।

ପୋଲିସ ଉଭୟ ଛାତ୍ରୀ ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରିଛି। ଏହି ଘଟଣା ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାର ରାଜଶ୍ରୀ ଦାସ ସଦର ପୋଲିସ ନିକଟରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ରାଜଶ୍ରୀ ଦାସ, ଆଇଟିଡିଏ ପିଏ ଗୋପିନାଥ ସାରକା ଏବଂ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଗାୟତ୍ରୀ ଦେବୀ ଆଶ୍ରମରେ ପହଞ୍ଚି ଉକ୍ତ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଫାମ୍ପୁଣି ଉନ୍ନୀତ ସେବାଶ୍ରମରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଥିବା ବେଳେ ଏଠାରେ ୨୯୬ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏଥିମଧ୍ୟରୁ ୧୭୭ ଜଣ ହୋଷ୍ଟେଲରେ ରହୁଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିବା ପରେ ଫାମ୍ପୁଣି ଗ୍ରାମବାସୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିବାକୁ ସଦର ଥାନାରେ ଦାବି କରିଛନ୍ତି।

Comment