ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ନୂଆବର୍ଷଠୁ ସବୁଜ ଦିଶିବ ପୁରୀ ଶ୍ରୀମନ୍ଦିର। ମନ୍ଦିରକୁ ସବୁଜ ସୁନ୍ଦର କରିବା ପାଇଁ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର, ଯେଉଁଥିରେ ଶ୍ରୀମନ୍ଦିର ଚାରିପାଖରେ ପ୍ରାୟ ୧୫୦୦ ବୃକ୍ଷରୋପଣ କରାଯାଉଛି।ଗୁରୁବାରଠାରୁ ଶ୍ରୀମନ୍ଦିର ଚାରିପାଖରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମନ୍ଦିର ଚାରିପାଖ, ବଡ଼ଦାଣ୍ଡର ବିଭିନ୍ନ ଅଞ୍ଚଳ, ସିଂହଦ୍ୱାରର ସମ୍ମୁଖ ଅଞ୍ଚଳ, ଏମାର ମଠ ଚକଡ଼ା ଆଦି ଅଞ୍ଚଳରେ ବୃକ୍ଷରୋପଣ କରାଯାଉଛି। ରାଜ୍ୟ ବାହାରୁ ଆସିଥିବା ଏହି ୧୫୦୦ ଗଛକୁ ଡିସେମ୍ବର ୨୫ ତାରିଖ ସୁଦ୍ଧା ରୋପଣ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।
ଗଛ ଗଡ଼ିକର ରୋପଣ କରାଯିବା ପରେ ଶ୍ରୀମନ୍ଦିରର ଚାରିପାଖରେ କିଭଳି ଦେଖାଯିବ ସେ ନେଇ ରାଜ୍ୟ ସରକାର ପୂର୍ବରୁ ନୀଳ ନକ୍ସା ପ୍ରସ୍ତୁତ କରିସାରିଛନ୍ତି। ଏହି ସବୁ ଗଛ ରୋପଣ ହେବା ପରେ ଭକ୍ତମାନେ ଏହାର ଛାଇରେ ବସି ବିଶ୍ରାମ ନେଇପାରିବେ ବୋଲି କୁହାଯାଇଛି।ଶ୍ରୀମନ୍ଦିର ଚାରିପାଖକୁ ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପରିଧି ମଧ୍ୟରେ ବିଭିନ୍ନ ମଠ,ଘର, ଦୋକାନକୁ ଉଚ୍ଛେଦ କରାଯାଇଛି। ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ହେବା ପରେ ସେହି ସ୍ଥାନକୁ ବିଭିନ୍ନ ରଙ୍ଗର ଟାଇଲ୍ ପକାଯାଉଛି। ଏହାଫଳରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟତା ଦ୍ୱି-ଗୁଣିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।