ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ୍କୁ ନେଇ ମୋଦି ସରକାର ଏବଂ ଗୃହମନ୍ତ୍ରୀ ଅମିତ ଶାହକୁ ଟାର୍ଗେଟ୍ କଲେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ସାରା ଦେଶରେ ନାଗରିକତା ଆଇନ୍କୁ ଝଡ଼ ଲାଗିଥିବା ବେଳେ ସୋମବାର ସୋନିଆ ଗାନ୍ଧୀ କହିଛନ୍ତି, “ଏବେ ଉତ୍ତର-ପୂର୍ବ ରାଜ୍ୟକୁ ଯିବା ପାଇଁ ଅମିତ ଶାହ ସାହସ ଜୁଟାଇ ପାରୁନାହାନ୍ତି।”
ସଂସଦରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବାରେ ଏହାକୁ ଜୋର ଦାର୍ ବିରୋଧ କରିଛନ୍ତି ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ। ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବିକ୍ଷୋଭ କରୁଛନ୍ତି। ଏହାକୁ ନେଇ ଆସାମ, ମେଘାଳୟ, ତ୍ରିପୁରା ଆଦି ରାଜ୍ୟରେ କର୍ଫ୍ୟୁ ଲଗାଯାଇଥିବା ବେଳେ ଇଣ୍ଟରନେଟ୍ ସୁବିଧା ବନ୍ଦ କରାଯାଇଛି।
ରବିବାର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର ପୂର୍ବ ରାଜ୍ୟ ଗସ୍ତରେ ଯାଇଥା’ନ୍ତେ। ହେଲେ ସେଠାକାର ସ୍ଥିତି ବିଗିଡ଼ିବା ପରେ ଗୃହମନ୍ତ୍ରୀ ନିଜ ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ଏହାକୁ ପ୍ରସଙ୍ଗ କରି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିଛନ୍ତି।
ସୋନିଆ ଗାନ୍ଧୀ କହିଛନ୍ତି, “ସରକାରଙ୍କ କାମ ଦେଶରେ ଶାନ୍ତି ବଜାୟ ରଖିବା। ଆଇନ୍ କାନୁନ୍ରେ ଶାସନ ଚଳାଇବା। ସମ୍ବିଧାନର ରକ୍ଷା କରିବା। ହେଲେ ବିଜେପି ସରକାର ଦେଶବାସୀଙ୍କ ଉପରେ ଆକ୍ରମଣ କରୁଛି। ହିଂସା ଏବଂ ବିଭାଜନ ନିୟମ ଆପଣାଇ ସରକାର ଦେଶରେ ଘୃଣାଭାବକୁ ପ୍ରୋତ୍ସାହନା ଦେଉଛନ୍ତି।”








