କପିଳାସ ଭୂୟାଁ

ରାଜଧାନୀରେ ଥିବା ଯେଉଁ ବିବାହ ମଣ୍ଡପଗୁଡ଼ିକ ନିୟମ ଖିଲାପ କରି ଚାଲୁ ରହିଛି ସେଗୁଡ଼ିକୁ ତୁରନ୍ତ ବନ୍ଦ କରି ଦେବାକୁ ଗତ ଡିସେମ୍ବର ୫ ତାରିଖରେ ବିଏମସି ପକ୍ଷରୁ ନୋଟିସ କରାଯିବା ସହ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ସମୁଦାୟ ୭୩ଟି ମଣ୍ଡପକୁ ବନ୍ଦ କରି ଦିଆଯିବ ବୋଲି ଖବର ବାହାରିଲା। ପୂର୍ବରୁ ନଭେମ୍ବର ୨୦ ତାରିଖରେ ସମସ୍ତଙ୍କୁ ନୋଟିସ କରାଯାଇଥିଲା। ଏବେ ସେଗୁଡ଼ିକୁ ବନ୍ଦ କରିବା ପାଇଁ ଆଉ କିଛି ଅସୁବିଧା ନଥିଲା।

ଲୋକେ ଭାଳେଣିରେ ପଡ଼ିଲେ! ଉଲ୍ଲେଖ ଅନାବଶ୍ୟକ ଯେ ଡିସେମ୍ବର ୭ରୁ ୧୩ ତାରିଖ ମଧ୍ୟରେ ରାଜଧାନୀର ସମସ୍ତ ହୋଟେଲ ଓ ବିବାହ ମଣ୍ଡପଗୁଡ଼ିକ ସଂପୂର୍ଣ୍ଣ ଭାବେ ବୁକିଙ୍ଗ ହୋଇଥିଲା ଏବଂ ପ୍ରାୟ ପ୍ରତିଦିନ ବିବାହ ନଚେତ ରିସେପ୍ସନ ଲାଗି ରହିଥିଲା। ନିୟମ ମାନି ନଥିବା ବିବାହ ମଣ୍ଡପଗୁଡ଼ିକୁ ହଠାତ ବନ୍ଦ କରି ଦିଆଗଲେ ପ୍ରାୟ ତିନି ଚାରି ମାସ ପୂର୍ବରୁ ନିଜ ନିଜ ପୁଅ ଝିଅଙ୍କ ବାହାଘର ପାଇଁ ବୁକିଙ୍ଗ କରିଥିବା ବାପା ମା’ମାନେ ଏବେ କରିବେ କ’ଣ?

ସ୍ମାର୍ଟ ସିଟି ଭୁବନେଶ୍ଵରରେ ଛତୁ ଫୁଟିଲା ପରି ଖୋଲିଛି ବିବାହ ମଣ୍ଡପ, ଯାହାକୁ ବିଏମସି ପକ୍ଷରୁ କଲ୍ୟାଣ ମଣ୍ଡପ କୁହାଯାଉଛି। କାରଣ ଏଭଳି କଲ୍ୟାଣ ମଣ୍ଡପଗୁଡ଼ିକର ପରିକଳ୍ପନା ସର୍ବ ପ୍ରଥମେ ଭୁବନେଶ୍ଵର ମ୍ୟୁନିସିପାଲିଟି ପକ୍ଷରୁ ଆରମ୍ଭ କରାଯାଇଥିଲା। ସେତେବେଳେ ଅବଶ୍ୟ ଏହା କର୍ପୋରସନ ରୂପ ପାଇ ନଥିଲା। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅଶୀ ଦଶକରେ ତିଆରି ହୋଇଥିବା ସେହିସବୁ କଲ୍ୟାଣ ମଣ୍ଡପଗୁଡ଼ିକ କେବଳ ବାହାଘର ପାଇଁ ନୁହେଁ, ବରଂ ସମ୍ପୃକ୍ତ ଅଞ୍ଚଳର ନାନାଦି ସାଂସ୍କୃତିକ କାର୍ଯ୍ୟକର୍ମର କେନ୍ଦ୍ର ପାଲଟିଥିଲା।

ଭୁବନେଶ୍ଵର ମ୍ୟୁନିସିପାଲିଟି ମଧ୍ୟ ଏହି ପଦକ୍ଷେପ ପାଇଁ ସେତେବେଳେ ସମସ୍ତଙ୍କର ପ୍ରଶଂସା ପାଇଥିଲା। କେବଳ ମଧ୍ୟମ ବର୍ଗ ନୁହେଁ, ଉଚ୍ଚ ବର୍ଗର ପରିବାର ପକ୍ଷରୁ ମଧ୍ୟ କଲ୍ୟାଣ ମଣ୍ଡପଗୁଡ଼ିକରେ ବିବାହ କାର୍ଯ୍ୟ କରିବାକୁ ପସନ୍ଦ କରୁଥିଲେ। ଅବଶ୍ୟ ଅତି ଧନାଢ୍ୟ କେତକ ପରିବାର ସ୍ଥାନୀୟ ବଡ଼ ହୋଟେଲରେ ବିବାହ କାର୍ଯ୍ୟ କରୁଥିଲେ, କିନ୍ତୁ ତାହା ଅତ୍ୟନ୍ତ ଖର୍ଚ୍ଚ ବହୁଳ ହୋଇଥିବାରୁ ସମସ୍ତଙ୍କ ପାଇଁ ଅପହଞ୍ଚ ଥିଲା। ତେଣୁ କଲ୍ୟାଣ ମଣ୍ଡପଗୁଡ଼ିକର ଚାହିଦା ସର୍ବାଧିକ ରହିଥିଲା।

କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ କଲ୍ୟାଣ ମଣ୍ଡପଗୁଡ଼ିକ ଭାଙ୍ଗିରୁଜି ଗଲା। ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆଦୌ ଧ୍ୟାନ ଦିଆଗଲା ନାହିଁ। ଚାହୁଁ ଚାହୁଁ କଲ୍ୟାଣ ମଣ୍ଡପଗୁଡ଼ିକ ହତଶିରି ହୋଇଗଲା ଓ ଗୌରବ ଭୁଲୁଣ୍ଠିତ ହେଲା। ଲୋକମାନଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସ୍ଵଚ୍ଛଳ ହେବା ଆରମ୍ଭ କଲା। ଏପରିକି ମଧ୍ୟବିତ ପରିବାର ମଧ୍ୟ ଆଉ କଲ୍ୟାଣ ମଣ୍ଡପଗୁଡ଼ିକରେ ବିବାହାଦି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପସନ୍ଦ କଲେ ନାହିଁ।

ନୂଆ ନୂଆ ନିର୍ମାଣ ହେଉଥିବା ହୋଟେଲ କିମ୍ବା ଘରୋଇ ଉଦ୍ୟମରେ ତିଆରି ହେଉଥିବା ମଣ୍ଡପରେ ଲୋକେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ଅଧିକ ପସନ୍ଦ କଲେ। ଫଳରେ କେବଳ ସମାଜର ନିମ୍ନ ବର୍ଗର ଲୋକମାନେ ହିଁ କଲ୍ୟାଣ ମଣ୍ଡପଗୁଡିକ ସହ ଯୋଡି ହୋଇ ରହିଲେ। ବିବାହ ଅପେକ୍ଷା ଏକାଦଶାହ କାର୍ଯ୍ୟ କରିବା ହିଁ କଲ୍ୟାଣ ମଣ୍ଡପଗୁଡ଼ିକର ମୁଖ୍ୟ କାର୍ଯ୍ୟକ୍ରମ ହୋଇ ରହିଲା।

ସମୟ ଅତିକ୍ରାନ୍ତ ହେବା ସହ ରାଜଧାନୀ ଭୁବନେଶ୍ଵରର ଜନସଂଖ୍ୟା ବହୁଗୁଣିତ ହେବାରେ ଲାଗିଲା। ଅନ୍ୟ ରାଜ୍ୟର ଲୋକେ ଆସି ଏଠାରେ ସ୍ଥାୟୀ ବାସିନ୍ଦା ହେବାକୁ ପସନ୍ଦ କଲେ। ହୋଟେଲଗୁଡ଼ିକର ସଂଖ୍ୟା ବୃଦ୍ଧି ହେବାରେ ଲାଗିଲା। ରାସ୍ତାଘାଟର ଉନ୍ନତିକରଣ ହେଲା। ଗୋଟିଏ ପଟେ ରାଜଧାନୀ ସ୍ମାର୍ଟ ସିଟିର ରୂପ ନେଥିଲା ବେଳେ, ସମସ୍ତଙ୍କ ଅଲକ୍ଷରେ ରାଜଧାନୀର ବର୍ଦ୍ଧିତ ଲୋକସଂଖ୍ୟାର ଚାହିଦାକୁ ଦୃଷ୍ଟିରେ ରଖି ଘରୋଇ ମାଲିକାନାରେ ବହୁସଂଖ୍ୟକ ବିବାହ ମଣ୍ଡପ ତିଆରି ଚାଲିଲା। ଚାହିଦା ଏତେ ଅଧିକ ହେଲା ଯେ ଗୋଟିଏ ଗୋଟିଏ ବିବାହ ଋତୁରେ ଭୁବନେଶ୍ଵରର ସମସ୍ତ ହୋଟେଲ ଓ ବିବାହ ମଣ୍ଡପ ବୁକିଙ୍ଗ ହେଲା। ଅର୍ଥାତ ଦରକାର ମୁତାବକ ତାରିଖରେ ବିବାହ ଆୟୋଜନ ପାଇଁ ଅନ୍ୟୁନ ଚାରି ବା ଛ’ ମାସ ପୂର୍ବରୁ ମନ ପସନ୍ଦର ବିବାହ ସ୍ଥାନ ବୁକିଙ୍ଗ କରବା ଦରକାର ପଡ଼ିଲା। ନଚେତ ବିବାହ ମଣ୍ଡପ ପାଇବା କଷ୍ଟକର ହେଲା। ଏହା ସମସ୍ତଙ୍କ ଅନୁଭୂତିର କଥା।

କିନ୍ତୁ ନୂଆ ଭାବେ ନିର୍ମାଣ କରା ଯାଉଥିବା ଏହିସବୁ ବିବାହ ମଣ୍ଡପଗୁଡ଼ିକ ବିଏମ୍‌ସିର ଏକାଧିକ ନିୟମ ଉଲ୍ଲଂଘନ ଯେ ନିଶ୍ଚୟ କରୁଛନ୍ତି ସେଥିରେ କିଛି ସନ୍ଦେହ ନାହିଁ। ଯେମିତି କି ପ୍ଳାନ ଅନୁମୋଦନ ନକରି ନିର୍ମାଣ କରାଯାଇଛି, ଓଡିଏ ନିୟମ ଉଲ୍ଲଂଘନ କରାଯାଉଛି, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ ଚାଲୁଛି, ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନାହିଁ, ଆବର୍ଜନା ପରିଷ୍କାର ପାଇଁ ପରିଚାଳନା ବ୍ୟବସ୍ଥା ନାହିଁ, ଗାଡି ପାର୍କିଂ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତା ଜାମ ହେଉଛି, ଇତ୍ୟାଦି ଏକାଧିକ ଅବ୍ୟବସ୍ଥା ଭିତରେ ବିବାହ ମଣ୍ଡପଗୁଡିକ ବ୍ୟବସାୟ କରୁଛନ୍ତି। ତେଣୁ ସେହି ସବୁ ନିୟମ ଉଲ୍ଲଙ୍ଘନକାରୀ ବିବାହ ମଣ୍ଡପଗୁଡିକୁ ତୁରନ୍ତ ବନ୍ଦ କରିଦେବା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନେବା ନିହାତି ଜରୁରୀ।

ତେବେ ଏହିସବୁ ବିବାହ ମଣ୍ଡପ ଏକା ଦିନକେ ତିଆରି ହୋଇ ଯାଇନାହିଁ। ଜନଜୀବନ ସହ ଏଗୁଡ଼ିକର ସମ୍ପୃକ୍ତି କାହାକୁ ଅଛପା ନୁହେଁ। କିନ୍ତୁ ବିଏମସି ଏବେ ପର୍ଯ୍ୟନ୍ତ କେମିତି ଚୁପଚାପ ବସିଥିଲା? ପୁଣି ଯେତେବେଳେ ପ୍ରାୟ ପ୍ରତ୍ୟେକ ଦିନ ବିବାହ ଉତ୍ସବ ପାଇଁ ମଣ୍ଡପ ଗୁଡିକ ପୂର୍ବରୁ ବୁକିଙ୍ଗ ହୋଇସାରିଛି ଓ ଲୋକେ ନିମନ୍ତ୍ରଣ ପତ୍ର ଛାପିବା ସହ ବାଣ୍ଟି ସାରିଛନ୍ତି ସେତେବେଳେ ସେସବୁ ମଣ୍ଡପଗୁଡିକୁ ବନ୍ଦ କରିଦେବାକୁ ନିଷ୍ପତି ନେବା ଅମାନବିକ ନୁହେଁ କି? ଏଭଳି ପଦକ୍ଷେପ ନିଆଯିବ ବୋଲି କହିଲେ ଲୋକେ ଅଯଥାରେ ଚିନ୍ତାଗ୍ରସ୍ତ ହେବେ ନାହିଁ କି?

କିନ୍ତୁ ଆଶ୍ଵାସନାର କଥା ଏହା କି ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ କରାଗଲା ନାହିଁ। ଲୋକେ ବେଶ ସୁରୁଖୁରୁରେ ସେମାନଙ୍କ ପୂର୍ବ କାର୍ଯ୍ୟକ୍ରମ ଅନୁଯାୟୀ ବିବାହ ଉତ୍ସବ ସମ୍ପର୍ଣ୍ଣ କଲେ। କୌଣସି ବାଦ ବିବାଦ ହେଲା ନାହିଁ। ଶୁଣିବାକୁ ମିଳିଲା ଯେ ୭ ତାରିଖ ସନ୍ଧ୍ୟାରେ ବିଏମସି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନିଆଯିବ ନାହିଁ ବୋଲି ନିଷ୍ପତ୍ତି ନେଲେ। କିନ୍ତୁ ଏହି ଖବର କୌଣସି ଗଣମାଧ୍ୟମରେ ପ୍ରକାଶ ପାଇଲା ନାହିଁ। ଏହା ପଛରେ ନିହିତ ଉଦ୍ଦେଶ୍ୟ କ’ଣ?

ରାଜଧାନୀରେ ଯେଉଁ ଧନାଢ୍ୟ ଲୋକଙ୍କ ପାଖରେ ଧନ ଓ ଜମି ଅଛି ବିବାହ ମଣ୍ଡପଗୁଡ଼ିକ ସେହିଭଳି ଲୋକମାନେ ହିଁ କମ ସମୟରେ ଅଧିକ ଲାଭ ପାଇଁ ନିର୍ମାଣ କରିଛନ୍ତି। ରାଜନୈତିକ କ୍ଷମତାଶାଳୀ ବ୍ୟକ୍ତିମାନଙ୍କ ସହ ସେମାନଙ୍କର କଣ ନିବିଡ଼ ସମ୍ପର୍କ ନଥିବ? ତା’ ଛଡା ମଣ୍ଡପଗୁଡ଼ିକୁ ବାହାଘର ସିଜିନ ଭିତରେ ବନ୍ଦ କରି ଦିଆଯିବ ଭଳି ନିଷ୍ପତ୍ତି ଶୁଣି ସେମାନେ କ’ଣ ଚୁପ ବସିବେ? ଏହି ନିଷ୍ପତ୍ତିକୁ ବାଟବଣା କରିବାକୁ କ’ଣ ସେମାନେ ପଦକ୍ଷେପ ନେବେ ନାହିଁ? ନିଷ୍ପତ୍ତିକୁ ମୋଡତୋଡ କରିବାର ସହଜ ରାସ୍ତାଟି ହେଉଛି କ୍ଷମତାରେ ଥିବା ଲୋକଙ୍କ ହାତ ଚିକ୍କଣ କରିବା। ଏହା ତ ଧନାଢ୍ୟ ଲୋକଙ୍କ ବାଁ ହାତର ଖେଳ, ନୁହେଁ କି?

ସରକାର ‘୫ ଟି’କୁ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି କହୁଛନ୍ତି। କିନ୍ତୁ ବିଏମସିର ଏଭଳି ଧମକ ଦେବା ଭଳି ନିଷ୍ପତ୍ତି କେଉଁ ପରିପ୍ରେକ୍ଷୀରେ ନିଆଗଲା ଓ କାହିଁକି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପଦକ୍ଷେପ ନିଆଗଲା ନାହିଁ, ସେ ସମ୍ପର୍କରେ କାହିଁକି ସମସ୍ତେ ଚୁପ ରହିଗଲେ? ଯଦି ନିୟମ ଉଲ୍ଲଙ୍ଘନକାରୀ ମଣ୍ଡପଗୁଡ଼ିକୁ ଏବେ କ୍ଷମା ଦିଆଗଲା, ତାହାର ଆଧାର କ’ଣ? କେବେ ସୁଦ୍ଧା ସେମାନେ ସେମାନଙ୍କ ଭୁଲ ସୁଧାରିବେ ଓ ଭୁଲ ନସୁଧାରିଲେ କେବେ ସୁଦ୍ଧା ସେମାନଙ୍କ ମଣ୍ଡପ ଗୁଡିକୁ ବନ୍ଦ କରି ଦିଆଯିବ ସେ ସମ୍ପର୍କରେ କଣ ବିଏମସି କର୍ତ୍ତୃପକ୍ଷ ଲୋକମାନଙ୍କୁ ଅବଗତ କରାଇବା ଜରୁରୀ ନୁହେଁ? ଏଭଳି ନକଲେ ସରକାରୀ ପଦକ୍ଷେପର ‘ଟ୍ରାନ୍ସପରେନ୍ସି’ ବା ‘ସ୍ଵଚ୍ଛତା’ କେଉଁଠୁ ଆସିବ?

ଅଧିକାଂଶରେ ଦେଖା ଯାଉଛି ଯେ ସରକାର ଜମି ଯୋଗାଇ ଦେଇଥିବା ଏକାଧିକ ସାମାଜିକ ଅନୁଷ୍ଠାନ ସେମାନଙ୍କ ମୂଳ କାମ ପାଇଁ ସେହି ଜାଗାକୁ ବ୍ୟବହାର ନକରି ସେଠାରେ ବିବାହ ମଣ୍ଡପ ଚଳାଇ କେବଳ ଧନ ଅର୍ଜନ ପାଇଁ ଅଧିକ ଧ୍ୟାନ ଦେଉଛନ୍ତି। ସେହିଭଳି ସରକାରୀ ଜମିର ଅପବ୍ୟବହାରକୁ ତୁରନ୍ତ ରୋକାଯିବା ମଧ୍ୟ ଦରକାର।

ବିଏମସି କର୍ତ୍ତୃପକ୍ଷ ‘ଟ୍ରାନ୍ସପରେନ୍ସି’ ବା ‘ସ୍ଵଚ୍ଛତା’କୁ ଗୁରତ୍ଵ ନଦେଲେ ସରକାର ଅପଦସ୍ତ ହେବେ ନାହିଁ କି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment