ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନ୍(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍ଆରସି)କୁ ବିରୋଧ କରି ବର୍ତ୍ତମାନ ସାରା ଦେଶରେ ନିଆଁ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ହିତ ପାଇଁ ଲୋକଙ୍କ ଅସନ୍ତୋଷ ସହିବାକୁ ପଡ଼ିଥାଏ।”
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ASSOCHAMର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନାଗରିକତା ଆଇନ୍ର ନାଁ ନନେଇ ନିଜ ଅଭିଭାଷଣରେ ମୋଦୀ କହିଛନ୍ତି, “ଦେଶକୁ ସଙ୍କଟରୁ ବାହାର କରିବା ପାଇଁ ଆମର ଅଭିଯାନ ଜାରି ରହିବ। ଦେଶର ଭଲ ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ। ଲୋକଙ୍କ ଅସନ୍ତୋଷ ସହିବାକୁ ପଡ଼ିଥାଏ। କିନ୍ତୁ ଏହା ଦେଶ ପାଇଁ କରିବାକୁ ପଡ଼ିବ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଦୀର୍ଘ ୭୦ ବର୍ଷର ଅଭ୍ୟାସକୁ ପରିବର୍ତ୍ତନ କରିବା ପାଇଁ ସମୟ ଲାଗିବ। ଏହା କୌଣସି ସରଳ କାମ ନୁହେଁ। କିନ୍ତୁ ଦେଶର ହିତ ପାଇଁ ଆମକୁ ଏହା କରିବାକୁ ପଡ଼ିବ।”
ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଗରିକତା ଆଇନ୍କୁ ନେଇ ମୁହଁ ଟାଣ କରିଥିଲେ। ଦେଶରେ ଯାହା ହେଉଛି ହେଉ, ହେଲେ ନାଗରିକତା ଆଇନ୍ ହଟିବ ନାହିଁ ବୋଲି ଗୃହମନ୍ତ୍ରୀ ସିଧା ସିଧା ଶୁଣାଇଦେଇଥିଲେ।
ନାଗରିକତା ଆଇନ୍କୁ ନେଇ ବର୍ତ୍ତମାନ ସାରା ଦେଶ ଜଳୁଛି। ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇ ଆଇନ୍ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଅନେକ ସ୍ଥାନରେ ଲୋକେ ହିଂସାକାଣ୍ଡ ଘଟାଇ ଯାନବାହନ ପୋଡ଼ିବା ସହ ପୋଲିସ ଉପରକୁ ଆକ୍ରମଣ କରୁଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦେଶବାସୀଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।


















