ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ଆସନ୍ତା ୨୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ ଅପରାହ୍‌ଣ ୨ଟରେ ଆରମ୍ଭ ହେବ। ବାରବାଟୀ ଷ୍ଟାଡିୟମ୍‌ରେ ସିଟ୍ ନମ୍ବରିଂ ବ୍ୟବସ୍ଥା କରାଯାଇଥିବାରୁ ମ୍ୟାଚ ଆରମ୍ଭ ହେବାର ସାଢ଼େ ତିନି ଘଣ୍ଟା ପୂର୍ବରୁ ଷ୍ଟାଡିୟମ ଗେଟ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ସକାଳ ୧୦ଟାରେ ଦର୍ଶକମାନେ ଷ୍ଟାଡିୟମରେ ପ୍ରବେଶ କରିବେ।

୨୦୧୭ ଜାନୁଆରି ୧୯ରେ ଭାରତ-ଇଂଲଣ୍ଡ ଦିନିକିଆ ସମୟରେ ପ୍ରଥମଥର ପାଇଁ ଗ୍ୟାଲେରୀ ଏବଂ ସିଟ୍‌ରେ ନମ୍ବରିଂ ବ୍ୟବସ୍ଥା କରାଯାଇଥିଲା। ଏବେ ଅଢ଼େଇ ବର୍ଷ ପରେ ପୁଣି ମ୍ୟାଚ ହେଉଥିବା ବେଳେ ସେହି ପୁରୁଣା ବ୍ୟବସ୍ଥାକୁ ଆପଣାଇଛି ଓସିଏ। କୌଣସି ପ୍ରକାରର ତ୍ରୁଟି ଯେମିତି ନରହିବ ସେଥିପାଇଁ ଦୃଷ୍ଟି ଦିଆଯାଇଛି। ସାଧାରଣତଃ ବାରବାଟୀରେ ମ୍ୟାଚ ହେଲେ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଗେଟ୍ ଖୋଲାଯାଏ। କିନ୍ତୁ ଏବେ ସିଟ୍ ନମ୍ବରିଂ ବ୍ୟବସ୍ଥା ପାଇଁ ଆଉ ଘଣ୍ଟାଏ ପୂର୍ବରୁ ଦର୍ଶକ ପ୍ରବେଶ ବ୍ୟବସ୍ଥା କରାଯାଇଛି।

୧୪ଟି ଗେଟ୍ ଦେଇ ଦର୍ଶକ ବିଭିନ୍ନ ଷ୍ଟାଣ୍ଡକୁ ପ୍ରବେଶ କରିବେ। ସବୁ ଗ୍ୟାଲେରୀ ପାଇଁ ଭିନ୍ନ ଭିନ୍ନ ଗେଟ୍ ବ୍ୟବସ୍ଥା କରାଯାଇଛି। ଗ୍ୟାଲେରୀ ନମ୍ବର-୫ ପାଇଁ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ଦେଇ, ଗ୍ୟାଲେରୀ ନମ୍ବର-୬ ପାଇଁ ଆଦିତ୍ୟ ରେସ୍ତୋରାଁ ଦେଇ, ଗ୍ୟାଲେରୀ ନମ୍ବର-୧ ପାଇଁ ଘୋଡା ଗେଟ୍ ଦେଇ, ଗ୍ୟାଲେରୀ ନମ୍ବର-୨ ପାଇଁ ଏନ୍‌ସିସି ଅଫିସ, ଗ୍ୟାଲେରୀ ନମ୍ବର-୩ ଓ ୪ ପାଇଁ ଓସିଏ କ୍ୱାର୍ଟର୍ସ ଦେଇ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିପାରିବେ।

ଏହାସହ ଗ୍ୟାଲେରୀ ଭେଣ୍ଡରଙ୍କ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରାଯାଇଛି। କେହି ଭେଣ୍ଡରନିର୍ଦ୍ଧାରିତ ମୂଲ୍ୟଠାରୁ ଯେମିତି ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରି ପାରିବେ ନାହିଁ ସେ ନେଇ ନିୟମ କରାଯାଇଛି। ଭେଣ୍ଡର ପାଇଁ ଅନୁମତି ଦେବା ପୂର୍ବରୁ ବ୍ୟବସାୟୀ ଭେଣ୍ଡରଟେକିଂ ଦେବେ। ଯଦି ଆବଶ୍ୟକଠାରୁ ଅଧିକ ସାମଗ୍ରୀ ବିକ୍ରି କରିବାର ଅଭିଯୋଗ ଆସେ ସେତେବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

୯ଟାରେ ୱେଷ୍ଟଇଣ୍ଡିଜ୍ ଓ ୨ଟାରେ ଭାରତର ଅଭ୍ୟାସ

ମ୍ୟାଚ ପାଇଁ ୧୯ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ। ୧୨ଟା ୧୦ ରୁ ୧ଟା ୧୦ ମଧ୍ୟରେ ସମସ୍ତ ଖେଳାଳି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ଖେଳାଳିମାନେ ମେଫେୟାର୍ ଯାଇ ବିଶ୍ରାମ କରିବେ। ୨୦ ଓ ୨୧ ଦୁଇଦିନ ଧରି ବାରବାଟୀକୁ ଆସି ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ୱେଷ୍ଟଇଣ୍ଡିଜ୍ ଦଳ ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏବଂ ଭାରତ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here