ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ଶୁକ୍ରବାର ସଂସଦରେ ଆରମ୍ଭ ହୋଇଛି ଝଡ଼। ଝାଡ଼ଖଣ୍ଡ ରାଲି ସମୟରେ ରାହୁଲ ଗାନ୍ଧୀ କହିଥିଲେ କି, ଭାରତ ବର୍ତ୍ତମାନ ଦୁଷ୍କର୍ମର ରାଜଧାନୀ ହୋଇଯାଇଛି। ଏଥିସହିତ ରାହୁଲ କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆକୁ ରେପ୍‌ ଇନ୍‌ ଇଣ୍ଡିଆ ସହ ତୁଳନା କରିଥିଲେ। ଏହାକୁ ନେଇ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ ସଂସଦରେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି।

ଏନେଇ ସ୍ମୃତି ଇରାନୀ କହିଛନ୍ତି, “ଗାନ୍ଧୀ ପରିବାରର ସଦସ୍ୟ ଏଭଳି ବୟାନ ଦେଇ ମହିଳାଙ୍କୁ ଅସମ୍ମାନ କରିଛନ୍ତି। ଦେଶର ସବୁ ଲୋକ ଦୁଷ୍କର୍ମକାରୀ ନୁହନ୍ତି। ଯେଉଁମାନେ ଦୁଷ୍କର୍ମ କରୁଛନ୍ତି, ଆଇନ୍‌ ସେମାନଙ୍କୁ କଡ଼ା ଦଣ୍ଡ ଦେଉଛି। ଏହାକୁ ଆଧାର କଲେ ଦେଶର ସବୁ ନାରୀ କଳଙ୍କିତ ନୁହନ୍ତି। ଏଭଳି ମନ୍ତବ୍ୟ ପାଇଁ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।”

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି କି, ରାହୁଲ ଖୋଲାଖୋଲି ଭାବେ ମେକ୍‌ ଇନ୍‌ ଇଣ୍ଡିଆକୁ ରେପ୍‌ ଇନ୍‌ ଇଣ୍ଡିଆ ସହ ତୁଳନା କରିଛନ୍ତି। ରାହୁଲ କ’ଣ ସାରା ଦୁନିଆର ଲୋକମାନଙ୍କୁ ଭାରତ ଆସି ଦୁଷ୍କର୍ମ କରିବାକୁ ଆହ୍ୱାନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

କେବଳ ଲୋକସଭାରେ ନୁହେଁ, ରାଜ୍ୟସଭାରେ ମଧ୍ୟ ରାହୁଲଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରାଯାଇଛି। ତେବେ ଯିଏ ଉପସ୍ଥିତ ନାହାନ୍ତି, ତାଙ୍କ ନାଁ ଗୃହରେ ନଉଠେଇବାକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଏଡୁ କହିଥିଲେ।

ରାହୁଲ କ’ଣ କହିଥିଲେ

ଗୁରୁବାର ଝାଡ଼ଖଣ୍ଡ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ରାହୁଲ କହିଥିଲେ,” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ମେକ୍‌ ଇନ୍‌ ଇଣ୍ଡିଆ ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ଦେଶରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ନୁହେଁ ରେପ୍‌ ଇନ୍‌ ଇଣ୍ଡିଆ ଚାଲୁଛି।” ତେବେ ଅଧିକାଂଶ ବିଜେପି ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିବା ରାହୁଲ କହିଥିଲେ।

Comment