ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ୧୯ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ୨୦ରେ ଟେଲି ପୁରସ୍କାର ପ୍ରଦାନ ଉତ୍ସବ।

  • ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର
  • ‘ଭିଜା ମାଟିର ସ୍ୱର୍ଗ’ ଶ୍ରେଷ୍ଠ ଫିଲ୍ମ
  • ମିହିରି ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
  • ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ଅକ୍ଷୟ ପରିଜାଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା ହୋଇଛି ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଡିସେମ୍ବର ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ।

୧୯ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦ରେ ୭ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।

ଏହାସହ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବ୍ୟକ୍ତି ବିଶେଷ, କଳାକାରମାନେ ଏହି ଉତ୍ସବରେ ଉପସ୍ଥିତ ରହିବେ।

ଗତ ୧୦ ତାରିଖରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ ପୁରସ୍କାର ଘୋଷଣା କରିଥିଲେ।

ଓଡ଼ିଆ ଫିଲ୍ମରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯିବ। ଜୟଦେବ ସମ୍ମାନ ପାଇଁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ।

ସେହିପରି ଫିଚର ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନିତ କରାଯାଇଛି। ଶ୍ରେଷ୍ଠ ଫିଲ୍ମକୁ ପୁରସ୍କାର ବାଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ମିହିରି ଦାସଙ୍କ ନାମ ଘୋଷଣା କରାଯାଇଛି। ଚାମ୍ପିଅନ୍‌ ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯିବ।

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ‘ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଏହି ଫିଲ୍ମ ପାଇଁ ଆଶୁତୋଷ ମହାପାତ୍ରଙ୍କୁ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ପ୍ରଦାନ କରାଯିବ।

‘ଓଲେ ଓଲେ ଦିଲ୍‌ ବୋଲେ’ ଫିଲ୍ମ ପାଇଁ ଡି ନିରଞ୍ଜନ ରେଡ୍ଡି ଶ୍ରେଷ୍ଠ କାହାଣୀକାର ସମ୍ମାନ ପାଇବେ। ସେହିପରି ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ଶାନ୍ତିରାଜ ଖୋସଲାଙ୍କୁ ଫେରିଆ ଫିଲ୍ମ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ସାଥୀ ତୁ ଫେରି ଆ ଫିଲ୍ମ ପାଇଁ କଣ୍ଠଶିଳ୍ପୀ କରୁଣାକରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ପ୍ରଦାନ କରାଯିବ।

ମନୋଜ ମହାପାତ୍ର ‘ଚାମ୍ପିଅନ୍‌’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ପୁରସ୍କାର ପାଇବାକୁ ଥିବା ବେଳେ ଶିବାନୀଙ୍କୁ ‘ଫେରିଆ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବ।

‘ଦିୱାନା ହେଲି ତୋ ପାଇଁ’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ରାକ୍ଷୀ ଏବଂ ଶିଶୁ କଳାକାର ଭାବେ ସାର୍ଥକ ହୋତାଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଫିଲ୍ମ ଫେରିଆ ପାଇଁ ଶ୍ରେଷ୍ଠ କଳା ନିର୍ଦ୍ଦେଶକ ପୁରସ୍କାର ସଂଗ୍ରାମ ମହାରଣା, ନନ୍ଦଲାଲ ମହାପାତ୍ରଙ୍କୁ ଶ୍ରେଷ୍ଠ ସଂଳାପକାର, ମୁନା ବାବୁଙ୍କୁ ଶ୍ରେଷ୍ଠ କୋରିଅଗ୍ରାଫର ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ସାଉଣ୍ଡ ରେକଡିଷ୍ଟ ଭାବେ ନିତ୍ୟଶ୍ରୀ ରଞ୍ଜନଙ୍କୁ ପୁରସ୍କୃତ କରାଯିବ।

Comment