ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବଧାନ! ପବ୍ଲିକ୍‌ ଚାର୍ଜିଂ ପଏଣ୍ଟ୍‌ରେ ମୋବାଇଲ ଫୋନ୍‌ ଚାର୍ଜ ବସାଉଛନ୍ତି କି? ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡ଼ିଯାଇପାରେ। ଏଭଳି ଖବର ଆସିଛି ରାଜଧାନୀ ଦିଲ୍ଲୀରୁ। ଖବର ଆସିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏନେଇ ସତର୍କବାଣୀ କରାଯାଇଛି। ପବ୍ଲିକ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ୍‌ ଫୋନ୍‌ ଚାର୍ଜ ନକରିବାକୁ ପୋଲିସ ପରାମର୍ଶ ଦେଇଛି।

ପବ୍ଲିକ୍‌ ମୋବାଇଲ ଚାର୍ଜିଂ ପଏଣ୍ଟରେ ଆପଣଙ୍କ ଫୋନ୍‌ର ଗୁପ୍ତ ତଥ୍ୟ ଚୋରୀ ହେବାର ସମ୍ଭାବନା ରହିଛି। ନିକଟରେ ଦିଲ୍ଲୀର ଅମିତ ମିଶ୍ର ପବ୍ଲିକ୍‌ ଚାର୍ଜିଂ ପଏଣ୍ଟରେ ନିଜ ମୋବାଇଲ ଚାର୍ଜରେ ବସାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ବ୍ୟାଙ୍କରୁ ଆସିଥିବା ଏହି ମେସେଜ୍‌ରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଥିବା ଖବର ଆସିଛି। ଏନେଇ ଅମିତ ଦିଲ୍ଲୀ ସାଇବର ପୋଲିସରେ ଅଭିଯୋଗ କରିଛନ୍ତି।

ସେହିପରି ଫେସନ ଡିଜାଇନର ସୁସ୍ମିତା ପୁରୋହିତ ଦିଲ୍ଲୀର ଖାନ୍‌ ମାର୍କେଟ୍‌ରେ ପବ୍ଲିକ୍‌ ଚାର୍ଜିଂ ପଏଣ୍ଟରେ ଚାର୍ଜ ବସାଇଥିଲେ। ତାଙ୍କ ସୋସିଆଲ ମିଡିଆରେ କିଛି ଆପତ୍ତିଜନକ ଫଟୋ ପୋଷ୍ଟ ହୋଇଥିବା ସେ ଦେଖିବାକୁ ପାଇଥିଲେ। ସେ ମଧ୍ୟ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି।

ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୋଲିସ ଏନେଇ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛି। କୌଣସି ପବ୍ଲିକ୍‌ ଚାର୍ଜିଂ ପଏଣ୍ଟରେ ମୋବାଇଲ ଚାର୍ଜ ନକରିବାକୁ ପୋଲିସ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏନେଇ ସତର୍କ କରାଯାଇଛି। ଏସ୍‌ବିଆଇ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡଲରେ ଏକ ଭିଡିଓ ଜାରି କରାଯାଇ ଏନେଇ ସୂଚନା ଦିଆଯାଇଛି।

Comment