ଓଡ଼ିଶାଲାଇଭ ବ୍ୟୁରୋ

ସାଢେ ଚାରିକୋଟି ଓଡ଼ିଆଙ୍କ ଭାବର ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନୂଆ ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଚାଲି ଆସନ୍ତି କାହିଁ କୁଆଡୁ ଭକ୍ତ। ଏଥର ଶ୍ରୀମନ୍ଦିର ୭୫ ମିଟର ପରିଧିରେ ଉଚ୍ଛେଦ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତ ବଡ଼ଦାଣ୍ଡର ନୂଆ ରୂପରେଖ ଦେଖିବାକୁ ପାଇବେ।

ବଡ଼ଦାଣ୍ଡର ରୂପ ଆଉ ରଙ୍ଗରେ ପରିବର୍ତ୍ତନ ପାଇଁ ଚାଲିଛି ପ୍ରସ୍ତୁତି ଚାଲିଛି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ ବ୍ୟାରିକେଡ ନିର୍ମାଣ କରାଯାଉଛି। ଏଥିରେ ୧୪ଟି ଧାଡି ରହିବା ସହ ଉପରେ ସେଡ୍‌ ବ୍ୟବସ୍ଥା କରାଯିବ। ଫଳରେ ଏକକାଳୀନ ବ୍ୟାରିକେଡ୍‌ ମଧ୍ୟରେ ଦୁଇରୁ ଚାରି ହଜାର ଭକ୍ତ ରହିପାରିବେ।

ଏହାସହ ମନ୍ଦିରକୁ ପ୍ରବେଶ ପୂର୍ବରୁ ପାଦ ଧୁଆ ପାଇଁ ସ୍ୱୟଂଚାଳିତ ପାଣି ବ୍ୟବସ୍ଥା କରାଯିବ। ଜୋତା, ଲଗେଜ ଓ ମୋବାଇଲ ରଖିବା ପାଇଁ ମାଗଣା କାଉଣ୍ଟର ଖୋଲାଯିବ। ସ୍ଥାୟୀ ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନିକଟରେ ଥିବା ମଙ୍ଗୁମଠ, ଏମାରମଠ, ବଡଆଖଡା ମଠ, ସାନଛତା ମଠ ଏବଂ ରଘୁନନ୍ଦନ ଲାଇବ୍ରେରୀ ଉଚ୍ଛେଦ କରାଯାଇଛି। ଏଥିଯୋଗୁଁ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡ ପୂର୍ବାପେକ୍ଷା ଅଧିକ ପ୍ରଶସ୍ଥ ହୋଇଛି। ଭକ୍ତମାନେ ଦୂରରୁ ଶ୍ରୀମନ୍ଦିର ଦେଖିବାର ସୁଯୋଗ ପାଉଛନ୍ତି। ମେଘନାଦ ପ୍ରାଚୀର ଅବରୋଧମୁକ୍ତ ହୋଇଛି। ସଂପୃକ୍ତ ସ୍ଥାନକୁ ସୌନ୍ଦର୍ଯ୍ୟ କରଣ, ଗହଳି ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comment