ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶେଷକରି କେନ୍ଦ୍ରାପଡା ଜିଲ୍ଲା ମୁରବି ଶୂନ୍ୟ ହୋଇଯାଇଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଗବତଙ୍କୁ ଝୁରି ହେଉଛନ୍ତି।

ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଶନିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲେ। ୯୩ ବର୍ଷ ବୟସରେ ସେ ଆର ପାରିକୁ ଚାଲି ଯାଇଛନ୍ତି।

ବିଶିଷ୍ଟ ସମାଜବାଦୀ ନେତା ସ୍ୱର୍ଗତ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଭାଗବତ ମହାନ୍ତିଙ୍କ ଇଚ୍ଛା ଥିଲା। ଏହି ଇଚ୍ଛା ତାଙ୍କର ପୂରଣ ହୋଇଥିଲା। ଆସନ୍ତା ୨୨ ତାରିଖରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ସମ୍ମୁଖରେ ସୁରେନ୍ଦ୍ରନାଥଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯିବାର କାର୍ଯ୍ୟକ୍ରମ ରହିଥିଲା ହେଲେ ତା’ ପୂର୍ବରୁ ସେ ଚାଲିଗଲେ।

ଭାଗବତ ମହାନ୍ତି ଥିଲେ କେନ୍ଦ୍ରାପଡା ଜିଲ୍ଲା ନିର୍ମାଣର ସୁଦକ୍ଷ ବିନ୍ଧାଣି। କେନ୍ଦ୍ରାପଡା ଜିଲ୍ଲା ରାଜନୀତିରେ ଯେଉଁମାନେ ଲୋକ ପ୍ରତିନିଧି ହୋଇଛନ୍ତି ସେମାନଙ୍କ ମଧ୍ୟରେ ଭାଗବତ ପ୍ରସାଦ ମହାନ୍ତି ହେଉଛନ୍ତି ଲୋକଙ୍କ ନେତା। କ୍ଷମତାରେ ନଥାଇ ବି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ରହୁଥିଲେ।

୧୯୨୭ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ସଠିଲୋ ଗାଁରେ ଜନ୍ମ ନେଇଥିଲେ ଭାଗବତ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷକରି ସାଲେପୁର ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିଲେ।  ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଶେଷକରି କଟକ ମଧୁସୁଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା କରିଥିଲେ ସେ।

୧୯୭୧ ମସିହାରେ ସୋସିଆଲିଷ୍ଟ ନେତା ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ଡାକରାରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। କେନ୍ଦ୍ରାପଡା ବିଧାନଭା ଆସନରୁ ପ୍ରଥମେ ବିଧାୟକ ଭାବେ ଜିତିଥିଲେ। ଏହା ପୂର୍ବରୁ ସେ ୧୯୪୦ରୁ ୧୯୬୦ ପର୍ଯ୍ୟନ୍ତ ସତ୍ୟାଗ୍ରହ ଆନ୍ଦୋଳନର ସକ୍ରିୟ ନେତା ଥିଲେ।

କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଗରଦପୁର ପଞ୍ଚାୟତ ସମିତିର ସଦସ୍ୟ ଓ କେନ୍ଦ୍ରାପଡା ପୌର କାଉନସିଲର ସଦସ୍ୟ ରହିଥିଲେ। ୧୯୭୩  ମସିହାରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ କଂଗ୍ରେସର ଯୋଗଦେଇଥିଲେ।  କେନ୍ଦ୍ରାପଡା ବିଧାନସଭାରୁ ସେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ ରୁ ୨୦୦୦ ମସିହାରେ ବିଧାୟକ ଥିବା ବେଳେ ସେ ଗିରିଧାରୀ ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଜସ୍ୱ, ଅବକାରୀ, ଉଚ୍ଚଶିକ୍ଷା, ପ୍ଲାନିଂ ଓ କୋର୍ଡିନେସନ, ଅର୍ଥ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ବିଶିଷ୍ଟ ସମବାୟବିତ୍ ଭାବରେ ସେ ରାଜ୍ୟରେ ବେଶ୍ ଜଣାଶୁଣା।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ଯେତେସବୁ ଲୋକପ୍ରତିନିଧି ଥିଲେ ସେମାନଙ୍କ ମଧ୍ୟରେ ଭାଗବତ ବାବୁଙ୍କ କାର୍ଯ୍ୟ ଥିଲା ସମ୍ପୂର୍ଣ୍ଣ ନିଆରା। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ବଳଦେବଜୀୟୁ କଲେଜ ଅଫ ଏଡୁକେସନ ଖୋଲି ରାଜ୍ୟ ଓ ରାଜ୍ୟ ବାହାରେ ହଜାର ହଜାର ଶିକ୍ଷକ ସୃଷ୍ଟି କରିବାରେ ତାଙ୍କର ଅବଦାନକୁ ଭୁଲି ହେବ ନାହିଁ। ଏହାଛଡା କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ତାଙ୍କର ମାନସ ସନ୍ତାନ। ଏହି ଅନୁଷ୍ଠାନରେ ଶତାଧିକ ଲୋକଙ୍କୁ ଚାକିରି ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ ଭାଗବତ ପ୍ରସାଦ ମହାନ୍ତି।

କେନ୍ଦ୍ରାପଡ଼ାରେ ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ଖୋଲି ହଜାର ହଜାର ଆଇନଜୀବୀ ସୃଷ୍ଟି କରିଛନ୍ତି। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଥିବା ବେଳେ ଅନେକ ଶିକ୍ଷାବିତଙ୍କୁ ଚାକିରି ଦେଇଥିଲେ। କେନ୍ଦ୍ରାପଡା ବ୍ଲକର ଆୟବାଠାରେ ଜିଲ୍ଲାର ପ୍ରଥମ ବିଜ୍ଞାନ କଲେଜ ଖୋଲିଥିଲେ ସେ। ଗଣ୍ଡାଖିଆ ନିକଟରେ ଗୋବରୀ ନଦୀରେ ପୋଲ ନିର୍ମାଣ କରି ପଟ୍ଟାମୁଣ୍ଡାଇ ସହ କେନ୍ଦ୍ରାପଡାକୁ ସଂଯୋଗ କରିଥିଲେ।

୧୯୯୦ ମସିହା ବେଳକୁ ଆଇନ ସେବାରୁ ନିଜକୁ ଦୂରେଇ ନେଇ ତାଙ୍କର ସମସ୍ତ ଆଇନ ପୁସ୍ତକଗୁଡ଼ିକୁ କେନ୍ଦ୍ରାପଡା ଓକିଲ ସଙ୍ଘ ପାଠାଗାରକୁ ଦାନ କରିଦେଇଥିଲେ। ୧୯୮୯ ମସିହାରେ ସେ ବିଧାୟକ ଥିବା ବେଳେ କେନ୍ଦ୍ରାପଡା ସବଡିଭଜନକୁ ଏକ ନୂତନ ଜିଲ୍ଲା କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏବେ ଭାଗବତଙ୍କୁ ସମସ୍ତେ ଝୁରୁଛନ୍ତି।

୨୦୧୯ରେ କେନ୍ଦ୍ରାପଡ଼ା ଦୁଇ ଜଣ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି କୁହାଯାଉଛି। ଗତ ସାଧାରଣ ନିର୍ବାଚନ ବେଳେ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ପରେ ଏବେ ଭାଗବତ ବାବୁ ଚାଲିଗଲେ।

Comment