ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ଆଇନ ବିରୋଧରେ ତେଜୁଛି ଆନ୍ଦୋଳନ। ଦେଶର ୧୨ଟି ରାଜ୍ୟରେ ଏହି ଆନ୍ଦୋଳନ ତେଜିଛି। ସେଥିମଧ୍ୟରୁ ୬ଟି ବିଜେପି ଶାସିତ ରାଜ୍ୟରେ ଆନ୍ଦୋଳନ ଜୋରଦାର ହୋଇଛି। ଭାରତର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଗୁଜୁରାଟ, ତେଲେଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, ଜମ୍ମୁ କଶ୍ମୀରରେ ଏହି ଆନ୍ଦୋଳନ ତେଜିଛି।

ଏସବୁ ରାଜ୍ୟରେ କେଉଁଠି ପୋଲିସ-ବିକ୍ଷୋଭକାରୀଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଛି ତ କେଉଁଠି ବିକ୍ଷୋଭକାରୀ ଥାନା ପୋଡ଼ିଥିବା ଅଭିଯୋଗ ହୋଇଛି। କେଉଁଠି ପୋଲିସ ଭ୍ୟାନ ଜଳିଛି ତ ଆଉ କେଉଁଠି କଥର ମାଡ଼ ହୋଇଥିବା ଅଭିଯୋଗ ଆସିଛି।

ଦିଲ୍ଲୀରେ ୧୯ ମେଟ୍ରୋ ଷ୍ଟେସନ ବନ୍ଦ

ଦିଲ୍ଲୀରେ ପରିସ୍ଥିତି ଅସମ୍ଭାଳ। ନାଗରିକତା ଆଇନକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଛାତ୍ର ସଙ୍ଗଠନ ମଧ୍ୟ ଜୋରଦାର ବିରୋଧ କରିଛନ୍ତି। ଫଳରେ ଦିଲ୍ଲୀ-ଗୁରୁଗାଓଁ ରାସ୍ତାକୁ ପୋଲିସ ସିଲ୍‌ କରିଥିବା ବେଳେ ଦିଲ୍ଲୀର ୧୯ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରିଛି। ଦିଲ୍ଲୀର କିଛି ସ୍ଥାନରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋବାଇଲ ନେଟୱର୍କ ବନ୍ଦ କରାଯାଇଛି। ଇଣ୍ଟରନେଟ୍‌ ସେବା ବି ବନ୍ଦ ରହିଛି। ବିମାନ ସେବା ବାତିଲ କରାଯାଇଛି।

ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଜୋର୍‌ ଧରିଲା ନିଆଁ

ନାଗରିକତା ଆଇନକୁ ବିରୋଧ କରି ଲକ୍ଷ୍ନୌରେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ ସାଧାରଣ ଲୋକେ। ବିକ୍ଷୋଭକାରୀଙ୍କୁ ଘଉଡ଼ରଇବା ପାଇଁ ପୋଲିସ ଉଦ୍ୟମ କରିଥିଲା। ଫଳରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଲାଗିଥିଲା। ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ସ ଲାଠି ଚାର୍ଜ କରିଥିଲା। ଫଳରେ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ମହମ୍ମଦ ବକିଲ।

ଏପଟେ ମାଙ୍ଗଲୋରରେ ବି ନାଗରିକତା ଆଇନକୁ ବିରୋଧ କରି ବିକ୍ଷୋଭ ହୋଇଥିଲା। ବିକ୍ଷୋଭକାରୀ ପୋଲିସ ଥାନାରେ ଭଙ୍ଗାରୁଜା କରିବା ସହ ହିଂସାକାଣ୍ଡ ଘଟାଇବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଥିରେ ଦୁଇ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିଲେ। ସେମାନେ ହେଲେ ଜଲିଲ ଏବଂ ନୌସିନ୍‌।

ଲକ୍ଷ୍ନୌରେ ବିକ୍ଷୋଭକାରୀମାନେ ଥାନା ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଏବଂ ବାଇକ ଜଳାଇ ଦେଇଥିବା ଅଭିଯୋଗ ହୋଇଛି। କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ବିହାରରେ ଜୋରଦାର ବିରୋଧ

ନାଗରିକତା ଆଇନକୁ ବିରୋଧ କରି ବିହାରର ବିଭିନ୍ନ ସହରରେ ପ୍ରତିବାଦ କରିଛନ୍ତି ଲୋକେ। ଜାତୀୟ ରାଜପଥ ନମ୍ବର ୧୦ ଏବଂ ୮୩କୁ ବିକ୍ଷୋଭକାରୀ ଅବରୋଧ କରିଥିଲେ। ପାଟଣା, ଦରଭଙ୍ଗା, ଖଗଡିଆରେ ବିକ୍ଷୋଭକାରୀ ଟ୍ରେନ୍‌ ରୋକିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଓଡ଼ିଶାରେ ବି ବିରୋଧ

କଟକ, ଭୁବନେଶ୍ୱର ପରେ ୪ଟି ସହରରେ ନାଗରିକତା ଆଇନକୁ ବିରୋଧ କରିଛନ୍ତି ବିଭିନ୍ନ ସଙ୍ଗଠନ। ଓଡ଼ିଶାର ଗୁଣୁପୁର, ମାଲକାନଗିରି, ସାଲେପୁରରେ ବିକ୍ଷୋଭକାରୀ ରାଜରାସ୍ତାକୁ ପ୍ରତିବାଦ କରିଥିଲେ। ନାଗରିକତା ଆଇନ ପ୍ରତ୍ୟାହାର କରିନେବାକୁ ଦାବି କରିଥିଲେ।

Comment