ଓଡ଼ିଶାଲାଇଭ୍‌ ବ୍ୟୁରୋ  

ବାଂଲାଦେଶ ଗଠନରେ ଇନ୍ଦିରା ଗାନ୍ଧୀଙ୍କ ଅବଦାନ। ପୂର୍ବ ପାକିସ୍ତାନ ହେଲା ବାଂଲାଦେଶ।

୧୯୭୧ ମସିହାର କଥା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମାଣିକ୍‌ସାଙ୍କୁ କହିଥିଲେ, ମୁଁ ଚାହୁଁଛି ଭାରତୀୟ ସେନା ପୂର୍ବ ପାକିସ୍ତାନରେ ପ୍ରବେଶ କରନ୍ତୁ। ଏହାର ପରିଣାମ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବୋଲି ଜେନେରାଲ ଚେତାବନୀ ଦେଇଥିଲେ। ଇନ୍ଦିରା କହିଥିଲେ, “ଯୁଦ୍ଧ ହେଉଛି ଯଦି ହେଉ।,ଏଥିରେ ମୋର ଆପତ୍ତି ନାହିଁ।”

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ପଦକ୍ଷେପ ପାଇଁ ଆଜି ବିଶ୍ୱ ମାନଚିତ୍ରରେ ବାଂଲାଦେଶ ଏକ ସ୍ୱତନ୍ତ୍ର ଦେଶ ଭାବେ ସ୍ଥାନ ପାଇଛି। ସେଦିନ ଇନ୍ଦିରା ଗାନ୍ଧୀଙ୍କୁ ଏଥିପାଇଁ କହିବାକୁ ପଡ଼ିଥିଲା, କାହିଁକି ନା ସେତେବେଳେ ଭାରତର ପୂର୍ବରେ ଥିବା ପାକିସ୍ତାନର ସେହି ଅଞ୍ଚଳରେ ଏମିତି କିଛି ଘଟୁଥିଲା ଯାହାର ପ୍ରଭାବ ଭାରତ ଉପରେ ପଡ଼ିଥିଲା।

୧୯୪୭ ମସିହାରେ ଆମ ଦେଶ ସ୍ୱାଧୀନତା ପାଇବା ପରେ ଦେଶ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ନାଁରେ ୨ଟି ଅଲଗା ଦେଶ ନିର୍ମାଣ ହୋଇଥିଲା। ପଶ୍ଚିମରେ ଥିବା ପାକିସ୍ତାନ ଭାରତର ପୂର୍ବରେ ଥିବା ବଙ୍ଗଳା ମୁସଲିମ୍‌ ବହୁଳ ଅଞ୍ଚଳକୁ ମଧ୍ୟ ନିଜ ଅଧିନରେ ରଖିଥିଲା। ଏହାକୁ ପୂର୍ବ ପାକିସ୍ତାନ କୁହାଯାଉଥିଲା।

ହେଲେ ଭାଷାଗତ ସମସ୍ୟା ଦେଖାଦେବାରୁ ସେଠାକାର ଲୋକମାନେ ପାକିସ୍ତାନ ବିରୋଧୀ ହେବାକୁ ଲାଗିଲେ। ହେଲେ ପାକିସ୍ତାନ ସୈନ୍ୟବାହିନୀ ସେମାନଙ୍କୁ ଅତ୍ୟାଚାର କରିବାକୁ ଲାଗିଲେ। ଚାହୁଁ ଚାହୁଁ ଏହା ନରସଂହାରରେ ପରିଣତ ହୋଇଗଲା। ଲକ୍ଷ ଲକ୍ଷ ଲୋକେ ପାକିସ୍ତାନୀ ସୈନ୍ୟଙ୍କ ଅତ୍ୟାଚାରରେ ପ୍ରାଣ ହରାଉଥିଲେ। ତେବେ ନିଜ ଜୀବନ ବଞ୍ଚାଇବା ପାଇଁ ପୂର୍ବ ପାକିସ୍ତାନର ଲୋକମାନେ ନିଜ ଦେଶ ଛାଡ଼ି ଭାରତର ଶରଣ ପଶିଲେ।

ପୂର୍ବ ପାକିସ୍ତାନର ପାଖାପାଖି ୧୦ ଲକ୍ଷ ଲୋକ ନିଜ ଜୀବନ ବଞ୍ଚାଇବାକୁ ଭାରତକୁ ଚାଲିଆସିଥିଲେ। ଏହାର ପ୍ରଭାବ ଭାରତ ଉପରେ ପଡ଼ିଥିଲା। ଅନ୍ୟପଟେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏନେଇ ଚାପ ପଡ଼ୁଥିଲା। ଶେଷରେ ଏହି ମାମଲାରେ ଇନ୍ଦିରା ଗାନ୍ଧୀ ହସ୍ତକ୍ଷେପ କରିଥିଲେ।

ଗୋଟେପଟେ ଇନ୍ଦିରା ପାକିସ୍ତାନର କାର୍ଯ୍ୟକଳାପକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରକାଶ କରି ଭାରତ ଉପରେ ସମର୍ଥନକୁ ଏକଜୁଟ କରୁଥିବା ବେଳେ ଅନ୍ୟପଟେ ଭାରତୀୟ ସେନାକୁ ପୂର୍ବ ପାକିସ୍ତାନରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ କରାଉଥିଲେ। ଏଥିରେ ଇନ୍ଦିରା ସଫଳ ମଧ୍ୟ ହୋଇଥିଲେ। ଋଷ୍‌ ଭାରତକୁ ସମର୍ଥନ କରିଥିଲା। ହେଲେ ଏପଟେ ପୂର୍ବ ପାକିସ୍ତାନର ଅବସ୍ଥା ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଥିଲା।

ପୂର୍ବ ପାକିସ୍ତାନର ବଙ୍ଗଳା ସୈନ୍ୟ ଏବଂ ପୋଲିସ୍‌ ଫୋର୍ସ ମିଶି ମୁକ୍ତି ବାହିନୀ ସେନା ଗଠନ କରିଥିଲେ। ଏମାନେ ପାକିସ୍ତାନ ସୈନ୍ୟ ବିରୋଧରେ ଆସି ନିଜକୁ ସ୍ୱାଧୀନତା ଘୋଷଣା କରିଦେଇଥିଲେ। ଏହି ମାମଲାରେ  ଭାରତ ସେମାନଙ୍କୁ ସାହାଯ୍ୟ କରୁ ବୋଲି ସେମାନେ ଚାହୁଁଥିଲେ। ସେତେବେଳକୁ ପାକିସ୍ତାନର ବାୟୁସେନା ବିଭିନ୍ନ ସମୟରେ ଭାରତ ସୀମା ମଧ୍ୟକୁ ପଶି ଆସୁଥାଏ। ଏନେଇ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଇନ୍ଦିରା। ହେଲେ ବଦଳରେ ପାକିସ୍ତାନ ରାଷ୍ଟ୍ରପତି ୟାୟା ଖାନ୍‌ ଭାରତକୁ ଯୁଦ୍ଧ ଧମକ ଦେଇଥିଲେ।

ଏହାପରେ ଆରମ୍ଭ ହୋଇଥିଲା ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ। ୧୩ ଦିନ ଧରି ଚାଲିଥିବା ଏହି ଯୁଦ୍ଧ ଶେଷରେ ଭାରତର ବିଜୟ ହୋଇଥିଲା। ୧୯୭୧ ମସିହା ଡିସେମ୍ବର ୧୬ରେ ଭାରତୀୟ ସେନା ଆଗରେ ପାକିସ୍ତାନର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧରେ ୩ ହଜାର ୯ ଶହ ଭାରତୀୟ ସୈନ୍ୟ ସହିଦ ହୋଇଥିବା ବେଳେ ପାଖାପାଖି ୯ ହଜାର ୮୫୧ ସୈନ୍ୟ ଆହତ ହୋଇଥିଲେ।

ସେହିଦିନରୁ ପ୍ରତିବର୍ଷ ଡିସେମ୍ବର ୧୬ ତାରିଖକୁ ଭାରତରେ ବିଜୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଭାରତ ପାକିସ୍ତାନ ଉପରେ ବିଜୟ ଲାଭ କରି ବାଂଲାଦେଶକୁ ସ୍ୱାଧୀନତା ଦେଇଥିଲା।

ଇନ୍ଦିରା ଗାନ୍ଧୀଙ୍କ ଏହି ପଦକ୍ଷେପ ଯୋଗୁଁ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ସ୍ୱାଧୀନ ହୋଇଥିଲା। ପାକିସ୍ତାନ କେବେ ଭାବିନଥିଲା, ଯୁଦ୍ଧ ଫଳରେ ଦେଶ ଦୁଇ ଭାଗ ହୋଇଯିବ। ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ ଦୁଇ ଭାଗ କରି ପୂର୍ବ ପାକିସ୍ତାନକୁ ସ୍ୱାଧୀନ କରିଥିଲେ। ସ୍ୱାଧୀନତା ପାଇବା ପରେ ପୂର୍ବ ପାକିସ୍ତାନର ନାଁ ଦିଆଯାଇଥିଲା ବାଂଲାଦେଶ।

ବଙ୍ଗଳା ଭାଷାଭାଷୀ ଲୋକେ ବସବାସ କରୁଥିବାରୁ ମୁକ୍ତି ବାହିନୀ ସେନାର ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରେହମାନ୍‌ ଏହାର ନାମକରଣ କରିଥିଲେ। ମୁଜିବୁର ରେହମାନ୍‌ଙ୍କୁ ସ୍ୱାଧୀନ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି କରାଯାଇଥିଲା।

ବାଂଲାଦେଶର ସ୍ୱାଧୀନତାରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ଗତ ୨୦୧୧ ମସିହା ଜୁଲାଇ ୨୫ ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ବାଂଲାଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମୁଜିବୁର ରେହମାନ୍‌ଙ୍କ ଝିଅ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଏହି ସମ୍ମାନ ଇନ୍ଦିରା ଗାନ୍ଧୀଙ୍କ ବୋହୂ ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ।

Comment