ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପାଇଁ ଗର୍ବ ଆଣିଦେଲେ ଝିଲି ଦଳବେହେରା। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାରତର ନାଁ ରଖିଥିବା ମହିଳା ଭାରୋତ୍ତୋଳନକାରୀ ଝିଲି ଦଳବେହେରା ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର। ଇଣ୍ଡିଆ ମେଟାଲ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଝିଲିଙ୍କୁ ୨୭ତମ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ପୁରସ୍କାର ବାବଦକୁ ଝିଲିଙ୍କୁ ଟ୍ରଫି ଏବଂ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି। ଜଣାଶୁଣା କୁସ୍ତୀ ଯୋଦ୍ଧା ବବିତା ପୋଗାତ୍‌ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଝିଲିଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ଝିଲି ଗତ ୨୦୧୭ ଏପ୍ରିଲରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଭାଗ ନେଇ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଲାଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଦୁଇ ଖେଳାଳି ମଧ୍ୟ ସମ୍ମାନିତ ହୋଇଛନ୍ତି। ହକି ଖେଳାଳି ନମିତା ଟପୋ ଏବଂ ଫୁଟ୍‌ବଲ୍‌ ଖେଳାଳୀ ଜବାମଣି ଟୁଡୁଙ୍କୁ ସମ୍ମାନିତ କରାଯାଇଛି। ଉଭୟଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଇଣ୍ଡିଆ ମେଟାଲ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଏ। ୧୯୩୩ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଖେଳାଳିଙ୍କୁ ଦିଆଯାଉଛି।

Comment