ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ମ୍ୟାଚ ପାଇଁ ସୋମବାର ବିସିସିଆଇ ପୂର୍ବାଞ୍ଚଳ କ୍ୟୁରେଟର୍ ଆଶିଷ ଭୌମିକ୍ ବାରବାଟୀ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ। ଅପରାହ୍‌ଣରେ ଷ୍ଟାଡିୟମ୍‌ରେ ପହଞ୍ଚି ପିଚ୍ ଓ ଆଉଟ୍‌ ଫିଲ୍ଡ  ଦେଖିବା ସହିତ ଓସିଏ କ୍ୟୁରେଟର୍ ପଙ୍କଜ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ। ତେବେ ପିଚ୍‌ର ସ୍ଥିତି ଅନୁଯାୟୀ, ଏଠାରୁ ବଡ଼ ସ୍କୋର୍ ଆଶା କରାଯାଉଛି।

ସୂଚନାଯୋଗ୍ୟ, ମ୍ୟାଚ୍‌ ନେଇ ଗତ ୩ମାସ ଧରି ପିଚ୍ ଓ ଗ୍ରାଉଣ୍ଡ କାମ ଚାଲିଛି। ପିଚ୍ କ୍ୟୁରେଟର ଓ ସହକାରୀ ପିଚ୍ କ୍ୟୁରେଟରଙ୍କ ସହ ପ୍ରାୟ ୩୦ଜଣ ଗ୍ରାଉଣ୍ଡ୍ ଷ୍ଟାଫ୍ ଏହି କାମରେ ଲାଗିଛନ୍ତି। ଏବେ ସୁଦ୍ଧା ପଚ୍ ଚୂଡ଼ାନ୍ତ ହୋଇପାରିନାହିଁ। ମ୍ୟାଚ ପୂର୍ବଦିନ ପର୍ଯ୍ୟନ୍ତ ପିଚ୍‌ରେ କାମ ଚାଲିବ। କେବଳ ମୁଖ୍ୟ ପିଚ୍ ନୁହେଁ ଅଭ୍ୟାସ ପାଇଁ ୪ଟି ଅତିରିକ୍ତ ପିଚ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ତେବେ ପିଚ୍ ନେଇ ଯେଉଁ ପୂର୍ବାନୁମାନ କରାଯାଇଛି ତଦ୍‌ନୁଯାୟୀ ଦର୍ଶକ ନିଶ୍ଚିତ ଭାବେ ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ସୁଯୋଗ ପାଇବେ ବୋଲି କୁହାଯାଉଛି। ମୁଖ୍ୟ ପିଚ୍‌ରେ ଆବଶ୍ୟକତାଠାରୁ କମ୍ ଘାସ ରଖାଯାଇଥିବାରୁ ବଡ଼ ସ୍କୋର ହେବାର ସମ୍ଭାବନା ରହିଛି। କିନ୍ତୁ କ୍ରିକେଟ ଖେଳରେ କେତେବେଳେ କ’ଣ ହୁଏ ସେ କଥା କହିବା ମୁସ୍କିଲ୍। ସେହି ଆଧାରରେ ଖେଳାଳିଙ୍କ ପ୍ରଦର୍ଶନ ଓ ବ୍ୟାଟିଂ ଶୈଳୀ ଉପରେ ମ୍ୟାଚ୍‌ର ଭାଗ୍ୟ ନିର୍ଭର କରୁଛି। ଆଗକୁ ପିଚ୍‌କୁ ନେଇ ଆହୁରି କାମ ରହିଛି। ଶେଷ ଥର ପାଇଁ ଗ୍ରାସ୍ କଟର ଯୋଗେ ଘାସ କଟାଯିବ। ତା’ସାଙ୍ଗକୁ ରୋଲିଂ ବାକି ରହିଛି।

ସେହିପରି ଆଉଟ୍‌ଫିଲ୍ଡରେ ବି ଘାସ କମ୍ ରହିବ। ଏବେ ୮ ଏମ୍ଏମ୍ ଉଚ୍ଚତା ବିଶିଷ୍ଟ ଘାସ ରହିଥିବା ବେଳେ ମ୍ୟାଚ ସମୟରେ ଏହାକୁ ୬ ଏମ୍ଏମ୍‌ର ସୀମିତ କରାଯିବ। କାରଣ କମ୍ ରହିଲେ କାକରର ପ୍ରଭାବ ବଲ୍ ଉପରେ ପଡ଼ିବନାହିଁ ବୋଲି ଜଣାପଡ଼ିଛି। ତେଣୁ ମ୍ୟାଚ୍‌ ସମୟରେ କାକର ପଡ଼ିଲେ ଆବଶ୍ୟକ ସ୍ଥଳେ ଦଉଡ଼ି ବୁଲାଯିବ।

Comment