ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୋଲିସ୍‌ କ’ଣ କରୁଛି?
  • ବିଳମ୍ବିତ ରାତିରେ ଘରକୁ ଫେରୁଥିବା ମହିଳାଙ୍କ ପାଇଁ ପୋଲିସ୍ କ’ଣ ପଦକ୍ଷେପ?
  • ୧୦୦କୁ କଲ୍‌ କଲେ ଉତ୍ତର କାହିଁକି ମିଳୁନି?

ଏହି ସବୁ ପ୍ରଶ୍ନ ସାଧାରଣ ଜନତା ସୋସିଆଲ ମିଡିଆରେ ସିଧାସଳଖ ପୋଲିସ୍‌ କମିସନରଙ୍କୁ ପଚାରିଛନ୍ତି। କମିସନର ଲାଇଭ୍‌ ଚାଟ୍‌ରେ ଆସି ଏହାର ଉତ୍ତର ଦେଇଛନ୍ତି।

ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ଏକ ଅଭିନବ ପ୍ରୟାସ କରିଛନ୍ତି। ସୋସିଆଲ ମିଡିଆରେ ଲୋକଙ୍କ ପ୍ରଶ୍ନକୁ ନେଇ ଲାଇଭ୍‌ ଚାଟ୍‌ ଜରିଆରେ ଏହାର ଉତ୍ତର ଦେଇଛନ୍ତି କମିସନର ସୁଧାଂଶୁ ଷଡଙ୍ଗୀ। ଶନିବାର ମହିଳାଙ୍କୁ ସୁରକ୍ଷାକୁ ନେଇ ପଚାର ଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କମିସନର କହିଛନ୍ତି, “ମହିଳାମାନଙ୍କୁ ପୋଲିସକୁ ବିଶ୍ୱାସ କରିବାକୁ ପଡ଼ିବ। ନହେଲେ ସେମାନେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରିବେ, ଯାହା ସେମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ।”

ନିକଟରେ ଘଟିଥିବା ହାଇଦ୍ରାବାଦ ଘଟଣା ପରେ କଟକ-ଭୁବନେଶ୍ୱର କମିସନରେଟ୍‌ ପୋଲିସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା। ରାଜଧାନୀର କୌଣସି ଅପରିଚିତ ସ୍ଥାନରେ ମହିଳା ନିଜକୁ ଅସୁରକ୍ଷିତ ମନେ କଲେ କମିସନରେଟ୍‌ ପୋଲିସ୍‌ର ଡାଏଲ୍‌ ୧୦୦ ବ୍ୟବସ୍ଥାକୁ କଲ୍‌ କରିବାକୁ କମିସନ ପରାମର୍ଶ ଦେଇଥିଲେ।

ଲାଇଭ୍‌ ଚାଟ୍‌ରେ କମିସନର ଏବିଷୟରେ ଲୋକଙ୍କୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଡାଏଲ୍‌ ୧୦୦ ବ୍ୟବସ୍ଥା ରାଜଧାନୀ ଭୁବନେଶ୍ୱରରେ ଲାଗୁ ହୋଇସାରିଛି। ତେବେ ଖୁବ୍‌ଶୀଘ୍ର କଟକରେ ମଧ୍ୟ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହେବ ବୋଲି କମିସନର କହିଛନ୍ତି।

ମହିଳାଙ୍କ ସୁରକ୍ଷା ପାଇଁ ଆସୁଛି ସ୍ପେଶାଲ ପୋଲିସ

ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୋଲିସ ଆଉ ଏକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏବିଷୟରେ ସୂଚନା ଦେଇ କମିସନର କହିଛନ୍ତି, “ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଭୁବନେଶ୍ୱରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ପ୍ରତିନିଧିଙ୍କୁ ସ୍ପେଶାଲ ପୋଲିସ ଭାବେ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା କରାଯାଉଛି। ଏହାସହ ଆଇଟି କମ୍ପାନିର ମହିଳା କର୍ମଚାରୀଙ୍କୁ ମଧ୍ୟ ସ୍ପେଶାଲ ପୋଲିସ ଭାବେ ନୁଯୁକ୍ତି କରାଯିବ। ଏମାନଙ୍କୁ ଦରମା ଦିଆଯିବନି, ହେଲେ ଜଣେ ପୋଲିସର ସମସ୍ତ ଅଧିକାର ଦିଆଯିବ।”

“ଅପରାଧୀ ନଭାବନ୍ତୁ ସେମାନେ ଯଦି ମହିଳାଙ୍କ ପ୍ରତି କୌଣସି ଅସଦାଚରଣ କରୁଛନ୍ତି, ସେ କଥା ଅଛପା ରହିବ। ବିଭିନ୍ନ ସମୟରେ ମହିଳାମାନେ ଅସଦାଚରଣର ଶିକାର ହୋଇ ସହିଯାଆନ୍ତି, କାହାକୁ କୁହନ୍ତି ନାହିଁ। କମସିନରେଟ୍‌ର ଏହି ଅନୂଆ ପ୍ରୟାସ ଫଳରେ ସବୁଯାଗାରେ ସ୍ପେଶାଲ ପୋଲିସଙ୍କୁ ଦେଖିବାକୁ ମିଳିବ। ଅପରାଧ ଆଉ ଲୁଚି ରହିବ ନାହିଁ” ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ।

ସେହିପରି କମିସନରେଟ୍‌ ପୋଲିସ ସଂସ୍ପର୍ଶରେ ମହିଳାମାନେ ଆସିଲେ ସେମାନେ ନିଜର ନିରାପଦା ବିଷୟରେ ଚିନ୍ତାବ୍ୟକ୍ତ କରିବେ। ଏହାକୁ ନେଇ କମିସନରେଟ୍‌ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ।

ଏହି ସ୍ପୋଶାଲ ପୋଲିସ ବ୍ୟବସ୍ଥା ଜାନୁଆରି ପହିଲାରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଥିବା ବେଳେ କଟକରୁ ଜାନୁଆରି ୧୫ ସୁଦ୍ଧା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ।

Comment