ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଉଣେଇଶର ଚର୍ଚ୍ଚିତ ଚେହେରା ଡାକ୍ତର ଦମୋଦର ରାଉତ। ୨୦୧୯ରେ ଦାମଙ୍କ ଉଠା ପକା ରାଜନୀତି ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍ର ‘ଫ୍ଲାସ୍ ବ୍ୟାକ୍-୨୦୧୯’ ରିପୋର୍ଟରେ।
(ଭୁବନେଶ୍ୱରରୁ ସରୋଜ ମହାପାତ୍ର): କୁହାଯାଏ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ରାଜନୀତିରେ ଜଣେ ପୋଖତ ଖେଳାଳି। ରାଜନୀତିରେ ସେ ଏମିତି ଖେଳ ଖେଳନ୍ତି ପ୍ରତିପକ୍ଷ ତ ଦୂରର କଥା ନିଜ ଦଳର ନେତା ବି ଟେର୍ ପାଇବା କାଠିକର ପାଠ। ବିଜୁ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ଶାସନ ଅମଳ ଯାଏଁ ଦାମଙ୍କର ସବୁବେଳେ ଦମ୍ ରହୁଥିଲା। ହେଲେ ୨୦୧୯ରେ ତାଙ୍କର ଦମ୍ ରହିଲାନି। ରାଜନୀତିର ଏହି ପୋଖତ ଖେଳାଳିଙ୍କ ଲମ୍ବା କ୍ୟାରିଅରରେ ୨୦୧୯ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣି ଦେଇଛି। ଏବେ ଦାମ ଅଛନ୍ତି, ହେଲେ ତାଙ୍କ ହାତରେ ଆଉ ଦଳ ନାହିଁ।
ସାରା ରାଜ୍ୟରେ ଚହଳ, ବିଦା ହେଲେ ଦାମ
୨୦୧୮ ସେପ୍ଟେମ୍ବର ୧୨ ତାରିଖ। ବିଜେଡି କାର୍ଯ୍ୟାଳୟରୁ ସବୁ ଗଣମାଧ୍ୟମ ଅଫିସ୍କୁ ଆସିଲା ପ୍ରେସ୍ ବିଜ୍ଞପ୍ତି। ଏଥିରେ ଲେଖାଥିଲା ‘ଦାମ ରାଉତଙ୍କୁ ଦଳ ବିରୋଧୀ କାର୍ଯ୍ୟରେ ବହିଷ୍କାର କରାଯାଇଛି’। ଟିଭି ଚ୍ୟାନେଲମାନଙ୍କରେ ବ୍ରେକିଂ ନ୍ୟୁଜ୍ ଆସିଲା। ଯିଏ ଯେଉଁଠି ଥିଲେ ହତବାକ୍ ହୋଇଗଲେ। ଦାମ ବାବୁଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି ସିଧା ବହିଷ୍କାର କରିବାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଗଲା। ଦାମଙ୍କୁ ନେଇ ୨୦୧୮ ଶେଷ ଯାଏଁ ଚର୍ଚ୍ଚା ଲାଗି ରହିଥିଲା। ୨୦୧୮ ଶେଷ ଭାଗରେ ଦାମ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ପାର୍ଟିରେ ସାମିଲ ହେଲେ ଏବଂ ଏହାର ନାଁ ବିଜୁ ସମତା କ୍ରାନ୍ତି ପାର୍ଟି ରଖିଲେ। ହେଲେ ଏହି ପାର୍ଟିରେ ବେଶୀଦିନ ରହି ପାରିଲେନି ଦାମ।
ଦାମ ଖୋଜିଲେ ନୂଆ ପ୍ଲାଟଫର୍ମ
୨୦୧୯ ଆରମ୍ଭରୁ ବି ଦାମଙ୍କୁ ନେଇ ଚର୍ଚ୍ଚା ଥମି ନଥିଲା। ୨୦୧୯ ନିର୍ବାଚନର ବର୍ଷ ହୋଇଥିବାରୁ ଦାମ ବିଜେଡି ବିରୋଧରେ ତାଙ୍କ ଅସଲ ଖେଳ ଆରମ୍ଭ କରିଥିଲେ। ବିଜେଡିର ତୁଙ୍ଗ ନେତାଙ୍କ ଗଡ଼ରେ ପଶି ଦାମ ରଣହୁଙ୍କାର ଦେଇଥିଲେ। ମାହାଙ୍ଗାରେ ଦାମ ଦୁନୀତି ବିରୋଧୀ ସମାବେଶ କରିଥିବା ବେଳେ ବାରିପଦା, ନିଆଳୀ, ନୟାଗଡ଼ ଆଦି ଅଞ୍ଚଳରେ ଦାମ ଅନୁରୂପ ସମାବେଶ କରି ବିଜେଡି ଶାସନର ଗୁମର ଖୋଲିଥିଲେ।
ହେଲେ ଏହି ଦୁର୍ନୀତି ବିରୋଧୀ ସମାବେଶକୁ ଆଗକୁ ନେବା ପାଇଁ ଦାମଙ୍କ ହାତରେ କୌଣସି ରାଜନୀତିକ ଦଳ ନଥିଲା। ଏଣୁ ଦାମ ଏକ ପ୍ଲାଟଫର୍ମ ଖୋଜିଲେ। କେତେବେଳେ ଦାମ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ହେଲା ତ ଆଉ କେତେବେଳେ ଦାମ ପଦ୍ମ ଧରିବେ ବୋଲି କୁହାଗଲା। ପୁଣି ବିଜୁ ପରିବାରର ପୁରୁଣା ନେତା ଏକାଠି ହୋଇ ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଲା। ଏମିତି ଚର୍ଚ୍ଚାରେ ଦିନ ଗଡ଼ିଗଲା ପଛେ ଦାମ କୌଣସି ଦଳରେ ଯୋଗ ଦେଇ ପାରିଲେ ନାହିଁ।
ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ
୨୦୧୯ ମାର୍ଚ୍ଚ ୧୪ରେ କିନ୍ତୁ ଏକ ବଡ଼ ଖବର ଆସି ପହଞ୍ଚିଲା। ଗୋଟିଏ ପଟେ ନିର୍ବାଚନକୁ ନେଇ ସବୁ ଦଳରେ ଟିକେଟ କସରତ ଚାଲିଥିବା ବେଳେ ଦାମ ନୂଆଦିଲ୍ଲୀରେ ବିଜେପି ପାର୍ଟି ଅଫିସରେ ପଦ୍ମ ଧରିଥିଲେ। ଦାମଙ୍କ ଭଳି ଜଣେ ବରିଷ୍ଠ ନେତା ପଦ୍ମ ଧରିଥିବାରୁ ବିଜେପି ଶିବିର ବି ଉତ୍ସାହିତ ଥିଲା। ଦାମଙ୍କୁ ନେଇ ବିଜେପିର ଶୀର୍ଷ ନେତୃବୃନ୍ଦ ଓଡ଼ିଶା ଦଖଲର ସ୍ୱପ୍ନ ଦେଖିଥିଲେ। ଦାମ ବି ଏକ ଜାତୀୟ ଦଳର ପ୍ଲାଟଫର୍ମ ପାଇଥିବାରୁ ସେ ବି ଉତ୍ସାହିତ ଥିଲେ।
ଦାମ ଯେତେବେଳେ ନୂଆଦିଲ୍ଲୀରୁ ଓଡ଼ିଶା ଆସିଲେ ସେତେବେଳେ ବିଜେପି କର୍ମୀ ଉତ୍ସାହର ସହ ତାଙ୍କୁ ଏୟାରପୋର୍ଟରୁ ପାଛୋଟି ଆଣିଥିଲେ। ଦାମଙ୍କୁ ଅସ୍ତ୍ର କରି ବିଜେପି ବିଜେଡିର ଅଭେଦ୍ୟ ଦୁର୍ଗ ଭାଙ୍ଗିବା ପାଇଁ ନକ୍ସା ପ୍ରସ୍ତୁତ କଲା।
ଦାମ ବିଜେପି ଶିବିରକୁ ଯିବା ରାଜନୀତି ପଣ୍ଡିତଙ୍କୁ ଚକିତ କରିଥିଲା। ଯେଉଁ ଦାମ ବିଜୁଙ୍କ ଆଦର୍ଶ ଓ ବିଚାରଧାରା ଛଡ଼ା ଆଉ କିଛି ବୁଝନ୍ତି ନାହିଁ ସେ କେମିତି ବିଜେପି ଶିବିରରେ ଖାପ ଖୁଆଇବେ ତାକୁ ନେଇ ଚର୍ଚ୍ଚା ବଢ଼ିଲା। ଏହି ଚର୍ଚ୍ଚାକୁ ପଛରେ ପକାଇ ଦାମ ବିଜେପି ପ୍ରଚାର ପାଇଁ ଅଣ୍ଟା ଭିଡ଼ିଲେ।
ପାରାଦୀପ ଛାଡ଼ିଲେ, ବାଲିକୁଦା-ଏରସମାରୁ ଟିକେଟ ନେଲେ
ଦାମଙ୍କ ଅଭେଦ୍ୟ ଗଡ଼ ହେଉଛି ପାରାଦୀପ। ୨୦୦୯ରେ ପାରାଦୀପ ନୂଆ ନିର୍ବାଚନମଣ୍ଡଳୀ ଭାବେ ଗଠନ ହେବା ପରେ ଦାମ ଏଠାରୁ ତାଙ୍କ ଇନିଂସ୍ ଆରମ୍ଭ କରିଥିଲେ। ହେଲେ ବିଜେପି ଆସିବା ପରେ ଦାମ ପାରାଦୀପ ଛାଡ଼ି ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହୋଇଥିଲେ। ହେଲେ ଦାମ ଆସୁ ଆସୁ ବାଲିକୁଦା-ଏରସମାର ବିଜେପି ନେତା ରଘୁନନ୍ଦନ ଦାସ ବିଜେପି ଛାଡ଼ି ବିଜେଡି କ୍ୟାମ୍ପକୁ ଚାଲି ଆସିଥିଲେ।
ଦାମଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ରଘୁନନ୍ଦନ। ରଘୁନନ୍ଦନ ଓ ଦାମଙ୍କ ଭିତରେ ଜୋରଦାର ଟକ୍କର ହୋଇଥିଲା। ଏହି ଲଢ଼େଇରେ କିଏ ଜିତିବ ଏବଂ କିଏ ହାରିବ ତାକୁ ନେଇ ଚର୍ଚ୍ଚା ଚାଲିଲା। ଶେଷରେ ପୋଖତ ଖେଳାଳି ଦାମଙ୍କୁ ପରାଜିତ ହେବାକୁ ପଡ଼ିଥିଲା। ୩୫ ବର୍ଷର ରାଜନୀତି କ୍ୟାରିଅରରେ ଯେଉଁ ଦାମ ପରାଜୟ ଦେଖି ନଥିଲେ ସେ ୨୦୧୯ରେ ପରାଜିତ ହେବା ଖବର ରାଜନୀତି କରିଡରରେ ଆଲୋଡ଼ନ ସୃଷ୍ଟି କଲା।
ବିଜେପି ଓ ଦାମଙ୍କ ଭିତରେ ବଢ଼ିଲା ଦୂରତା
ନିର୍ବାଚନ ସରିଗଲା। ଦାମ ହାରିଗଲେ। ଏହି ପରାଜୟ ବିଜେପି ଓ ଦାମଙ୍କ ଭିତରେ ଦୂରତା ବଢ଼ାଇଲା। ନିର୍ବାଚନ ପରେ ଦାମଙ୍କୁ ଦଳ କୋଣଠେସା କରି ରଖିବା ଏବଂ କୌଣସି କାର୍ଯ୍ୟକ୍ରମରେ ନଡାକିବାକୁ ନେଇ ଦାମ କ୍ଷୋଭ ପ୍ରକାଶ କଲେ। ଏପରିକି ବିଜେପୁର ଉପନିର୍ବାଚନରେ ବିଜେପିର ଷ୍ଟାର କ୍ୟାମ୍ପେନର ତାଲିକାରେ ଦାମଙ୍କ ନାଁ ନଥିବାରୁ ଦାମ ବିଜେପି ଶିବିରକୁ ତୀର ମାରିଥିଲେ।
ଶେଷରେ ଅକ୍ଟୋବର ୧୬ରେ ପୁଣି ଏକ ବଡ଼ ଖବର ମିଡିଆକୁ ଆସିଲା। ୬ ମାସ ତଳେ ଯେଉଁ ଦାମ ବିଜେପିରେ ଯୋଗ ଦେଇଥିଲେ ସେ ୬ ମାସ ପରେ ଦଳରୁ ଇସ୍ତଫା ଦେଇଦେଲେ। ଦଳରେ ତାଙ୍କୁ ଅଲୋଡ଼ା କରାଯାଉଥିବା ଅଭିଯୋଗ ଆଣି ଇସ୍ତଫା ଦେଇଦେଲେ ଦାମ।
ଦାମଙ୍କର ଏହି ଇସ୍ତଫାକୁ ନେଇ ରାଜନୀତି ତେଜିଲା। ଦାମ କୁଆଡ଼େ ଯିବେ ଏବଂ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ହେଲା। ଶେଷରେ ଦାମ ସ୍ପଷ୍ଟ କଲେ ଯେ ସେ ରାଜନୀତି କରିବେ, ହେଲେ ନିର୍ବାଚନ ଲଢ଼େଇରେ ସାମିଲ ହେବେନି। ବିଜେପି ଛାଡ଼ିବା ପରେ ଦାମ ପୁଣି ବିଜେଡି ଫେରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ଏଯାଏଁ ବାସ୍ତବ ରୂପ ନେଇପାରିନି। ଦାମ କ’ଣ କରିବେ ତାହା ୨୦୨୦ର ନୂଆ ସୂର୍ଯ୍ୟୋଦୟ ପରେ ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।
ବାପା ଗଲେ, ପୁଅ ଆସିଲେ
୨୦୧୯ରେ ଦାମ ରାଉତଙ୍କ ରାଜନୀତି କ୍ୟାରିଅର କଥା ଆଲୋଚନା କରିବା ବେଳେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ କଥାକୁ ଏଡାଇ ଦେଇ ହେବ ନାହିଁ। କାରଣ ଦାମଙ୍କ ରାଜନୀତି ଯେମିତି ୨୦୧୯ରେ ଏକପ୍ରକାର ଶେଷ ହୋଇଗଲା, ଠିକ୍ ସେମିତି ପୁଅ ସମ୍ବିତଙ୍କ ଭାଗ୍ୟ ୨୦୧୯ରେ ଖୋଲିଛି।
ଦାମ ବିଜେପି ଟିକେଟରେ ବାଲିକୁଦା-ଏରସମାରେ ଲଢୁଥିବା ବେଳେ ପୁଅ ସମ୍ବିତ ବିଜେଡି ଟିକେଟରେ ପାରାଦୀପରୁ ଲଢ଼ିଥିଲେ। ଦାମ ପରାଜିତ ହୋଇଥିବା ବେଳେ ସମ୍ବିତ ନିର୍ବାଚନ ଜିତି ବିଧାନସଭା ଆସିଥିଲେ। ୨୦୧୯ରେ ଏହି ବାପା-ପୁଅ ଯୋଡ଼ିଙ୍କ ରାଜନୀତିକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବାପା-ପୁଅଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା।
୩୫ ବର୍ଷର ରାଜନୀତି କ୍ୟାରିଅର ଭିତରେ ଦାମ ଯାହା ଦେଖି ନଥିଲେ ତାହା ଏହି ୨୦୧୯ରେ ହିଁ ଦେଖିଛନ୍ତି। ନୂଆ ଦଳରେ ଯୋଗ ଦେବା, ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରିବା, ପରାଜିତ ହେବା ଏବଂ ପୁଣି ସେହି ଦଳରୁ ଇସ୍ତଫା ଦେବା ଘଟଣା ଦାମଙ୍କୁ ନୂଆ ମୋଡ଼ ଦେଇଛି। ୨୦୨୦ର ନୂଆ ସକାଳ ଦାମଙ୍କ ପାଇଁ କ’ଣ ଆଣୁଛି ଏବଂ ଦାମ କ’ଣ କରୁଛନ୍ତି ତାହା ଦେଖିବା ପାଇଁ ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି।