ଓଡ଼ିଶାଲାଇଭ୍ ବ୍ୟୁରୋ

  • ପରିବେଶ ଉପଯୋଗୀ ପଲିଥିନ୍ ବ୍ୟାଗ୍ ନିର୍ମାଣ କରୁଛନ୍ତି ଦୁଇ ଭାଇ
  • କାକଟପୁର ଅଞ୍ଚଳରେ ନିର୍ମାଣ କରିଛନ୍ତି ପିକେ ଇଣ୍ଟରପ୍ରାଇଜେସ୍
  • କଟକ, ଭୁବନେଶ୍ୱରକୁ ଯୋଗାଉଛନ୍ତି କ୍ୟାରି ବାଗ୍
  • ମାସକୁ ବ୍ୟବସାୟ କରୁଛନ୍ତି ପ୍ରାୟ ୧୦ଲକ୍ଷ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପଲିଥିନ୍ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଜାରି କରିବା ପରେ ଏବେ ଖାଉଟିଙ୍କଠୁ ଆରମ୍ଭ କରି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ। ବଜାର ସଉଦା ହେଉ କି ସାଧାରଣ ଜିନିଷ, କେମିତି ଘରକୁ ଆଣିବେ ତାକୁ ନେଇ ଚିନ୍ତାରେ ଲୋକେ। ସରକାର ପଲିଥିନକୁ ବ୍ୟାନ୍ କରିବା ପରେ ଏବେ ପଲିଥିନର ଜାଗା କିଏ ନେବେ ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ।ତେବେ ଏଭଳି ପ୍ରଶ୍ନର ଉତ୍ତର ଖୋଜି ପାଇଛନ୍ତି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଦୁଇଭାଇ ସତ୍ୟ ଓ ସୁନୀଲ। କାକଟୁପରଠାରୁ ୮ କିଲୋମିଟର ଦୂର ଛେଲି ବେରୁଆଁ ଗାଁରେ ଦୁଇ ଭାଇ ମିଶି ପ୍ରସ୍ତୁତ କରୁଛନ୍ତି ନନ୍ ଓଭେନ୍ କ୍ୟାରି ବ୍ୟାଗ୍, ଯାହା ବର୍ତ୍ତମାନ ପଲିଥିନର ଅଭାବ ପୂରଣ କରିବାରେ ସମର୍ଥ ହୋଇଛି। ଆଜି ଏଭଳି ବ୍ୟବସାୟ ଦୁଇ ଭାଇଙ୍କ ବ୍ୟବସାୟକୁ ପରିଚିତ କରିବା ସହ ଜୀବନରେ ସଫଳତାର ସ୍ୱାଦ ଚଖାଇଛି।

ତେବେ ଏହି ସଫଳତା ପାଇବା ପାଇଁ ଦୁଇ ଭାଇଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଦୁଇ ଭାଇଙ୍କ ମଧ୍ୟରୁ ସୁନୀଲ ପେଶାରେ ଠିକାଦାର ଓ ସତ୍ୟ ଜଣେ ସଫ୍ଟୱୟାର ଇଞ୍ଜିନିୟର। ଦୁଇ ଭାଇ ନିଜ ଏହି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ନିଜ ନିଜର ପେଶାରେ ବ୍ୟସ୍ତ ଥିଲେ। ତେବେ ରାଜ୍ୟ ସରକାର ପଲିଥିନ୍ ବ୍ୟାନ କରିବା ପରେ ଦୁଇ ଭାଇ ଏଭଳି ଏକ ବ୍ୟବସାୟ କରିବା ପାଇଁ ଚିନ୍ତା କରିଥିଲେ । ଏନେଇ ବିଭିନ୍ନ ସଂସ୍ଥା ଓ ସରକାରୀ ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ ଦୁଇ ଭାଇ।ଏହାପରେ ଦୁଇ ଭାଇ ଦିଲ୍ଲୀ ଯାଇ ଇଣ୍ଡିଆ ମାର୍ଟରେ ବିଭିନ୍ନ ପଲିଥିନ୍ ବ୍ୟାଗ୍ ନିର୍ମାଣ କରୁଥିବା କମ୍ପାନିମାନଙ୍କ ସହ କଥା ହୋଇଥିଲେ। ତେବେ ଏଥିରେ ଦୁଇ ଭାଇଙ୍କୁ କୌଣସି ସଫଳତା ମିଳିନଥିଲା। ଦୁଇ ଭାଇ ଏହାପରେ ତାମିଲନାଡୁର କୋୟମ୍ବଟୁର ସହରରେ ଥିବା ଗୋଟିଏ ଏଜେନ୍ସି ସହ କଥା ହୋଇଥିଲେ।  ଏଜେନ୍ସି ସହ କଥାବାର୍ତ୍ତା ହେବା ପରେ ଏହି କ୍ୟାରି ବ୍ୟାଗ ତିଆରି କରୁଥିବା ମେସିନ୍ ଆସି ପହଞ୍ଚିଥିଲା ଦୁଇଭାଇଙ୍କ ଗାଁ ଛେଲିବେରୁଆରେ ।

ଦୁଇ ଭାଇ ପ୍ରଦୁଷଣ ବୋର୍ଡଠାରୁ ଅନୁପତି ପାଇବାପରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଉଦ୍ୟୋଗ ବିକାଶ ଯୋଜନାରେ କାମ କରିଥିଲେ। ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ କାର୍ଯ୍ୟାଳୟ ଓ ଖଦୀ ବୋର୍ଡ କାର୍ଯ୍ୟାଳୟ ଭୁବନେଶ୍ୱରର ସହ ବ୍ୟବସାୟ କରିବା ପାଇଁ କଥାବାର୍ତ୍ତା ହୋଇଥିଲା। ଏହାପରେ ସ୍ଥାନୀୟ ବ୍ୟାଙ୍କ ମଧ୍ୟ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଋଣ ପ୍ରଦାନ କରିବା ଆରମ୍ଭ କରିଦେଇଥିଲା।ଏହାପରେ ଦୁଇ ଭାଇ ମିଶି ଆରମ୍ଭ କରିଥିଲେ ଏହି ପିକେ ଇଣ୍ଟରପ୍ରାଇଜେସ୍। ନିଜକୁ ସ୍ୱାବଲମ୍ବୀ କରିବା ସହିତ ସ୍ଥାନୀୟ ଅଞ୍ଚଳର ବେକାର ଯୁବକମାନେ ମଧ୍ୟ ଏଥିରେ ନିଯୁକ୍ତି ପାଇପାରିଛନ୍ତି। ପିକେ ଇଣ୍ଟରପ୍ରାଇଜେସ୍ ଦ୍ୱାରା ନିର୍ମାଣ କରାଯାଉଥିବା କ୍ୟାରି ବ୍ୟାଗ ପରିବେଶ ଉପଯୋଗୀ। ଏଥିରେ ୩୦ ପ୍ରତିଶତ ପଲିଥିନ୍ ରହୁଥିବାବେଳେ ୭୦ ପ୍ରତିଶତ କଟନ ଅଂଶ ରହୁଛି।ସରକାର ପଲିଥିନ୍ ବ୍ୟାଗକୁ ବନ୍ଦ କରିବା ପରେ ଏବେ ଏହି କ୍ୟାରି ବ୍ୟାଗର ଚାହିଦା ବଢ଼ିବାରେ ଲାଗିଛି। କାକଟପୁରଠାରୁ ୮ କିଲୋମିଟର ଦୂରରେ ଗଢ଼ିଉଠିଥିବା ଏହି କମ୍ପାନି ଏବେ ଗୋପ, ନିମାପଡ଼ା, ଅସ୍ତରଙ୍ଗ ସମେତ ରାଜଧାନୀ ଭୁବନେଶ୍ୱର ଓ କଟକକୁ ପ୍ରତି ସପ୍ତାହରେ ପ୍ରାୟ ୧୦ରୁ ୧୨ କୁଇଣ୍ଟାଲ କ୍ୟାରି ବ୍ୟାଗ୍ ଯୋଗାଉଛି। ଏହି କମ୍ପାନି ସାହାଯ୍ୟରେ ଦୁଇ ଭାଇ ମାସକୁ ପାଖାପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ରୋଜଗାର କରିପାରୁଛନ୍ତି ବୋଲି ସୂଚନା ମିଳିଛି।

 

Comment