ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ ରାମଚଣ୍ଡୀ ମୁହାଣରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହାସହ ଏହି କାର୍ଯ୍ୟକ୍ରମରେ କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଜିଲ୍ଲାପାଳ ବଳବନ୍ତ ସିଂ, ଏସପି ଉମାଶଙ୍କର ଦାସ ଉପସ୍ଥିତ ଥିଲେ।

ଉତ୍ସବ ସ୍ଥଳୀକୁ ତିନିଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ପାଖରେ ସର୍ବସାଧାରଣ, ଅନ୍ୟ ପାଖରେ ରହିବା ପାଇଁ କଟେଜ୍‌ ବୁକିଂ କରିଥିବା ଅତିଥି ରହିବେ। ସେହିପରି ଅନ୍ୟ ଏକ ପାଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଣ୍ଡପ ହୋଇଛି। ଅତିଥିଙ୍କ ରହଣୀ ପାଇଁ ୫୦ଟି କଟେଜ୍ ନିର୍ମାଣ କରାଯାଇଛି। ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳିପାରିବ। ଏହାର ଦର ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହାସହ ୪ଟି ନୂଆ ରେସ୍ତୋରାଁ ଓ ବାର ମଧ୍ୟ ନିର୍ମାଣ କରାଯାଇଛି। ସେହିପରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଖାଇବାକୁ ମିଳିବ। ସନ୍ଧ୍ୟାରେ କଟେଜ୍ ଅତିଥିଙ୍କ ପାଇଁ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ପ୍ରତି ଶନିବାର ଷ୍ଟାର ନାଇଟ୍ ମଧ୍ୟ ହେବ। ବଲିଉଡ୍ କଣ୍ଠଶିଳ୍ପୀ ଓ ରକ୍ ବ୍ୟାଣ୍ଡ ଏଥିରେ ଯୋଗଦେବେ। ଏହାସହ ବୋଟିଂ ଓ ବିଚ୍‌ ଭଲିବଲ୍‌ର ସୁବିଧା ମଧ୍ୟ ରହିଛି।

ସେହିପରି ସ୍ଥାନୀୟ ଲୋକଙ୍କ ପ୍ରବେଶ ପାଇଁ ୫୦ ଟଙ୍କା ଟିକେଟ ରହିଛି। ସେମାନଙ୍କ ପାଇଁ ବୋଟିଂର ସୁବିଧା ରହିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରିବାର ସୁଯୋଗ ରହିଛି।

Comment