ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ବିଭିନ୍ନ ରାଜନୈତିକ ଦଳ ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଏବେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରିଛନ୍ତି ବଲିଉଡ୍‌ର ବିଭିନ୍ନ କଳାକାର। ଗୁରୁବାର ସିଏଏକୁ ବିରୋଧ କରି ବଲିଉଡ୍ ଅଭିନେତା ଫରହାନ୍‌ ଅଖ୍‌ତାର ମୁମ୍ବାଇ ଅଗଷ୍ଟ କ୍ରାନ୍ତି ମଇଦାନ୍‌ରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ବାନ୍ଧବୀ ଶିବାନୀ ଦାଣ୍ଡେକର।

ସରକାରଙ୍କ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ବିକ୍ଷୋଭ ପାଇଁ ଫର୍‌ହାନ୍‌ ଟୁଇଟ୍‌ କରି ଅଗଷ୍ଟ କ୍ରାନ୍ତି ମଇଦାନ୍‌କୁ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ। ଏନେଇ ସେ ଲେଖିଥିଲେ, ” ଆପଣ ନାଗରିକତା ସଂଶୋଧନ ଆଇନ୍‌କୁ କାହିଁକି ବିରୋଧ କରିବେ, ତାହା ଆପଣଙ୍କୁ ଜାଣିବା ଆବଶ୍ୟକ। ବର୍ତ୍ତମାନ ସୋସିଆଲ ମିଡିଆରେ ବିରୋଧ କରିବା ସମୟ ସରିଗଲା। ୧୯ ଅଗଷ୍ଟ ମୁମ୍ବାଇ କ୍ରାନ୍ତି ମଇଦାନ୍‌ରେ ଆସନ୍ତୁ ଏକାଠି ହେବା।”

ଗୁରୁବାର ମୁମ୍ବାଇ ଅଗଷ୍ଟ କ୍ରାନ୍ତି ମଇଦାନ୍‌ରେ ନାଗରିକତା ସଂଶୋଧନ ଆଇନ୍‌କୁ ଜବରଦସ୍ତ ବିରୋଧ କରାଯାଇଥିଲା। ହଜାର ହଜାର ଲୋକ ହାତରେ ବ୍ୟାନର, ପ୍ଲାକାର୍ଡ ଧରି ମୋହି ସରକାରଙ୍କୁ ଭର୍ତ୍ସନା କରିଥିଲେ। ‘ଭାରତକୁ ବାଣ୍ଟିବା ବନ୍ଦ କର’ ନାରାବାଜିରେ ବିକ୍ଷୋଭସ୍ଥଳ କମ୍ପି ଉଠୁଥିଲା।

ଅଭିନେତା ଫରହାନ ଅଖ୍‌ତାରଙ୍କ ବ୍ୟତୀତ ସ୍ୱରା ଭାସ୍କର, ଜୋୟା ଅଖତାର, ହୁମା କ୍ୟୁରେଷୀ, ସୁଶାନ୍ତ ସିଂହ ପ୍ରମୁଖ ଅଗଷ୍ଟ କ୍ରାନ୍ତି ମଇଦାନରେ ଉପସ୍ଥିତ ରହି ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରିଥିଲେ।

Comment