ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁନେଇ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ କରୁଛି  ଗୋଟି ଚାଳନା।

ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ କଂଗ୍ରେସ ଦେଖୁଛି ବଡ଼ ସ୍ୱପ୍ନ। ଏହା ଆମେ କହୁନୁ, ସାଧାରଣ ନିର୍ବାଚନ ପରେ କଂଗ୍ରେସ ଦଳର ହାବଭାବ ଏହା ସ୍ପଷ୍ଟ କରୁଛି। ନିର୍ବାଚନ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧୀ ଯିବା ଏବଂ ପ୍ରିୟଙ୍କା ରାଜନୀତିରେ ଅଧିକ ସକ୍ରିୟ ହେବା ଘଟଣାକୁ ନେଇ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି।

ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଭେଟିବା, ବିଭିନ୍ନ ପ୍ରସଙ୍ଗରେ ଟୁଇଟ୍‌ କରି ମନ୍ତବ୍ୟ ଦେବା, ବିଜେପିକୁ ଟାର୍ଗେଟ କରିବା, ଭାରତ ବଞ୍ଚାଅ ରାଲିରେ ବିଜେପିକୁ ତୀର ମାରିବା ଏବଂ ଜାମିଆ ମାଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୋଲିସ ମାଡ଼ ଘଟଣାର ପ୍ରତିବାଦ କରିବାକୁ ନେଇ ପ୍ରିୟଙ୍କା ଆଗକୁ ଆସିଛନ୍ତି। ଏଣୁ ପ୍ରିୟଙ୍କାଙ୍କୁ କଂଗ୍ରେସ ଆଗାମୀ ଦିନରେ ପୋଷ୍ଟର ଗର୍ଲ କରିପାରେ ବୋଲି ଚର୍ଚ୍ଚା ହେଉଛି। ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ପ୍ରିୟଙ୍କାଙ୍କ ସକ୍ରିୟତା ବଢ଼ି ଯାଇଥିବା ଚର୍ଚ୍ଚା ହେଉଛି।

୨୦୨୨ରେ କଂଗ୍ରେସ ଖେଳିବ ‘ପ୍ରିୟଙ୍କା’ କାର୍ଡ

୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସ ଏବେଠୁ ଫୋକସ୍ କରୁଛି। ପ୍ରିୟଙ୍କାଙ୍କୁ ଉତ୍ତରପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ଜାତୀୟ ରାଜନୀତିରେ ଉତ୍ତରପ୍ରଦେଶ ସବୁବେଳେ ଗରୁତ୍ୱବହନ କରିଥାଏ। କାରଣ ଉତ୍ତରପ୍ରଦେଶ ରାଜନୀତି ହିଁ ଦିଲ୍ଲୀ ସିଂହାସନ କିଏ ଅକ୍ତିଆର କରିବ ତାହା ନିର୍ଣ୍ଣୟ କରିଥାଏ। ଏଣୁ ନିର୍ବାଚନ ବେଳେ ସବୁ ଦଳ ଉତ୍ତରପ୍ରଦେଶକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଣୁ କଂଗ୍ରେସ ଉତ୍ତରପ୍ରଦେଶ ଦଖଲ କରିବାକୁ ଏବେଠୁ ପ୍ରିୟଙ୍କା କାର୍ଡ ଖେଳିବା ଆରମ୍ଭ କରିଛି।

ପ୍ରିୟଙ୍କା ୨୦୧୯ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କୁ ଦଳ ମହାସଚିବ ପଦବୀ ଦେବା ସହ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦେଇଥିଲା। ଉତ୍ତରପ୍ରଦେଶରେ ପ୍ରିୟଙ୍କା ପ୍ରଚାର ବି କରିଥିଲେ।

ପ୍ରିୟଙ୍କା ବାରାଣାସୀରେ ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ୨୦୨୨କୁ ଦୃଷ୍ଠିରେ ରଖି ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରି ନଥିଲା କଂଗ୍ରେସ।

ୟୁପିରେ କ୍ଷମତାକୁ ଆସିବାକୁ ଗଣିତ କଷୁଛି କଂଗ୍ରେସ

ଉତ୍ତରପ୍ରଦେଶରେ କଂଗ୍ରେସ ସ୍ଥିତି ଦିନକୁ ଦିନ ଖରାପ ହୋଇ ଯାଉଛି। ୧୯୮୯ ପରଠୁ କଂଗ୍ରେସ ଉତ୍ତରପ୍ରଦେଶରେ କ୍ଷମତାରେ ନାହିଁ। ବର୍ଷ ପରେ ବର୍ଷ ଗଡୁଛି ପଛେ, ହେଲେ କଂଗ୍ରେସ ସ୍ଥିତିରେ ସୁଧାର ଆସୁନି।

ଉତ୍ତରପ୍ରଦେଶରେ ଦଳର ସ୍ଥିତି ଖରାପ ଥିବାରୁ କେନ୍ଦ୍ରରେ ଏହାର ପ୍ରଭାବ ପଡୁଛି। ଏଣୁ କଂଗ୍ରେସ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଜୋର୍ ଦେଇଛି।

୧୯୯୮ରେ କଂଗ୍ରେସ ଉତ୍ତରପ୍ରଦେଶରେ ମାତ୍ର ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୧୯୯୯, ୨୦୧୪ ଏବଂ ୨୦୧୯ରେ ବି ସ୍ଥିତିରେ ସୁଧାର ଆସି ନଥିଲା। ୨୦୧୭ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ଦଳ ପାଇଁ କିଛି ଫରକ ପଡ଼ି ନଥିଲା।

୨୦୧୪ ଓ ୨୦୧୯ ନିର୍ବାଚନରେ ଗାନ୍ଧି ପରିବାରର ମ୍ୟାଜିକ କାମ ଦେଇ ନଥିଲା। ୨୦୧୪ରେ ଉତ୍ତରପ୍ରଦେଶ ଭଳି ରାଜ୍ୟରୁ କଂଗ୍ରେସର ମାତ୍ର ଦୁଇ ଜଣ ସାଂସଦ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ସୋନିଆ ଏବଂ ରାହୁଲ। ହେଲେ ୨୦୧୯ରେ ହାଲତ୍‌ ଆହୁରି ଖରାପ ହୋଇଗଲା। ରାହୁଲ ଗାନ୍ଧୀଙ୍କୁ ପରାଜିତ ହେବାକୁ ପଡ଼ିଲା।

୨୦୧୭ରେ ଉତ୍ତରପ୍ରଦେଶ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି ବିଜୟରେ ବ୍ରେକ୍ ଲଗାଇବା ପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ସହ ହାତ ମିଳାଇଥିଲା। କିନ୍ତୁ କିଛି ଲାଭ ହେଲାନି। ଶେଷରେ ବିଜେପି ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିଲା ଏବଂ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେଲେ। ରାହୁଲଙ୍କ ଫର୍ମୁଲା ୟୁପି ପଲିଟିକ୍ସରେ କାମ ଦେଲାନି।

ଶେଷରେ ପ୍ରିୟଙ୍କାଙ୍କ ଉପରେ କଂଗ୍ରେସ ଭରସା କରିଛି। ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ଲମ୍ବା ରାସ୍ତା ଚାଲିବାକୁ ଉଦ୍ୟମ କରୁଛି।

କାହିଁକି ପ୍ରିୟଙ୍କାଙ୍କ କ୍ରେଜ୍?

ପ୍ରିୟଙ୍କା ଗାନ୍ଧୀଙ୍କ ମୁହଁରେ କଂଗ୍ରେସ କର୍ମୀ ଆଇରନ୍ ଲେଡି ଇନ୍ଦିରା ଗାନ୍ଧିଙ୍କ ଛବି ଦେଖୁଛନ୍ତି। ଇନ୍ଦିରା ଯେଉଁଭଳି ଢଙ୍ଗରେ ପ୍ରଚାର କରନ୍ତି ପ୍ରିୟଙ୍କା ମଧ୍ୟ ସେହିଭଳି ଢଙ୍ଗରେ ପ୍ରଚାର କରୁଥିବା କଂଗ୍ରେସ କର୍ମୀମାନେ କୁହନ୍ତି। ଇନ୍ଦିରା ଯେମିତି ଲୋକଙ୍କ ସହ ମିଶୁଥିଲେ ପ୍ରିୟଙ୍କା ମଧ୍ୟ ଠିକ୍ ସେମିତି ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖୁଛନ୍ତି। ଏହାର ପ୍ରମାଣ ବିଗତ ଦିନରେ ଆମେଥି ଏବଂ ରାୟବରେଲି କ୍ୟାମ୍ପେନିଂରୁ ସ୍ପଷ୍ଟ ଜଣାପଡ଼ିଛି। ଏବେ ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଓହ୍ଲାଇଥିବାରୁ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇ ଯାଇଛନ୍ତି।

କାହିଁକି ଆସିଲେ ପ୍ରିୟଙ୍କା?

ପ୍ରତିଦିନ ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ବଦଳୁଛି। ନୂଆ ସମୀକରଣ ସୃଷ୍ଟି ହେଉଛି। ହେଲେ କଂଗ୍ରେସ ସଙ୍ଗଠନ ଭଲଭାବେ ସୁଦୃଢ଼ ହେବା ବଦଳରେ ଦୁର୍ବଳ ହୋଇଯାଉଛି।  ସୋନିଆ ଗାନ୍ଧୀ ରାହୁଲଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିଥିଲେ ମଧ୍ୟ ତାଙ୍କ ଉପରେ ଭୋଟର ଆସ୍ଥା ପ୍ରକଟ କରିପାରୁ ନାହାନ୍ତି। ରାହୁଲ ଯୁବକ ହୋଇଥିଲେ ବି କଂଗ୍ରେସ ପ୍ରତି ଯୁବକମାନେ ଆକର୍ଷିତ ହେଉ ନାହାନ୍ତି।

ଗୋଟିଏ ପଟେ ସାରା ଦେଶରେ ମୋଦୀଙ୍କ ଲୋକପ୍ରିୟତା ବଢ଼ି ଚାଲିଥିବାରୁ କଂଗ୍ରେସକୁ ଏହା ଚିନ୍ତାରେ ପକାଇଛି। ଏଣୁ ଏସବୁ ଅସୁବିଧାକୁ ଦୂରେଇବା ପାଇଁ ଏବଂ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରିୟଙ୍କା ଶେଷରେ ସକ୍ରିୟ ରାଜନୀତିକୁ ଆସିଥିବା ଚର୍ଚ୍ଚା ହେଉଛି। ଭାଇ ରାହୁଲଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ପ୍ରିୟଙ୍କା ଅସ୍ତ୍ର ଭାବେ କାମ କରିବେ ବୋଲି କୁହାଯାଉଛି।

ପ୍ରିୟଙ୍କା ଲାଓ, ଦେଶ୍ ବଚାଓ!

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଚାଲିଥିଲା। ଏହି ସରକାର ଅମଳରେ ଅନେକ ଲୋକପ୍ରିୟ ଯୋଜନା ହୋଇଥିଲେ ବି ତାହା ଭୋଟରଙ୍କୁ ପ୍ରଭାବିତ କରିପାରି ନଥିଲା।

୨୦୧୪ ନିର୍ବାଚନରେ ରାହୁଲଙ୍କ ହାତରେ ପ୍ରଚାର ଦାୟିତ୍ୱ ସମର୍ପି ଦେଇଥିଲେ ସୋନିଆ। ରାହୁଲ ବିଭିନ୍ନ ରାଜ୍ୟ ବୁଲି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉପା ସରକାର ଅମଳର ସଫଳତା ବଖାଣିଥିଲେ। କିନ୍ତୁ ଭୋଟର ଏହାକୁ ଗ୍ରହଣ କଲେନି। ମୋଦି ମ୍ୟାଜିକ ଆଗରେ ରାହୁଲଙ୍କ ପ୍ରଚାର ଫିକା ପଡ଼ିଗଲା। ଫଳରେ କଂଗ୍ରେସକୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ୪୬୪ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୪୪ଟି ଆସନରେ ବିଜୟ ବାନା ଉଡ଼ାଇଥିଲା କଂଗ୍ରେସ।

ଏହି ଫଳାଫଳ କଂଗ୍ରେସ ଶିବିରରେ ହତାଶା ଖେଳାଇ ଦେଇଥିଲା। ରାହୁଲଙ୍କୁ ବିରୋଧ କରି ୨୦୧୪ରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। ଏହାସହ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ରାହୁଲଙ୍କ ମ୍ୟାଜିକ କାମ କଲାନି। ଶେଷରେ କଂଗ୍ରେସରେ ଦୀର୍ଘ ଦିନ ଧରି ରହିଥିବା କର୍ମୀମାନେ ‘ପ୍ରିୟଙ୍କା ଲାଓ, ଦେଶ ବଚାଓ’ ସ୍ଲୋଗାନ ଦେଇଥିଲେ।

Comment