ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ସିଆରପିଏଫ୍‌ ଛକରେ ରାମ ଭାଇଙ୍କ ଚା ଦୋକାନରେ ମିଳିୁଛି ୮୦ ପ୍ରକାରର ଚା’।

ଆଜି ଅନ୍ତରାଷ୍ଟ୍ରୀୟ ଚା’ ଦିବସ। ୨୦୦୫ରୁ ଏହି ଚା’ ଦିବସ ସାରାବିଶ୍ୱରେ ପାଳିତ ହେଉଛି। ଚା’ ବ୍ୟବସାୟ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ଦିବସ ପାଳନ ହେଉଛି। ଆଜି ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଏକ ଚା’ ଦୋକାନର ଠିକଣା କହିବୁ ଯେଉଁଠି ଆପଣ ଚା’ର ଅସଲ ମଜା ନେଇପାରିବେ।

ଏହି ଚା’ ଦୋକାନ ହେଉଛି ରାମ ଭାଇଙ୍କର, ଯାହା ଭୁବନେଶ୍ୱରର ସିଆରପିଏଫ୍‌ଠାରେ ରହିଛି। ରାମ ଭାଇଙ୍କ ଏହି ଚା’ ଦୋକାନରେ ପ୍ରାୟ ୮୦ ପ୍ରକାରର ଚା’ ଗ୍ରାହକଙ୍କୁ ପିଇବାକୁ ମିଳୁଛି। ଭୁବନେଶ୍ୱରର କୋଣ ଅନୁକୋଣ ତଥା ପଟିଆ, କଳ୍ପନା, ଆଇଗିଣିଆରୁ ଲୋକେ ରାମ ଭାଇଙ୍କ ଚା’ ଦୋକାନଙ୍କୁ ଆସିଥା’ନ୍ତି କେବଳ ତାଙ୍କ ହାତର ଗରମାଗରମ ଚା’ଟିକେ ପିଇବା ପାଇଁ।

ମାଟ୍ରିକ ପରୀକ୍ଷା ଫେଲ୍‌ ହେବା ପରେ ଗାଁରେ ବେକାର ହୋଇ ବୁଲୁଥିଲେ ରାମ ଭାଇ। ତାଙ୍କ ଭାଇ ତାଙ୍କୁ ଭୁବନେଶ୍ୱରକୁ ନେଇ ଆସିଥିଲେ। ଭୁବନେଶ୍ୱର ଆସିବା ପରେ ରାମ ଭାଇ ପ୍ରଥମେ ଏକ ଫଳ ଦୋକାନ କରିଥିଲେ। ଏଥିରେ କ୍ଷତି ହେବାରୁ ଫଳ ଦୋକାନ ଭାଙ୍ଗି କଲିକତା ଚାଲି ଯାଇଥିଲେ ସେ।

କଲିକତାରୁ ଦୁଇ ବର୍ଷ ପରେ ଫେରିବା ପରେ ୫ ହଜାର ଟଙ୍କାରେ ସିଆରପିଏଫ୍‌ ଛକରେ ଚା’ ଦୋକାନଟିଏ କରିଥିଲେ। ୨୦୦୩ରୁ ରାମ ଭାଇ ଦୋକାନ କରିଥିଲେ ବି ୨୦୧୦ ମସିହାରୁ ସେ ବିଭିନ୍ନ ପ୍ରକାର ଚା’ ଦେବା ଆରମ୍ଭ କରିଥିଲେ।

ରାମ ଭାଇଙ୍କ ଚା’ ଦୋକନରେ ଲେମନ୍‌ ଟି’ର ଚାହିଦା ସବୁଠୁ ଅଧିକ ରହିଛି। ବିଶେଷକରି ସନ୍ଧ୍ୟା ସମୟରେ ଦୋକାନରେ ବୁଢ଼ାଠୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଭିଡ଼ ଜମିଥାଏ।international tea day

ଏମିତି ବି କିଛି ଗ୍ରାହକ ଅଛନ୍ତି ଯେଉଁମାନେ ଦିନକୁ ୩ଥର ରାମ ଭାଇଙ୍କ ଦୋକାନକୁ ଚା’ ପିଇବାକୁ ଆସିଥାନ୍ତି। ରାମ ଭାଇଙ୍କ ଚା’ ସହ ତାଙ୍କ ବ୍ୟବାହାର ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିଥାଏ।

ତେବେ ଏଠାରେ ଆପଣ କେବଳ ଚା’ ନୁହେଁ ମିଶ୍ରି ସରବତ, ପୋଦିନା ସରବତର ଭଳି ଅନ୍ୟ ଥଣ୍ଡା ପାନୀୟର ମଜା ବି ନେଇପାରିବେ।  ଯଦି ଆପଣ ବି ଚା’ କଥା ଭାବୁଛନ୍ତି ତେବେ ନିଶ୍ଚୟ ଥରେ ରାମ ଭାଇଙ୍କ ଦୋକାନକୁ ଯାଇ ଚା’ ପିଅନ୍ତୁ।

Comment