ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଭଳି ଲିଙ୍ଗରାଜ ମନ୍ଦିର ଚାରିପଟେ ଗଡୁଛି ବୁଲ୍‌ଡୋଜର। ଗତ ୯ ତାରିଖରୁ ପ୍ରଶାସନର ବୁଲଡୋଜର ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ହଟାଉଛି। କେଉଁଠି ପାଚେରୀ ଭାଙ୍ଗୁଛି ତ ଆଉ କେଉଁଠି ଘର ଭଙ୍ଗା ଯାଉଛି। ହେଲେ ଏହି ଭଙ୍ଗାଭଙ୍ଗିକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଗତ ଦୁଇ ଦିନ ହେଲା ଉଚ୍ଛେଦ ବନ୍ଦ ଥିଲା। ପୁଣି ଗୁରୁବାରଠୁ ବିଡିଏ ଓ ବିଏମ୍‌ସିର ଜଏଣ୍ଟ ଏନଫୋର୍ସ ସ୍କ୍ୱାଡ୍‌ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। ହେଲେ ବିରୋଧ ଥମି ନଥିଲା।

ବିନା ନୋଟିସ୍‌ରେ ଉଚ୍ଛେଦ ହେଉଥିବାରୁ ଲୋକେ ବିରୋଧ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ ଲୋକେ। ହେଲେ କିଛି ଶୁଣି ନଥିଲା ପ୍ରଶାସନ। ଘର ଉପରେ ସିଧା ବୁଲ୍‌ଡୋଜର ମାଡ଼ ହୋଇଥିଲା। ଲୋକ କିନ୍ତୁ ହଟି ନଥିଲେ। ଆଗ ଥଇଥାନ ପରେ ଉଚ୍ଛେଦ ନାରା ଦେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ।

ଶେଷରେ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ ସରକାର। ଲିଙ୍ଗରାଜ ମନ୍ଦିର ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ସ୍ୱତନ୍ତ୍ର ବୈଠକ ବସିଲା। ବହୁ ତର୍ଜମା ପରେ ମୁଖ୍ୟମନ୍ତ୍ରୀ ପ୍ରାକେଜ୍‌ ଘୋଷଣା କଲେ।

ପୁରୀରେ ବି ସେମିତି ଘଟଣା ଘଟିଥିଲା। ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ବୁଲ୍‌ଡୋଜର ବୁଲିଥିଲା। ଏହାକୁ ବିରୋଧ କରିଥିଲେ ପୁରୀବାସୀ। ଶେଷରେ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଥିଲେ।

Comment