ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ନାଗରିକତା ବିଲକୁ ସମର୍ଥନ କରିବ ବିଜେଡି। ତେବେ ଏଥିରେ ଶ୍ରୀଲଙ୍କା ଶରଣାର୍ଥୀମାନଙ୍କୁ ସ୍ଥାନ ଦେବା ପାଇଁ ଦାବି କରିବ ବିଜେଡି। ଏନେଇ ବୁଧବାର ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
“ବିଜେଡି ଗୋଟିଏ ଧର୍ମ ନିରପେକ୍ଷେ ଦଳ। ଲୋକସଭା ପରି ରାଜ୍ୟସଭାରେ ଆମ ମଧ୍ୟ ଦଳ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିବ। ତେବେ ଏହି ବିଲରେ ଶ୍ରୀଲଙ୍କାର ଶରଣାର୍ଥୀମାନଙ୍କୁ ସ୍ଥାନ ଦେବାକୁ ଦଳ ଦାବି କରିବ”, କହିଛନ୍ତି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଏଭଳି କୌଣସି ମନ୍ତବ୍ୟ ନଦିଅନ୍ତୁ, ଯେଉଁଥିରେ ମୁସଲମାନ ଭାଇମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବେ । ଏହି ବିଲକୁ ଧର୍ମ ଭିତ୍ତିରେ ପ୍ରସ୍ତୁତ କରାଯାଇ ନାହିଁ ବୋଲି ସେ କହିଛନ୍ତି।
ଲୋକସଭାରେ ସୋମବାର ନାଗରିକତା ସଂଶୋଧନ ବିଲ ପାସ୍ ହୋଇଛି। ବୁଧବାର ଏହାକୁ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି ବିଲରେ ଇସଲାମ୍ ଶରଣାର୍ଥୀମାନଙ୍କୁ ସ୍ଥାନ ଦିଆଯାଇନଥିବାରୁ ଏହାକୁ ବିଭିନ୍ନ ଦଳ ବିରୋଧ କରୁଛନ୍ତି।